ଫୋକସ ପ୍ଲସ(ବ୍ୟୁରୋ)୧୭/୦୮/୨୦୨୨: ପୃଥିବୀ ପୃଷ୍ଠ ରେ ଉତ୍ପନ୍ନ ହେଉଥିବା ଶବ୍ଦ ବାୟୁରେ ତରଙ୍ଗ ସୃଷ୍ଟି କରି କର୍ଣ୍ଣ ଗହ୍ୱରରେ ପ୍ରବେଶ କରି କର୍ଣ୍ଣ ପରଦାକୁ ଛୁଇଁଲା ପରେ ଆମେ ଶବ୍ଦକୁ ଶୁଣିପାରୁ , ପ୍ରାକୃତିକ ଉପାୟରେ ତଥା କିଛି ଶ୍ରବଣ ଯନ୍ତ୍ର ଜରିଆରେ ଏହି ପ୍ରକ୍ରିୟା ଚାଲିଥାଏ I ପ୍ରକୃତି ମଣିଷ ସହିତ ସବୁ ଯିବଜନ୍ତୁ , ସରୀସୃପ , ପଶୁ ପକ୍ଷୀ ମାନଙ୍କୁ କର୍ଣ୍ଣ ଦ୍ୱାରା ଶବ୍ଦ ଗ୍ରହଣ କରିବାର ବ୍ୟବସ୍ଥା କରିଛି I ତେବେ କଥା ହେଉଛି , ଆମ କର୍ଣ୍ଣ କେତେ ଉଚ୍ଚ ଶବ୍ଦ ଗ୍ରହଣ କରିବାକୁ ସକ୍ଷମ ? ଆଉ ଯଦି ଗ୍ରହଣ କରିବା କ୍ଷମତା ଠାରୁ ଅତ୍ୟଧିକ ଶବ୍ଦ ସୃଷ୍ଟି ହୁଏ ତେବେ ଆମର ମାନସିକ ସ୍ଥିତି କ’ଣ ହେବ ? ଅନେକ ବିଜ୍ଞ , ଗୁଣି ବ୍ୟକ୍ତି ଏହାଉପରେ ପୁଙ୍ଖIନୁ ପୁଙ୍ଖ ଗବେଷଣା କରିଛନ୍ତି ଅହୁର ମଧ୍ୟ ଚାଲିଛି I ଶବ୍ଦ ପ୍ରଦୂଷଣ କେବଳ ଭାରତରେ ନୁହେଁ ସାରା ପୃଥିବୀର ଏକ ଜଟିଳ ସମସ୍ୟା, ଆମ ଦେଶରେ ସରକାର ୨୪ ଏପ୍ରିଲ ୨୦୦୦ ମସିହାରେ ଶବ୍ଦ ପ୍ରଦୂଷଣ ନିୟମାକ ଆଇନ ପ୍ରଚଳନ କଲେ I ଦୀର୍ଘ ୨୨ ବର୍ଷ ପରେ ମଧ୍ୟ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟ ହୋଇନାହିଁ I ବିଭାଗୀୟ କର୍ମକର୍ତ୍ତାଙ୍କ ଆନ୍ତରିକତାର ଅଭାବ ତଥା ସରକାରଙ୍କ ଅଙ୍କୁଶ ବୋଧ ହୁଏ ଏହି ବିଭାଗ ଉପରେ କାର୍ଯ୍ୟ କରୁନାହିଁ , ନ’ ହେଲେ ଖୁଲମଖୁଲା ଆମମାନଙ୍କୁ ଶବ୍ଦ ପ୍ରଦୂଷଣ ଜନିତ କଷ୍ଟ ସହିବାକୁ ପଡନ୍ତା ନାହିଁ I
ଅତ୍ୟଧିକ ଶବ୍ଦ ମନୁଷ୍ୟ ତଥା ଅନ୍ୟ ପ୍ରାଣୀ ମାନଙ୍କ ପାଇଁ କ୍ଷତିକାରକ ବୋଲି ସାବ୍ୟସ୍ତ ହୋଇଛି I ମଧୁର ବାଦ୍ୟ ସଙ୍ଗୀତର ମୁର୍ଛନା ଆନନ୍ଦ ଦେଉଥିବା ବେଳେ ଉଚ୍ଚାଙ୍ଗ ସଂଗୀତ ମାନସିକ ଚାପ ବଢାଇଥାଏ I ବିଶେଷଜ୍ଞ ମାନଙ୍କ କହିବା କଥା ଅତ୍ୟଧିକ ଶବ୍ଦ ଆମର ଶରୀର ଉପରେ ଅନେକ କୁପ୍ରଭାବ ପକାଇଥାଏ ଯଥା : ଚାପଗ୍ରସ୍ତ ,ହୃଦ୍ଘାତ ,ଉଚ୍ଚରକ୍ତଚାପ ,ଶ୍ରବଣଶକ୍ତି ଚାଲିଯିବା ,ନିଦ୍ରାରେ ବ୍ୟାଘାତ , ବୋଧଶକ୍ତି ହରାଇବା , ବାଚାଳାମି , ଅତ୍ୟଧିକ ମୁଣ୍ଡବ୍ୟଥା ,ତଥା ସ୍ନାୟବିକ ଦୁର୍ବଳତା ଦେଖାଦେଇଥାଏ I ରୋଗୀ ଓ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଅତ୍ୟଧିକ ଶବ୍ଦ ଗ୍ରହଣକରିବା ଖୁବ କଷ୍ଟ ଦାୟକ ତଥା ସେମାନଙ୍କୁ ମରଣାନ୍ତକ ଯନ୍ତ୍ରଣା ଦେଇଥାଏ I ତେବେ ଏହି ଶବ୍ଦ କେମିତି ଆଉ କେଉଁଠାରୁ ଉତ୍ପନ୍ନ ହୁଏ ଏବଂ ଆମେ ଏହାକୁ କିପରି ନିୟନ୍ତ୍ରିତ କରିପାରିବା ସେହି ବିଷୟରେ ମୋର ସୀମିତ ଜ୍ଞାନରୁ କିଂଚିତ ଆଲୋକପାତ କରିବାକୁ ଶ୍ରେୟ ମଣୁଛି I
ଶବ୍ଦର ଉତ୍ପତ୍ତିସ୍ଥଳ : ଶବ୍ଦ ଏକପ୍ରକାର ଶକ୍ତି ଏହା କମ୍ପନରୁ ସୃଷ୍ଟି , ଯେତେବେଳେ କୌଣସି ଜିନିଷ ଉପରେ କମ୍ପନ ସୃଷ୍ଟି ହୁଏ ତାହା ନିକଟରେ ଥିବା ବାୟୁ କଣିକା ଉପରେ ପ୍ରଭାବ ପକାଇଥାଏ ଏବଂ କମ୍ପିତ ଵାୟୁକଣିକା ତାହା ପାର୍ଶ୍ଵବର୍ତ୍ତୀ କଣିକା ଉପରେ ପ୍ରଭାବ ପକାଏ ଏମିତି ଭାବେ ଶବ୍ଦ ତରଙ୍ଗ ସୃଷ୍ଟିକରି ଚତୁର୍ପାର୍ଶ୍ୱକୁ ବ୍ୟାପି ଥାଏ , ଠିକ ଗୋଟିଏ ଜଳାଶୟ ମଝିରେ ଗୋଟିଏ ଛୋଟ ପ୍ରସ୍ଥର ଖଣ୍ଡ ନିକ୍ଷେପ କଲେ ଜଳରେ ଯେପରି ତରଙ୍ଗ ସୃଷ୍ଟି ହୁଏ, ଅଦୃଶ୍ୟ ଭାବେ ଶବ୍ଦ ତରଙ୍ଗ ବାୟୁରେ କେନ୍ଦ୍ରବିନ୍ଦୁ ଠାରୁ ନିଜର ବ୍ୟାସ ବଢ଼ାଇ ଗତିକରିଥଏ I କମ୍ପନର ତୀବ୍ରତା