ଶାଶୁଘର ଆଗରେ ବୋହୂର ଧାରଣା

ଫୋକସ ପ୍ଲସ(ଗଞ୍ଜାମ)୨୮/୦୮/୨୦୨୨: ଶାଶୁଘର ଆଗରେ ଧାରଣା ଦେଲେ ବୋହୂ। ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ ୩ ମଧ୍ୟଖଣ୍ଡ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ନାରାୟଣ ପଣ୍ଡା ଓ ତାଙ୍କ ପରିବାରଲୋକେ ବୋହୂଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗରେ ଶନିବାର ବୋହୁ ତନ୍ମୟୀ ପଣ୍ଡା ଶାଶୁଘର ଆଗରେ ଧାରଣା ଦେଇଛନ୍ତି। ଧାରଣାରେ ତନ୍ମୟୀଙ୍କ ଆଈ ସୁବାସିନୀ ମହାପାତ୍ର ବସିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ତାଙ୍କ ଶାଶୁ, ନଣନ୍ଦ ବାରମ୍ବାର ତାଙ୍କୁ ନିର୍ଯାତନା ଦେଇ ଆସୁଥିବା ନେଇ ସେ ବ୍ରହ୍ମପୁର ମହିଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

ତନ୍ମୟୀଙ୍କ କହିବା ମୁତାବକ, ତାଙ୍କ ନିଜ ଘର ରଣଝାଲି ଅଞ୍ଚଳରେ। ତାଙ୍କ ମାଆ ନ ଥିବା ବେଳେ ବାପା ଜଣେ ମାନସିକ ରୋଗୀ l ଏଥିପାଇଁ ମାମୁଘର ଲୋକେ ୨୦୨୦ ରେ ହିନ୍ଦୁ ରୀତିନୀତି ଅନୁସାରେ ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିର ନାରାୟଣ ପଣ୍ଡାଙ୍କ ପୁଅ ସୁଜିତ କୁମାର ପଣ୍ଡାଙ୍କ ସହ ତାଙ୍କର ବିବାହ କରିଥିଲେ l ସୁଜିତ ଦମକଳ ବାହିନୀରେ କାର୍ଯ୍ୟ କରୁଥିବା ବେଳେ ବିବାହର ଦୁଇ ମାସ ପରେ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ତାଙ୍କ ସ୍ବାମୀ ଭଉଣୀ ଓ ମା’ଙ୍କ କଥାରେ ତାଙ୍କୁ ବିଭିନ୍ନ ସମୟରେ ମାରପିଟ୍‌ ମଧ୍ୟ କରିଥିଲେ। ଏହାକୁ ସହ୍ୟ କରି ନ ପାରି ସେ ତାଙ୍କ ମାମୁ ଘର ବ୍ରହ୍ମପୁର ରାମହରି ନଗର ସେକେଣ୍ଡ ଲାଇନକୁ ଚାଲିଯାଇଥିଲେ। ଘଟଣାର ଏକ ମାସ ପରେ ସ୍ବାମୀ ସୁଜିତ ତାଙ୍କ ମାମୁ ଘରକୁ ଯାଇ ସ୍ତ୍ରୀଙ୍କୁ ବୁଝାସୁଝା କରି ଅଲଗା ଘରଭଡ଼ା ନେଇ ଗୋପାଳପୁରରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ପରିବାରଲୋକଙ୍କ କଥାରେ ପଡ଼ି ପୁଣି ଝଗଡା କରିଥିଲେ। ବର୍ତ୍ତମାନ ଯଦି ତାଙ୍କୁ ଶାଶୁଘର ଲୋକେ ଗ୍ରହଣ ନ କରନ୍ତି ତାହେଲେ ସେ ଯୌତୁକ ବାବଦରେ ନେଇଥିବା ୨୦ ଭରି ସୁନା ଓ ନଗଦ ୨ ଲକ୍ଷ କୋଡିଏ ହଜାର ଟଙ୍କା ଫେରସ୍ତ କରନ୍ତୁ ବୋଲି ତନ୍ମୟୀ ଅଡ଼ି ବସିଛନ୍ତି। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିବା ସହ ପରିସ୍ଥିତି ଉତ୍ତେଜନାମୂଳକ ରହିଛି। ମଧ୍ୟାହ୍ନରେ ଗଞ୍ଜାମ ଥାନାରେ ନିଜ ଆଇ ସହ ପହଞ୍ଚିବା ପରେ ପୋଲିସ ଶ୍ୱଶୁର ଓ ସ୍ବାମୀଙ୍କୁ ଡାକିଥିଲେ। ସେଠାରେ କୌଣସି ସୁଫଳ ନ ମିଳିବାରୁ ସାରେ ସେ ଧାରଣା ଦେଇଛନ୍ତି। ଏନେଇ ତନ୍ମୟୀଙ୍କ ଶ୍ୱଶୁର କିମ୍ବା ସ୍ବାମୀଙ୍କ ମତାମତ ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *