ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟର ଅଭାବ

ଫୋକସ ପ୍ଲସ(ନବରଂଗପୁର)୨୮/୦୮/୨୦୨୨: ୬ଷ୍ଠ ତମ ଜିଲ୍ଲାପରିଷଦ ଗଠନର ଦ୍ବିତୀୟ ପର୍ଯ୍ୟାୟ ବୈଠକ ସ୍ଥାନୀୟ ରାଜୀବଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପରିଷଦ ଅଧ୍ୟଖ୍ୟ ମୋତିରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ,ରାଜ୍ୟସଭା ସାଂସଦ ମୁଜ୍ଜିବୁଲା ଖାଁ,ନବରଂଗପୁର ବିଧାୟକ ସଦାଶିବ ପ୍ରଧାନୀ,ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ,ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ଜିଲ୍ଲାପରିଷଦ ଉପାଧ୍ୟଖ୍ୟା ଲିପିକା ବାରୋଇ,ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର,ଜିଲ୍ଲାପରିଷଦ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ,ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ଟାଲୀ ଉପସ୍ଥିତ ରହିଥିଲେ। ଏଥିସହ ୨୬ଟି ଜିଲ୍ଲାପରିଷଦ ଜୋନର ସଭ୍ୟସଭ୍ୟା,୧୦ଟି ବ୍ଲକର ଅଧ୍ୟଖ୍ୟ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ବୈଠକରେ ପର୍ଯ୍ୟାୟକ୍ରମେ ଜିଲ୍ଲାର ଆନୁଷାଙ୍ଗିକ ବିଷୟ ପ୍ରତି ଆଲୋଚନା ସହ ଗୁରୁତ୍ତ୍ବର ଅଭିଯୋଗ ହୋଇଥିଲା। ୨ୟ ବୈଠକରେ ପ୍ରଥମେ କୃଷି ଅଧିକାରୀ ନିଜ ବକ୍ତବ୍ୟ ରଖିବା ପରେ ଉମରକୋଟ ବିଧାୟକ ଶ୍ରୀ ଗଣ୍ଡ ଚାଷୀଙ୍କ ସାରକୁ ବ୍ଲାକରେ ବିକ୍ରୟ କରିବା ଓ ଚଳିତବର୍ଷ ଆରସିଏମଏସରେ ଖତ ଉପଲବ୍ଧ କାହିଁକି କରାଗଲା ନାହିଁ ବୋଲି ଅଭିଯୋଗ କରିଥିଲେ। ସେହିପରି ଚାଷ ଉପରେ ନିର୍ଭର କରୁଥିବା ଜିଲ୍ଲାରେ କୃଷି ଅଧିକାରୀଙ୍କ ମରୁଡି ପଡିବା ଆଶ୍ଚର୍ଯ୍ୟ କରିୁଛି। ବର୍ଷା ଯୋଗୁଁ ଚାଷୀଙ୍କ ଖ୍ୟତିପୂରଣ ଏ ପର୍ଯ୍ୟନ୍ତ ଦିଆଯାଉ ନାହିଁ। ଜିଲ୍ଲାରେ ୯ଟି ବେସରକାରୀ ସଂସ୍ଥା ଦ୍ବାରା ମିଲେଟ ମିଶନ ଚାଲିଥିବା ବେଳେ ବ୍ୟାପକ ଦୂର୍ନିତି ହେଉଛି। ଏହାକୁ ନେଇଁ ଅଧିକାରୀଙ୍କୁ ଟାର୍ଗେଟ କରାଯାଇଥିଲା। ବର୍ଷକୁ ବର୍ଷ ଆଖୁଚାଷ ୮ ହଜାର ହେକ୍ଟରରୁ ୬ ହଜାର ହେକ୍ଟରକୁ ଖସିବା ଓ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ନ ପାଇବା ଦୁଃଖଦ ବିଷୟ। କୃଷି ପ୍ରଧାନ ଜିଲ୍ଲା ହୋଇଥିଲେ ବି ଚାଷୀଙ୍କୁ ଉପଯୁକ୍ତ ସମୟରେ ସାରବିହନ ନ ମିଳିବାକୁ ନେଇଁ ଉଦବେଗ ପ୍ରକାଶ ପାଇଥିଲା।
ଏହା ପରେ ଗ୍ରାମୀଣ ବିଭାଗ ଅଧିକାରୀ ଆସିବା ପରେ ଜନ ପ୍ରତିନିଧିଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଜିଲ୍ଲାରେ ନିମ୍ନ ମାନର ନିର୍ମାଣ,ଠିକାଦାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ ହେବା,କାମ ନ ସରୁଣୁ ବିଲ ହୋଇଯିବା,ବିଭାଗୀୟ ଅଧିକାରୀଙ୍କ ପାଖରେ ରିପୋର୍ଟ ନ ଥିବା,ଜନପ୍ରତିନିଧିଙ୍କୁ ଅଣଦେଖା କରିବା ଭଳି ଗୁରୁତ୍ତ୍ବାରୋପ କରାଯାଇଥିଲା। ଜିଲ୍ଲାରେ ସାଧାରଣ ଲୋକଙ୍କ ଜୀବନ ରେଖା କହିଲେ ଗ୍ରାମୀଣ ରାସ୍ତାକୁ ବୁଝାଉଛି। ହେଲେ ବିଭାଗୀୟ ଅଧିକାରୀ ମାନେ ଏହାକୁ ନେଇଁ ଠିକାଦାରଙ୍କ ସହ ସାଲିସ କରି ବିନା ଉପସ୍ଥିତିରେ ପ୍ରକ୍ସି ଠିକାଦାର,ସୁପରଭାଇଜରଙ୍କ ଜରୀଆରେ କାମ ହାସଲ କରି କୋଟି କୋଟି ଟଙ୍କା ଲୁଟ କରୁଛନ୍ତି। ଜିଲ୍ଲାପାଳ ଡ ମିଶ୍ର ନବରଂଗପୁରକୁ ହମ୍ପସ ଜି୍ଲ୍ଲା ଭାବେ ଅଭିହିତ କରିଥିଲେ ଏବଂ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ରାଜ୍ୟସଭା ସାଂସଦ ଶ୍ରୀ ଖାଁ ତାରାଗାଁ ଠାରୁ ପିଲକା ରାସ୍ତାରେ ଜଣେ ଲୋକର ମୃତ୍ୟୁ ହୋଇଥିବା ବେଳେ ଜଣେ ପଙ୍ଗୁ ପାଲଟିଛନ୍ତି,ଏହାର ଦାୟୀ ଅଧିକାରୀ ହେବେ କି ବୋଲି ପଚାରିଛନ୍ତି। କାରଣ ରାସ୍ତାର ନିମ୍ନମାନର କାର୍ଯ୍ୟ ଓ ରଖ୍ୟଣାବେଖ୍ୟଣ ଅଭାବ ଯୋଗଁ ଧପଜୀବନ ନଷ୍ଟ ହେଉଥିବା ଅଭିଯୋଗ ଆଣିଥିଲେ। ନନ୍ଦାହାଣ୍ଡି ବ୍ଲକରେ ୩୬ କିମି ରାସ୍ତାର ଖରାପ ସ୍ଥିତିକୁ ନେଇଁ ଜିଲ୍ଲାପରିଷଦ ସଭ୍ୟ ଅରୁଣ ମିଶ୍ର ଉଦବେଗ ପ୍ରକାଶ କରିଥିଲେ। ନବରଂଗପୁର ବିଧାୟକ ଶ୍ରୀ ପ୍ରଧାନୀ ତେନ୍ତୁଳିଖୁଣ୍ଟି ବ୍ଲକର ଝରିଗୁମା ପଞ୍ଚାୟତ ଠାରୁ କଳାହାଣ୍ଡି ରାସ୍ତା ଗତ ୧୮-୧୯ ବର୍ଷରୁ ପଡି ରହିଛି,ତାହା ପୁଣି ଆଉ କେତେ ଦିନଯାଏଁ ଗଡିବ ବୋଲି ପଚାରିଛନ୍ତି,ଏହାଛଡା ମୂଷାମୁଣ୍ଡିଗୁଡା ଠାରୁ କଣ୍ଟାଗାଁ ରାସ୍ତାର ୨ଥର ଟେଣ୍ଡରରେ ୧୩ କୋଟିର ଘୋଟାଲା ହେବା ସତ୍ତ୍ବେ ପୁଣି ଥରେ ୧୧ କୋଟିର ଟେଣ୍ଡର ହୋଇଛି। ଏଭଳି ଗୋଟିଏ ରାସ୍ତା ଉପରେ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି କାହିଁକି ଅଧିକାରୀ କା ନାଁରେ ଆତ୍ମସାତ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ମଧ୍ୟ ଗ୍ରାମୀଣ ବିଭାଗରେ ହେଉଥିବା ଲୁଟତରାଜ ବିଷୟକୁ ନେଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶେଷ ବିନା କିଭଳି ବିଲ ଠିକାଦାରଙ୍କୁ ଦିଆଯାଉଛି ବୋଲି ଆଶ୍ଚର୍ଯ୍ୟାନ୍ବିତ ହୋଇଥିଲେ। ସାଂସଦ ଶ୍ରୀ ମାଝୀ ଅଣ୍ଟିଗୁଡା ଠାରୁୁ ବୋରିଗୁଡା ରାସ୍ତା ଗତ ମାସେ ମଧ୍ୟରେ ଅତି ନିମ୍ନମାନର କାମକୁ ଦେଖି ଗୋବରରେ ଲିପିଲା ଭଳି କାମ ହୋଇଥିବା କହିଛନ୍ତି। ଲୋକେ ରାସ୍ତା ଉପରେ ଧାନ ରୁଇ ପ୍ରତିବାଦ କରୁଛନ୍ତି। ନିଜ ଫାଇଦା ପାଇଁ ଜଙ୍ଗଲ ଭିତରେ ଗାର୍ଡଓ୍ବାଲ କରି ଟଙ୍କା ହଡପ କରୁଛନ୍ତି। ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା ସନ୍ଧିମୁଣ୍ଡା ବ୍ରିଜ ଗତ ୬ ବର୍ଷ ହେଲାଣି କାହିଁକି ସମ୍ପୂର୍ଣ କରାଗଲା ନାହିଁ ବୋଲି ଅଧିକାରୀଙ୍କ ଉପରେ ବର୍ଷିଥିଲେ। ଲେସ ଟେଣ୍ଡରରେ କାହିଁକି କାମ ଦିଆଯାଉଛି ଓ ଆମକୁ କାହିଁକି ଅପମାନିତ ହେବାକୁ ପଡୁଛି ବୋଲି ବିଧାୟକ ପଚାରିଛନ୍ତି। ସେହିଭଳି ରାଇଘର ବ୍ଲକ ଅଧ୍ୟଖ୍ୟା ନବୀନା ନାୟକ ମଧ୍ୟ ନିଜ ଅଭିଯୋଗ ପ୍ରକାରେ ରେଜ୍ୟୁଲୁସନ ଦିଆଗଲେ ବି ଅଧିକାରୀ କେଉଁ ରାସ୍ତା କାହା ଅଧିନରେ ଯାଉଛି ଜନପ୍ରତିନିଧିଙ୍କୁ ଜଣାଉ ନାହାନ୍ତି। ରାଜ୍ୟସଭା ସାଂସଦ ଏଭଳି ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବକ ତାଙ୍କ ଦରମାରୁ କଟାଯାଉ ବୋଲି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖରେ ଜିଲ୍ଲା ହିତାଧିକାରୀଙ୍କ କୌଣସି ସୂଚନା ନ ଥିବାରୁ ଗତ ୭ ବର୍ଷ ହେଲାଣି ମଲା ଲୋକଙ୍କ ଭତ୍ତା ଖାଇଯାଉଥିବା ଅଭିଯୋଗ କରିଥିଲେ ଏବଂ ଏହାକୁ ନେଇଁ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଧାୟକ ଶ୍ରୀ ରନ୍ଧାରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୃତ୍ତିକା ବିଭାଗ ଦ୍ବାରା ଜିଲ୍ଲାରେ ୭ ହଜାର ଏକରରୁ ଉପରେ ବିଭିନ୍ନ କିସମର ଗଛ ଲଗେଇବାକୁ ଦାବି କରାଯାଇଥିଲା ବେଳେ ଅଧିକାଂଶ ସ୍ଥାନରୁ ଗଛ ଗୁଡିକ ଲଗାଯାଇଛି କି ନାହିଁ ତାହା ଜଣାପଡୁ ନାହିଁ ବୋଲି ଶ୍ରୀ ରନ୍ଧାରୀ ପ୍ରଶ୍ନ କରିଥିଲେ। ତେବେ ଜିଲ୍ଲା ବିଭାଗୀୟ ଅଧିକାରୀଙ୍କ ପାଖରେ ଜନ ପ୍ରତିନିଧି ମାନଙ୍କର କୌଣସି ପ୍ରଶ୍ନର ତଥ୍ୟ ରଖାଯାଉ ନ ଥିବା ଏବଂ ସେଥିପ୍ରତି ଅବଗତ କରିବାକୁ ଚାହୁଁ ନ ଥିବା ସ୍ପଷ୍ଟ ଜଣାପଡିଛି। ଜିଲ୍ଲା ବିଭାଗୀୟ ଅଧିକାରୀଙ୍କ ଏଭଳି ଦାୟିତ୍ବହୀନତା ନେଇଁ ସାଂସଦ ଶ୍ରୀ ମାଝୀ ଏଥିପାଇଁ ଆମକୁ ଉତ୍ତରଦାୟୀ କରି ଲୋକଙ୍କ ସାମ୍ନା କରିବାକୁ ପଡୁଛି ବୋଲି କହିଥିଲେ। ତେବେ ଜିଲ୍ଲାରେ ପ୍ରଶାସନ, ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟର ଅଭାବ ପରିଲକ୍ଷିତ ହେଉଥିବା ବେଳକୁ ଏଥିରେ ବଳି ପଡୁଛନ୍ତି ନିରୀହ ଜିଲ୍ଲାବାସୀ।
