ଫୋକସ ପ୍ଲସ(ଉଦଳା)୨୨/୦୮/୨୦୨୨: ବଡ଼ ଧରଣର ଡକାୟତି କରିବା ପାଇଁ ଚାଲିଥିଲା ଯୋଜନାର ଖବର ପାଇ ଚଢ଼ାଉ କଲା ଉଦଳା ପୋଲିସ । ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଏବେ ପୋଲିସ କବଜାରେ ଚାରି ଆନ୍ତଃଜିଲ୍ଲା ଡକାୟତ । ଗତକାଲି ବିଳମ୍ବିତ ରାତିରେ ଉଦଳା ଥାନା ସ୍ମଶାନ କାଳୀ ଛକ ନିକଟରେ ୫ ଜଣ ଯୁବକ ବଡ଼ ଧରଣର ଡକାୟତି ନିମନ୍ତେ ଯୋଜନା କରୁଥିବା ସମୟରେ ଉଦଳା ପୋଲିସ ସେଠାରେ ଚଢ଼ାଉ କରିଥିଲା ।ପୋଲିସ କୁ ଦେଖି ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଚାରି ଜଣ ଡକାୟତକୁ ପୋଲିସ ଗିରଫ କରିଛି । ଗିରଫ ଡକାୟତଙ୍କ ନିକଟରୁ ତିନି ଗୋଟି ବାଇକ, ପାଞ୍ଚ ମୋବାଇଲ, ଭୁଜାଲି, ଛୁରୀ, ଶାବଳ ସହିତ ନଗଦ ଅଠଚାଳିଶ ହଜାର ଟଙ୍କା ପୋଲିସ ଜବତ କରିଛି ।ଏହି ଡକାୟତ ମାନଙ୍କ ନାମରେ ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଏବଂ ଗଞ୍ଜାମ ଜିଲ୍ଲାରେ ଅନେକ ଡକାୟତି ମାମଲା ରହିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।ଏହା ସହିତ ଡକାୟତମାନେ ପୂର୍ବରୁ ଉଦଳା ଅଂଚଳରେ ହୋଇଥିବା ୬ ରୁ ଅଧିକ ଡକାୟତି ଏବଂ ଲୁଟ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଗିରଫ ଆନ୍ତଃଜିଲ୍ଲା ଡକାୟତ ମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଂଚଳର ବିନୋଦ ଦାସ, ଶିବ ଦାସ, ଶାରଦ ଥାନା ଅଂଚଳର ରବି ରାଓ ଏବଂ ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ଦୀପକ ପ୍ରଧାନ । ଗିରଫ ଲୁଟେରାଙ୍କୁ ପୋଲିସ କୋର୍ଟଚାଲାଣ କରିଛି ।