ଫୋକସ ପ୍ଲସ(ଛତ୍ରପୁର)୦୭/୦୮/୨୦୨୨ :ଗରୀବ, ଅସହାୟ ଖଟିଖିଆ ପରିବାରର ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି କ୍ଷେତ୍ରରେ ନିୟୋଜିତ କରି ବର୍ଷକୁ ୧୦୦ ଦିନର ନିଶ୍ଚିତ କାର୍ଯ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିଲା ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା l ଯାହାକୁ ସଫଳ କରି ଦେଖାଇଛନ୍ତି ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତର ନାଉଳି ଗ୍ରାମବାସୀ l ଏହି ଯୋଜନାରେ ପ୍ରତି ପଞ୍ଚାୟତ ଓ ବ୍ଲକ ଅଧିନସ୍ଥ ଯେକୌଣସି ଉନ୍ନତି ମୂଳକ କାର୍ଯ୍ୟ ଖସଡ଼ା ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ କରାଗଲେ ସ୍ଥାନୀୟ ଜବ କାର୍ଡ ଧାରୀ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥାଏ ।ଏହାଦ୍ଵାରା ସେମାନଙ୍କ ଆର୍ଥିକ ଉନ୍ନତି ହେବା ସଙ୍ଗେ ସଙ୍ଗେ ଆଖପାଖ ନିଜ ଅଞ୍ଚଳରେ କାର୍ଯ୍ୟ କ୍ଷେତ୍ରରେ ନିୟୋଜିତ ହୋଇ ରୋଜଗାର କ୍ଷମ ହୋଇପାରୁଛନ୍ତି ଏବଂ ଗ୍ରାମର ଭିତିଭୂମି ବିକାଶ ହୋଇପାରୁଛି ବୋଲି ଜବ କାର୍ଡଧାରୀ ଶ୍ରମିକମାନେ କହିଛନ୍ତି ।
ଏଠି ମନରେଗା ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳିଥିବା ବେଳେ ଆଉ କିଛି ସ୍ଥାନରେ ଯୋଜନାର ବାଟ ମାରଣା କରି ଅଧିକାରୀ, କନିଷ୍ଠ ଯନ୍ତ୍ରୀଙ୍କ ସହ ସଲାସୁତୁରା କରି ଠିକାଦାର ମେସିନ ସାହାଯ୍ୟରେ ରାତାରାତି କାମ ସାରି ଦେଉଥିବାର ମଧ୍ୟ ନଜର ଆସୁଛି | ଯାହା ଦ୍ବାରା ସ୍ଥାନୀୟ ଲୋକେ କାମ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ହେଲେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ନାଉଳି ଗ୍ରାମରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମରେ ପାଖାପାଖି ୪୦୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ଅନେକ କୁଲି ମଜୁରି କରି ପରିବାର ପ୍ରତିପୋଷଣ କରନ୍ତି | ଗ୍ରାମର ଯେକୌଣସି କାମ ହେଉ ନା କାହିଁକି ଗ୍ରାମବାସୀ ମିଳିମିଶି କରିଥାନ୍ତି ଏବଂ ଗ୍ରାମର ପ୍ରତିଟି ବିକାଶମୂଳକ କାର୍ଯ୍ୟ ଗୁଡ଼ିକୁ ଗ୍ରାମ୍ୟ କମିଟି ଦ୍ବାରା ପରିଚାଳନା କରାଯାଇଥାଏ। ଯାହା ଦ୍ୱାରା ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଉନ୍ନତମାନର ହୋଇ ପାରୁଛି ବୋଲି ଗ୍ରାମ୍ୟ କମିଟିର ସଦସ୍ୟମାନେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଚଳିତ ବର୍ଷ ନାଉଳି ଗ୍ରାମରେ ମୋଟ ୮ ହଜାର ୩୦୦ ରୁ ଉର୍ଦ୍ଧ୍ବ ଶ୍ରମ ଦିବସ ସୃଷ୍ଟି ହୋଇ ପାରିଛି। ସେପଟେ ବ୍ଲକ ପ୍ରଶାସନ କାମର ବିଲ ଠିକ ସମୟରେ ଦେଇ ପାରିଲେ ସେମାନେ ଉପକୃତ ହୋଇ ପାରିଥାନ୍ତେ ବୋଲି ଶ୍ରମିକମାନେ କହିଛନ୍ତି ।