ଜିଲ୍ଲାର ତେନ୍ତୁଳିଖୁଣ୍ଟି,କୋଷାଗୁମୁଡା ଭଳି ଅନ୍ୟ ସ୍ଥାନ କେତେକ ସ୍ଥାନରେ ଝାଡାବାନ୍ତି ହେବାର ମୂଖ୍ୟ କାରଣ ବାହାରେ ମଳ ତ୍ୟାଗ କରିବା ବୋଲି ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡ କାଳୀପ୍ରସାଦ ବେହେରା କହିଥିଲେ। ଏଥିରେ ରାଜ୍ୟସଭା ସାଂସଦ ଶ୍ରୀ ଖାଁ ରତ୍ନାକର ସାହୁଙ୍କୁ ପାଇଖାନା ନିର୍ମାଣରେ ଦୂର୍ନିତି ଅଭିଯୋଗ ଆଣି ଗାଁ ଗାଁରେ ନାମକୁ ମାତ୍ର ବାହ୍ୟମଳମୁକ୍ତ ଗାଁ ଭାବେ ବୋର୍ଡ ଲଗାଯାଇଛି ବୋଲି କହିଥିଲେ। ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଲୋକେ ଠିକ ଭାବେ ପାଇ ପାରୁ ନାହାନ୍ତି। ଏଣୁ ଠିକା ଭିତ୍ତିରେ ନଳକୂପ ଖନନ କରି ଠିକାଦାରକୁ ସୁହାଇଲା ଭଳି କାମ କରାଯାଉଛି ବୋଲି ଶ୍ରୀ ରନ୍ଧାରୀ କହିଥିଲେ। ସଭ୍ୟ ରତିକାନ୍ତ ପଣ୍ଡା ଏକ ଗୁରୁତ୍ତ୍ବପୂର୍ଣ ଅଭିଯୋଗ ଆଣି ବୃହଦ୍ ଈନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଅଧିନରେ ଥିବା କୋଲନୀ,ରାସ୍ତା, ଡାକ୍ତରଖାନାର,କଲେଜ,ଶିଖ୍ୟାନୁଷ୍ଠାନ ଆଦିର ପୁନଃରୁଥାନ ପାଇଁ ସିଧାସଳଖ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ବାଢିଥିଲେ। ସେହିପରି ସଭ୍ୟା ଶ୍ରୀମତି କୃଷ୍ଣାମଞ୍ଜରୀ ବିଷୋୟୀ ନୂତନ ଭାବେ ଭତ୍ତା ପାଇଁ ଦରଖାସ୍ତ ଦିଆଯାଇଥିଲେ ସୁଦ୍ଧା ହିତାଧିକାରୀଙ୍କୁ କାହିଁକି ବର୍ଷ ବର୍ଷ ଅପେଖ୍ୟା କରିବାକୁ ପଡୁଛି ବୋଲି ଅଭିଯୋଗ ବାଢିଥିଲେ। ସନ୍ତୋଷପୁର ଠାରେ ବିଦେଶୀ ମଦ ଦୋକାନକୁ ସେଠାରୁ ଉଠାଯିବା ପାଇଁ ଗାଁ ଲୋକେ ଅନେକଥର ଅଭିଯୋଗ ପରେ ବି କାହିଁକି ବିଳମ୍ବିତ ହେଉଛି ବୋଲି ସାଂସଦ ଓ ବିଧାୟକ ଅବକାରୀ ଅଧ୍ୟକ୍ଷକଙ୍କୁ ପଚାରିଛନ୍ତି। ସେହିପରି ପ୍ରତୈକ ଗାଁରେ ବିନା ଲାଇସେନ୍ସରେ କିଭଳି ବିଦେଶୀ ମଦ କାରବାର ଚାଲିଛି ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତକୁ ନେଇଁ ଉଦବେଗ ପ୍ରକାଶ ପାଇଥିଲା। ତେବେ ଜିଲ୍ଲା ବିଭାଗୀୟ ଅଧିକାରୀ ମାନେ ଜନପ୍ରତିନିଧିଙ୍କ କେତେ ଆସ୍ଥାଭାଜନ ହୋଇ ପାରିବେ ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *