ଅବହେଳିତ ଅବସ୍ଥାରେ ନିମପୁର ଓ ମାଧବାନନ୍ଦ ପୋଖରୀ

ଫୋକସ ପ୍ଲସ(କଟକ)୨୮/୦୮/୨୦୨୨: ଆଉ ମାତ୍ର ଦିନ କେଇଟା ପରେ ଅର୍ଥାତ୍ ଆସନ୍ତା ଅଗଷ୍ଟ ୩୧ ତାରିଖରେ ରାଜ୍ୟବ୍ୟାପୀ ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଦିବସକୁ ଦୃଷ୍ଟିରେ କଟକ ମହାନଗର ନିଗମ ଅଞ୍ଚଳରେ ମାଳମାଳ ପ୍ରକଳ୍ପର ଶିଳାନ୍ୟାସ କରିଥାନ୍ତି ସାଂସଦ,ମନ୍ତ୍ରୀ ଓ ବିଧାୟକ । ପରବର୍ତ୍ତୀ ସମୟରେ ଶିଳାନ୍ୟାସ କେଉଁଠି ଫଳକରେ ଦୀର୍ଘବର୍ଷ ହେବ ଝୁଲି ରହିଛି ତ ଆଉ କେଉଁଠି ଅଧପନ୍ତରିଆ ଭାବେ ନିଗମର ନାଲି ଫିତା ତଳେ ଚାପି ହୋଇ ରହିଯାଇଛି। କିନ୍ତୁ ପରିତାପର ବିଷୟ, ୩ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୯ ମସିହାରେ ଜଗତପୁର ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନା ମାଧ୍ୟମରେ ୪୮ ନମ୍ବର୍ ୱାର୍ଡର ନିମପୁର ପୋଖରୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୨କୋଟି ୯୧ ଲକ୍ଷ ଟଙ୍କା ଓ ୪୯ ନମ୍ବର୍ ୱାର୍ଡର ମାଧବାନନ୍ଦ ପୋଖରୀର ଉନ୍ନତିକରଣ ପାଇଁ ୨ କୋଟି ୮୧ଲକ୍ଷ ଟଙ୍କା ବ୍ୟୟରେ ଶିଳାନ୍ୟାସ କରାଯାଇଥିଲା। ଉଭୟ ପ୍ରକଳ୍ପକୁ ଇତି ମଧ୍ୟରେ ୩ବର୍ଷ ବିତିବାକୁ ବସିଥିବା ବେଳେ ନିଗମର ଉଦାସୀନତା ମନୋଭାବ ଯୋଗୁଁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହି ଦୁଇଟି ପ୍ରକଳ୍ପକୁ ତିନିତିନି ଥର ଶିଳାନ୍ୟାସ କରାଗଲାଣି। ପ୍ରକଳ୍ପର କାର୍ଯ୍ୟାଦେଶ ପାଇ ଠିକାଦାର କିଛି ମାତ୍ରାରେ କାମ ଆରମ୍ଭ କରି ଛୁ ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମନମାନି ପାଇଁ ପ୍ରକଳ୍ପ ଗୁଡିକ ଶେଷ ପର୍ଯ୍ୟାୟରେ ପହଞ୍ଚି ପାରୁନି। ସିଏମସି କର୍ତ୍ତୁପକ୍ଷଙ୍କ ଅବହେଳା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଉଭୟ ୱାର୍ଡବାସୀ ଅଭିଯୋଗ କରିଛନ୍ତି।

ଜଗତପୁରରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *