ଦିଗହରା ଜନସଂଖ୍ୟା ନିୟନ୍ତ୍ରଣ ଯୋଜନା

ଫୋକସ ପ୍ଲସ (ଅନୁଗୋଳ) ୨୫/୦୭/୨୦୨୨: ହୁ ହୁ ହୋଇ ବଢ଼ୁଛି ଜନସଂଖ୍ୟା । ମାଳ ମାଳ ଯୋଜନା, ବ୍ୟାପକ ସଚେତନତା ସତ୍ତ୍ବେ ବ୍ରେକ୍‌ ଲାଗୁନି । ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନ୍‌ଠୁ ବଳିଯିବ ବୋଲି ଜାତିସଂଘ ପୂର୍ବାନୁମାନ କରିଛି । ଜନସଂଖ୍ୟା ନିୟନ୍ତ୍ରଣକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା କହୁଛନ୍ତି । ଏଥିପାଇଁ ବ୍ୟାପକ ପ୍ରଚାର କରାଯାଉଛି । ସଚେତନତା ସୃଷ୍ଟି କରିବା ସହ ନୂଆ ନୂଆ ଉପାୟ ଆପଣାଉଛନ୍ତି । ଏମିତିକି ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରକୁ ମାଗଣା କରାଯାଇଛି । କେବଳ ଅସ୍ତ୍ରୋପଚାର ମାଗଣା ନୁହଁ, ଏ ବାବଦରେ ଆର୍ଥିକ ପ୍ରୋତ୍ସାହନ ବି ଦିଆଯାଉଛି । ଏହା ସତ୍ତ୍ବେ ଅନୁଗୁଳରେ ଦିଗହରା ହୋଇଛି ଜନସଂଖ୍ୟା ନିୟନ୍ତ୍ରଣ ଯୋଜନା । ମହିଳା ଅସ୍ତ୍ରୋପଚାର ଟାର୍ଗେଟ୍‌ ଛୁଇଁ ପାରୁନଥିବା ବେଳେ ପୁରୁଷ ବନ୍ଧ୍ୟାକରଣ ଅତି ନଗଣ୍ୟ । ଗତ ୪ ବର୍ଷ ମଧ୍ୟରେ ଜିଲ୍ଲାରୁ ମାତ୍ର ୪ ଜଣ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଛନ୍ତି । ଗୋଟିଏ ପଟେ ଲୋକ ସଚେତନ ହେଉନାହାନ୍ତି । ଅନ୍ୟପଟରେ ଜିଲ୍ଲାରେ ଡାକ୍ତର ନ ଥିବାରୁ ଅସ୍ତ୍ରୋପଚାର ଆଗକୁ ବଢ଼ି ପାରୁନଥିବା ଜଣାପଡ଼ିଛି । ଜିଲ୍ଲାରେ ଯେଉଁ ବି ସର୍ଜରୀ ଡାକ୍ତର ଓ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ରହିଛନ୍ତି, ସେମାନେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିବାକୁ ଅମଙ୍ଗ ହେଉଛନ୍ତି । ତେଣୁ ଭୁବନେଶ୍ୱରରୁ ସରକାର ଡାକ୍ତର ପଠାଇବା ପରେ ଜିଲ୍ଲାରେ
ଯାହା କିଛି ଅସ୍ତ୍ରୋପଚାର ହେଉଥିବା ଜିଲ୍ଲା ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ପ୍ରାପ୍ତ ସୂଚନା ମୁତାବକ, ଜିଲ୍ଲାରେ ପରିବାର ନିୟୋଜନକୁ ଆପଣାଇବାକୁ ଲୋକ ପଛଘୁଞ୍ଚା ଦେଉଛନ୍ତି । ବ୍ୟାପକ ସଚେତନତା ସତ୍ତେ୍ୱ ଲୋକ ଏଥପ୍ରତି ଆଗଭର ହେଉନାହାନ୍ତି । ମହିଳା ଅସ୍ତ୍ରୋପଚାର ଯାହା କିଛି ହେଉଥିବା ବେଳେ ପୁରୁଷ
ବନ୍ଧ୍ୟାକରଣ କିନ୍ତୁ ନୈରାଶ୍ୟଜନକ । ୨୦୧୮ ମସିହାରୁ ଏପର୍ଯ୍ୟନ୍ତ ମାତ୍ର ୪ ଜଣ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି । ୨୦୧୮-୧୯ ମସିହାରେ ଜିଲ୍ଲାରେ ଗୋଟିଏ ବି ପୁରୁଷ
ବନ୍ଧ୍ୟାକରଣ ହୋଇନଥିଲା । ସେହିପରି ୨୦୧୯-୨୦ରେ ଗୋଟିଏ ଅସ୍ତ୍ରୋପଚାର ହୋଇଥିବା ବେଳେ ୨୦୨୦-୨୧ରେ ଆଦୌ ଖାତା ଖୋଲି ପାରିନଥିଲା । ୨୦୨୧-୨୨ରେ ଜିଲ୍ଲାରେ ୩ ଜଣ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିବା ଜଣାପଡ଼ିଛି । ସେପଟେ ମହିଳା ଅସ୍ତ୍ରୋପଚାର ଟାର୍ଗେଟ୍‌ ଛୁଇଁ ପାରୁନଥିଲେ ହେଁ ସନ୍ତୋଷଜନକ ରହିଛି ।
୨୦୧୯-୨୦ରେ ମୋଟ୍‌ ୧୭୬୩ ଜଣ ମହିଳାଙ୍କ ଅସ୍ତ୍ରୋପଚାର ହୋଇଛି । ୨୦୨୦-୨୧ରେ କରୋନା କଟକଣା ମଧ୍ୟରେ ୭୫୨ ଜଣ ଓ ୨୦୨୧-୨୨ରେ ୧୦୩୪ଟି ଅସ୍ତ୍ରୋପଚାର କରାଯାଇଛି । ସଚେତନତା ପାଇଁ ଜିଲ୍ଲାର ଆଶାକର୍ମୀଙ୍କଠାରୁ ନେଇ ଅଙ୍ଗନାୱାଡି କର୍ମୀ ପର୍ଯ୍ୟନ୍ତ ସମସ୍ତେ କାମ କରୁଛନ୍ତି । ମହିଳାମାନେ ଧିରେ ଧିରେ ସଚେତନ ହୋଇ ଅସ୍ତ୍ରୋପଚାର ପାଇଁ ଆକୃଷ୍ଟ ହେଉଛନ୍ତି । କିନ୍ତୁ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ସେଭଳି ଆଗ୍ରହ ଦେଖଯାଉନାହିଁ । ପୁରୁଷମାନଙ୍କ ମଧ୍ୟରେ ଏନେଇ ଆହୁରି ସଚେତନତା ଆବଶ୍ୟକ ବୋଲି ଖୋଦ୍‌ ସ୍ୱାସ୍ଥ୍ୟ ବିଭାଗ ସ୍ୱୀକାର କରିଛି । ସେପଟେ ଜିଲ୍ଲାରେ ଅସ୍ତ୍ରୋପଚାର ପଛାଇବା ପଛରେ ଅଭିଜ୍ଞ ଡାକ୍ତର ନଥିବା ସ୍ୱାସ୍ଥ୍ୟ ବିଭାଗ କୁହାଯାଇଛି । ପୁରୁଷ ବନ୍ଧ୍ୟାକରଣ ପାଇଁ ଜିଲ୍ଲାରେ ଥିବା ସର୍ଜରୀ ବିଶେଷଜ୍ଞ ପଛଘୁଞ୍ଚା ଦେଉଥିବା ବେଳେ ଏଥିପାଇଁ ଭୁବନେଶ୍ୱରରୁ ଆସୁଥିବା ଡାକ୍ତରଙ୍କ ଉପରେ ଭରସା କରିବାକୁ ପଡ଼ୁଛି ।
ଲାପ୍ରୋସ୍କୋପିକ୍‌ ଓ ମିନି ଲାବ୍‌ ପଦ୍ଧତିରେ ଅସ୍ତ୍ରୋପଚାର ହୋଇଥାଏ । ଲାପ୍ରୋସ୍କୋପିକ୍‌ ଅର୍ଥାତ ମେସିନ୍‌ ସାହାଯ୍ୟରେ ଅସ୍ତ୍ରୋପଚାର ନିମନ୍ତେ ସମସ୍ତେ
ଆଗ୍ରହୀ ହେଉଥିବା ବେଳେ ଜିଲ୍ଲାରେ ଏଥିପାଇଁ ଡାକ୍ତର ନାହାନ୍ତି । ଏଥିପାଇଁ ଜିଲ୍ଲାରେ ପରିବାର ନିୟୋଜନ ପଛେଇଥିବା କୁହାଯାଉଛି ।ଏ ସଂକ୍ରାନ୍ତରେ ଜିଲ୍ଲା
ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ଦିଲ୍ଲୀପ କୁମାର ପଟ୍ଟନାୟକ କହିଛନ୍ତି, ପରିବାର ନିୟୋଜନରେ ମହିଳାଙ୍କ ଭଳି ପୁରୁଷଙ୍କ ଭାଗିଦାରୀ ହେବା ଦରକାର ।
ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ ଅସ୍ତ୍ରୋପଚାର ଅଧିକ ସୁରକ୍ଷିତ ଓ ବିପଦମୁକ୍ତ । ତେଣୁ ପୁରୁଷମାନେ ସଚେତନ ହୋଇ ଅସ୍ତ୍ରୋପଚାର ପାଇଁ ଆଗେଇ ଆସିବା ଜରୁରି । ତୃଣମୂଳ ସ୍ତରରେ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ସଚେତନ କରୁଛନ୍ତି । ଅସ୍ତ୍ରୋପଚାର ପାଇଁ ଜିଲ୍ଲାରେ ଅଭିଜ୍ଞ ଡାକ୍ତର ନଥିବାରୁ ଟାର୍ଗେଟ୍‌ ପୂରଣ କରିହେଉନି ।

Leave a Reply

Your email address will not be published. Required fields are marked *