ଅନୁସାରେ ଵାୟୁକଣିକା ନିର୍ଦିଷ୍ଟ ଏକ ଦୂରତା ପର୍ଯ୍ୟନ୍ତ ଯାଇ ଧୀରେ ଧୀରେ ଦୁର୍ବଳ ହୋଇ ଶକ୍ତିହୀନ ହୋଇଯାଏ, ଶବ୍ଦର ତୀବ୍ରତା ଆମେ “ଡେସିବିଲ”(dB ) ରେ ମାପ କରିଥାଉ , ସାଧାରଣତଃ ଆମ ମସ୍ତିଷ୍କ ଓ କର୍ଣ୍ଣ ଗହ୍ୱର ୭୦ ଡେସି ବିଲ ଶବ୍ଦକୁ ସହଜରେ ଗ୍ରହଣ କରିଥଏ ଓ ଅତିବେଶୀରେ ଏହା ୮୫ ଡେସି ବିଲ ପର୍ଯ୍ୟନ୍ତ ସହ୍ୟ କରିପାରିବ ସେ ବି ବେଶୀ ସମୟ ନୁହେଁ I ସରକାରୀ ନିୟମ ଅନୁସାରେ କେହି ୬୫ ଡେସି ବିଲ ରୁ ଅଧିକ ତୀବ୍ରତାର ଧ୍ୱନି ଉତ୍ପନ୍ନ କାରି ଯନ୍ତ୍ର ବ୍ୟବହାର କରିପାରିବେ ନାହିଁ I
ଆମେ ଶୁଣିବା ପାଇଁ ଶବ୍ଦ ତରଙ୍ଗ ୨୦ ହର୍ଜ ରୁ ୨୦ ହଜାର ହର୍ଜ ଭିତରେ ରହିବା ଦରକାର , ତାହାଠାରୁ ବେଶୀ ବା କମ ହେଲେ ଆମେ ଶୁଣି ପାରିବI ନାହିଁ , ଶବ୍ଦ ଅନେକ ପ୍ରକାର ୧. ଇନ୍ଫ୍ରା ସୋନିକ(୨୦ ହର୍ଜ ରୁ କମ ), ୨. ସୋନିକ( ୨୦ ରୁ ୨୦ ହଜାର ହର୍ଜ ମଧ୍ୟରେ ) , ୩. ଅଲଟ୍ରା ସୋନିକ (୨୦ ହଜାର ହର୍ଜ ରୁ ଅଧିକ ) ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗୋଟିଏ ମଶା କାନପାଖ ଦେଇ ଗଲେ ୨୦ ଡେସି ବିଲ ଶବ୍ଦ କରିଥଏ , ଆମେ ହସିଲାବେଳେ ୬୦ ରୁ ୬୫ ଡେସି ବିଲ , ସାଧାରଣ କଥା ହେଲେ ୪୦ ରୁ ୫୦ ଡେସି ବିଲ , ଭ୍ୟାକୁମ କ୍ଲିନର ଚଳାଇଲେ ୭୦ ଡେସି ବିଲ , ଟ୍ରକ, ବସ, ଟ୍ରାକ୍ଟର ୮୪ ଡେସି ବିଲ , କାର, ଜିପ ଇତ୍ୟାଦି ୭୦ ରୁ ୭୫ ଡେସି ବିଲ , ଗାଡ଼ିରେ ଲାଗିଥିବା ହର୍ଣ୍ଣ ୧୦୦ ଡେସି ବିଲ , ଉଡ଼ାଜାହାଜ ୧୦୦ ରୁ ୧୩୦ ଡେସି ବିଲ ଶବ୍ଦ ଉତ୍ପନ୍ନ କରୁଥିବା ବେଳେ ଷ୍ଟେରିଓ ସାଉଣ୍ଡ ସିଷ୍ଟମ ୧୩୦ ଡେସିବିଲ ରୁ ବି ଅଧିକ ଶବ୍ଦ ଉତ୍ପନ୍ନ କରେ ଏଥିରେ ଡ଼ି: ଜେ , ମାଇକଓ ଅନ୍ୟାନ୍ୟ ସରଞ୍ଜାମ ବି ସାମିଲ I ରେଳ ଗାଡି ୮୦ ରୁ ୧୦୦ ଡେସିବିଲ ଶବ୍ଦ ଉତ୍ପନ୍ନ କରେ I
ଜ୍ଞାନୀ, ଗୁଣି, ବିଜ୍ଞ ବ୍ୟକ୍ତି ମାନେ କାହିଁକି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁନାହାନ୍ତି ? ଅନ୍ୟାୟକୁ ଆଉ କେତେ ଦିନ ସହିବା? ଆଜିକାଲି ଲଗାମଛଡ଼ା ଡ଼ି: ଜେ , ମାଇକ ଆଉ ଜାଣିଶୁଣି କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ୱାରା ଶବ୍ଦ ପ୍ରଦ୍ୟୁଷଣ ହେଉଛି ଏହାର କ’ଣ କିଛି ପ୍ରତିକାର ନାହିଁ ?? ବିଭିନ୍ନ ଅନୁଷ୍ଠାନ ପାଇଁ ବା ରାସ୍ତାରେ ବାଜା ବଜାଇ ଶୋଭାଯାତ୍ରାରେ ଯିବା ପାଇଁ ସରକାରୀ ନିୟମ ଅନୁସାରେ ଥାନାରୁ ଅନୁମତି ମିଳେ, ସବୁ ସର୍ତ୍ତକୁ ମାନିନେଇ ଦରଖାସ୍ତ କାରି ଦସ୍ତଖତ ଦିଅନ୍ତି କିନ୍ତୁ ” କୁକୁର ଲାଙ୍ଗୁଡ଼ ଯେଉଁ ବଙ୍କା କୁ ସେଇ ବଙ୍କା ” କେହି ମାନନ୍ତି ନାହିଁ ୬୫ ଡେସି ବିଲ କୁ ବଢ଼ାଇ ୧୩୦ ଡେସି ବିଲ କରିଦିଆ ଯାଏ , ନାଲିପାଣି ହେଉ କି ଅନ୍ୟ ଜୋଶରେ ହେଉ ଅନ୍ୟର ସୁବିଧା ଅସୁବିଧା ଦେଖିବକୁ ବେଳ ନଥାଏ , ଉଚ୍ଚାଙ୍ଗ ସଙ୍ଗୀତର ତାଳେ ତାଳେ ଗୋଡ଼ ଖାଲି ଉଠୁ ଥାଏ କି ପଡୁ ଥାଏ , ଡ଼ି;ଯେ ଵାଲା ବି ଖୁଶ କାରଣ ଏହା ତାଙ୍କ ପାଇଁ ଏକ ବିଜ୍ଞାପନ ସଦୃଶ I କାନଫଟା ଚିତ୍କାର କ’ଣ ବନ୍ଦ କରି ଶୃତିମଧୁର ବାଦ୍ୟ/ସଙ୍ଗୀତ ଶବ୍ଦରେ ଯାଇ ହେବ ନାହିଁ ? ଆଜିକାଲି ସବୁ ଧର୍ମାନୁଷ୍ଠାନରେ ମାଇକର ପ୍ରଚଳନ ବହୁଳ ଭାବେ ଦେଖିବାକୁ ମିଳେ, କୌଣସି ଧର୍ମ୍ମ ଖରାପ ନୁହେଁ କି କାହାକୁ ଛୋଟ ଭାବିବା ଉଚିତ ନୁହେଁ, ସବୁ ଧର୍ମକୁ ମୁଁ ସମ୍ମାନଦିଏ , କିନ୍ତୁ ଭାଇ ! ଟିକେ ହୃଦୟରୁ ଚିନ୍ତା କରନ୍ତୁ ତ’ କାହାରି ଇଚ୍ଛା ବିରୁଦ୍ଧରେ କାହାରି ଉପରେ କ’ଣ ଧର୍ମ୍ମ ବା ଧର୍ମ୍ମର ବାଣୀକୁ ମାଇକ ଦ୍ୱାରା ବଳପୂର୍ବକ ଲଦିଦେବା ଠିକ ହେଉଛି କି ?? ସମସ୍ତେ କିଛି ନା’ କିଛି କାର୍ଯ୍ୟରେ ବ୍ୟସ୍ତ ଆପଣମାନଙ୍କ ସୁବିଧା ପାଇଁ ଆପଣ କାହିଁକି ଅନ୍ୟକୁ କଷ୍ଟ ଦେବେ?, ପୂଜା ଆପଣଙ୍କ ଘରେ ବା ଧାର୍ମିକ ଅନୁଷ୍ଠାନରେ କରନ୍ତୁ ,କିଏ ମନା କରୁଛିକି? ତେବେ ଆପଣଙ୍କର କୌଣସି ନୈତିକ ଅଧିକାର ନାହିଁ ଯେ, ଆପଣ ଅନ୍ୟର ଶାନ୍ତି ଭଙ୍ଗ କରିବେ I ସ୍କୁଲରେ ଛୋଟ ଛୋଟ କୋମଳମତି ପିଲାଙ୍କୁ ପ୍ରାର୍ଥନା ନାମରେ ଅତି ଉଚ୍ଚ ସ୍ୱରରେ ଗାଇବାକୁ ‘ମିସ’ ମାନଙ୍କର ନିର୍ଦେଶ କାରଣ ସ୍କୁଲର ଏହା ଏକ ପ୍ରକାର ବିଜ୍ଞାପନ, ତେଣିକି ପିଲାର ସ୍ୱର ଯନ୍ତ୍ର ଖରାପ ହୋଇଯାଉ ତାଙ୍କର କ’ଣ ଅଛି ? ପିଲାର ବାପା , ମା’ ‘ ସେକଥା ବୁଝିବେ I ହିନ୍ଦୁ ହେଉ ବା ଅନ୍ୟ ଧର୍ମ୍ମ ହେଉ ପ୍ରାର୍ଥନା କ’ଣ ଉଚ୍ଚାଙ୍ଗ ସ୍ୱରରେ କରାଯାଏ ନା’ ନୀରବରେ କରାଯାଏ ? ପ୍ରାର୍ଥନାର ମାନେ ଆଉ ସଂଜ୍ଞା ଜାଣିବା ପାଇଁ ନିଜେ ନିଜକୁ ସଜାଡ଼ିବା ଜରୁରୀ। ହଁ! କହିବ କିଏ? ଆଉ ଶୁଣିବ କିଏ ? ବେଶୀ କହିଲେ କହିବେ ‘ ଆରେ ଏଇଟା ଗୋଠ ଖଣ୍ଡିଆ ଟାଏ, କାହାରି ଭଲ ଦେଖି ପାରୁନାହିଁ ‘ ତେଣୁ କଥା ରେ ଅଛି ” ଯେ ପକ୍ଷୀ ଉଡେ ଯେତେ ଦୂର ସେ ଜIଣେ ତାହାର ବେଭାର ” I କାହାରି ମନରେ ଦୁଃଖ ଦେବାର ଅଭିପ୍ରାୟ ମୋର ନାହିଁ କେବଳ ସଚେତନତା ଉଦ୍ଧେଶ୍ୟରେ ଲେଖୁଛି।
ଭାଇ! ଜୀବନରେ କେବେ ସୁଯୋଗ ଯଦି ଆସେ ତେବେ କୌଣସି ବୌଦ୍ଧ ପୀଠ, ବେଲୁର ମଠ, ସ୍ୱାମୀ ବିବେକାନନ୍ଦଙ୍କ ପ୍ରାର୍ଥନା ସ୍ଥଳୀ, ଆଉ ବିଦେଶରେ ଟିକେ ଥାଇଲାଣ୍ଡ ବା ଶ୍ୟାମ ଦେଶ ବୁଲି ଆସନ୍ତୁ , ବ୍ୟାଙ୍କକ ସହର ଠିକ ମୁମ୍ବାଇ , ଦିଲ୍ଲୀ ପରି ସହର ଏଠି ଲକ୍ଷ , ଲକ୍ଷ ଗାଡି ମୋଟର ରାସ୍ତାରେ ଯା, ଆସ କରୁଥାଏ, କିନ୍ତୁ ସବୁ ନୀରବରେ, କାହାରିକୁ ହର୍ଣ୍ଣ ବଜାଇବାର ଅନୁମତି ନାହିଁ , ସ୍କୁଲ କଲେଜ ସବୁ ନିରବରେ ଚାଲେ , ଠିକ ସେଇ ପରି ଭୁଟାନ ଯାଇ ଦେଖିବା କଥା ସେଠି ବି ସେହିପରି ନୀରବତା ଆଉ ଶାନ୍ତି , ଶବ୍ଦ ପ୍ରଦୂଷଣ ମାତ୍ରା ଶୂନ୍ୟ , କେହି ଗାଡ଼ିରେ ହର୍ଣ୍ଣ ବଜାଇ ପାରିବେ ନାହିଁ, ସର୍ବସାଧାରଣ ସ୍ଥାନରେ ମାଇକ ତ’ ଦୂରର କଥା ଉଚ୍ଚ ସ୍ୱରରେ ଟେଲିଭିଜନ କି ରେଡ଼ିଓ ବଜାଇ ପାରିବେ ନାହିଁ I ଆଉ ଆମ ଦେଶର ନିୟମ କାନୁନକୁ ଆମେ ମାନେ ଫୁ କରି ଉଡେଇ ଦେଇ ମଲ୍ଟି ଟୋନ ହର୍ଣ୍ଣ ଠୁ ଆରମ୍ଭ କରି କେତେ ଯେ ଅନାବଶ୍ୟକ ଶବ୍ଦ ସୃଷ୍ଟି କରି ନିଜ ସହିତ ନିଜର ଉତ୍ତର ପିଢ଼ି ପାଇଁ ଗାତ ଖୋଳୁଛୁ ନିଜେ ଜାଣିପାରୁ ନାହୁଁ I ଆପଣ ମାନେ ଜାଣି ପାରୁନାହାନ୍ତି ପ୍ରତିଦିନ ଶବ୍ଦ ପ୍ରଦୂଷଣ ଆମ ଜୀବନର ଆୟୁଷ ୧୫ ମିନିଟ କମାଇଦେଉଛି ବୋଲି ପଢ଼ିଥିଲି । ଯେତେବେଳେ ଡାକ୍ତରଙ୍କ ପାଖକୁ ଯାଉଛନ୍ତି, ଟଙ୍କା ଦେଇ ତା’ଙ୍କ ପରାମର୍ଶରେ ହଜାର ହଜାର ଟଙ୍କାର ଔଷଧ ଖାଉଛନ୍ତି ସେତେବେଳେ ଆପଣଙ୍କ କଷ୍ଟ କିଏ ନେଉଛି ?? ତେଣୁ ନିଜେ ବେଳହୁଁ ସତର୍କ ହେବା ଉଚିତ , ଯେତେ ପାରିବେ ଶବ୍ଦ ପ୍ରଦୂଷଣ ରୁ ନିଜକୁ ମୁକ୍ତ ରଖନ୍ତୁ ,ଆନ୍ତରିକତା ନ’ଥିଲେ ସବୁ ଅସାର ।
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |