କାନ୍ଦ ବୋବାଳିରେ ଫାଟୁଛି ଗାଁ ଦାଣ୍ଡ, ମଶାଣିରେ ଜଳୁଛି ୫ ଶବ

ଫୋକସ ପ୍ଲସ(ପରଜଙ୍ଗ)୨୯/୦୮/୨୦୨୨: କାନ୍ଦ ବୋବାଳିରେ ଫାଟି ପଡୁଛୁ ଗାଁର ପରିବେଶ ଗାଁ ମଶାଣି ରେ ଜଳୁଛି ୫ ଜଣଙ୍କ ଶବର ଚିତା | ପାଞ୍ଚ ପାଞ୍ଚୋଟି ନିରୀହ ଜୀବନକୁ ନେଇ ଝୁରି ହେଉଛନ୍ତି ସମ୍ପର୍କୀୟ । ଅଶ୍ରୁଳ ଲୁହରେ ଭିଜୁଛି ଜନ୍ମମାଟି । ଏମିତି ଛାତିଥରା ଦୃଶ୍ୟ ହୃଦୟର ବେଦନାକୁ ଯନ୍ତ୍ରଣା ଜର୍ଜରିତ କରି ପକାଉଛି। ଲୁହ କୋହରେ ସତେ ଯେପରି ମୃଦନା ଫାଟି ପଡୁଛି । ଦୁଃଖ ସନ୍ତାପ ପରିବାରକୁ ଲୋଡ଼ା ହୋଇ ପଡିଛି ସରକାରଙ୍କ ସହାୟତା । ଆଶା ଆକାଂକ୍ଷାରେ ଦୁଃଖିନୀ ହତଭାଗ୍ୟ ପରିବାର ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ବାଙ୍ଗୁରା ଗାଁରେ ଦେଖିବାକୁ ମିଳିଛି ଛାତିଥରା ଲୋମଟାଙ୍ଗୁର ସଡକ ଦୁର୍ଘଟଣାର କରୁଣ ଚିତ୍ର । ଆଜି ଭୋର ସମୟରେ ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଗାଁ ନିକଟରେ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଲିଭି ଯାଇଛି ପାଞ୍ଚ ପାଞ୍ଚୋଟି ନିରୀହ ,ନିଷ୍ପାପ ଜୀବନ । ଉଜୁଡି ଯାଇଛି ହସିଲା ସଂସାର । କେତେ ଆଶା ନେଇ ଭୋର ଭୋର ମହୁଲ ଟୋଲ ପେଶାଇବା ପାଇଁ ବାହାରି ପଡ଼ିଥିଲେ ମୁକ୍ତାପଶି ଗାଁକୁ ଯିବା ପାଇଁ । ସେଠାରେ କଳରେ ମହୁଲ ଟୋଲ ପେଶାଇ ତେଲ କରି ଘରକୁ ଆଣିବେ । ଆଉ ସେହି ତେଲେ ବର୍ଷକର ପରିବାରର ଗୁଜୁରାଣରେ ସହାୟ ହେବ । ହେଲେ ପଥରଖମ୍ବ ନିକଟରେ ସତେ ଯେପରି ଜମି ରୂପି କାଳ ଜଗି ବସିଥିଲା । କୋଇଲା ବୁଝେଇ ଟ୍ରକ ଧକ୍କାରେ ଅଟୋରେ ବସିଥିବା ୫ ଜଣଙ୍କର ଜୀବନ ଚାଲି ଯାଇଥିଲା । ଯେଉଁଥିରେ ଥିଲେ ଜଣେ ୧୩ ବର୍ଷୀୟ କୋମଳମତି ଶିଶୁ । ମୃତକ ମାନେ ହେଲେ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ଅଟୋ ଡ୍ରାଇଭର ଅନନ୍ତ ସାମଲ ,ଏବଂ ଅନ୍ୟ ଚାରି ଜଣ ଗୋଟିଏ ପରିବାରର ପ୍ରହ୍ଲାଦ ସାମଲ, ଆଦିକନ୍ଧ ସାମଲ ,ଅଙ୍କୁର ସାମଲ ଏବଂ ତାଙ୍କର କୁନି ପୁଅ ଦିବ୍ୟରଞ୍ଜନ ସାମଲ । ମୃତ୍ୟୁ ପରେ ସ୍ତବ୍ଧ ସମଗ୍ର କାମାକ୍ଷାନଗର । ଘଟଣା ସ୍ଥଳରେ ମାନ୍ୟବର ଖଣି, ଇସ୍ପାତ, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ,ଏସଡିପିଓ ରଞ୍ଜନ କୁମାର ଦେ ,ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା ,କାମାକ୍ଷାନଗର ବ୍ଲକ ଅଧକ୍ଷ ପ୍ରେମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୃତକଙ୍କୁ ଜଣ ପିଛା ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଲକ୍ଷ ଟଙ୍କା ଏବଂ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ୨୦ ହଜାର ଟଙ୍କା ପ୍ରଦାନ କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ପରେ ମରଣଜନ୍ତା ପାଲଟିଥିବା ୫୩ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା । ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ବିଶିଷ୍ଟ ଶିକ୍ଷାବିତ ତଥା ଉଦ୍ୟୋଗପତି ବଦ୍ରୀ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଗାଁର ଶ୍ମଶାନରେ ଏକକାଳୀନ ଭାବେ ଜଳିଛି ପାଞ୍ଚ ପାଞ୍ଚୋଟି ଜୁଇ । ଆଖିର ଲୁହରେ ଭିଜୁଛି ବାଙ୍ଗୁରା ଗାଁ । କୋକେଇ ବନ୍ଧା ହୋଇଛି ,ହରିନାମ ବି ଡକା ହେଉଛି । ଆଉ କାନ୍ଦି କାନ୍ଦି ବିଦାୟ ଦେଉଛନ୍ତି ନିଜର ଆତ୍ମୀୟ ପ୍ରିୟଜନଙ୍କୁ । ଏଭଳି ଦୃଶ୍ୟ ହୁଏତ ସେମାନେ କେବେ ସାମ୍ନା କରି ନଥିଲେ । ଛାତିଥରା ଏ ଦୃଶ୍ୟ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ମାନେ ସରକାରଙ୍କୁ ଉଜୁଡି ଯାଇଥିବା ପରିବାର ପାଇଁ ଆକୁଳ ନିବେଦନ କରିଛନ୍ତି ।
ଲୁହ କୋହ ଭରା ଦୁଃଖର ସାଗରରେ ସବୁ ଦିନ ପାଇଁ ଶ୍ମଶାନର ଜୁଇରେ ଶୋଇ ଯାଇଛନ୍ତି ନିଷ୍ପାପ ନିରୀହ ଜୀବନ । ଆଖିର ଅଶ୍ରୁଳ ଲୁହରେ ବିଦାୟ ଦେଇଛନ୍ତି ପ୍ରିୟଜନ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏହି ଶୋକ ସନ୍ତାପ ପରିବାର ପ୍ରତି ସରକାରଙ୍କ ସହଯୋଗ ଲୋଡ଼ା ହୋଇ ପଡିଛି ।

ପରଜଙ୍ଗରୁ ଆଶିଷ ପଣ୍ଡାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *