ରାସ୍ତା ନିର୍ମାଣ ପ୍ରତିଶୃତି ଦେଇ ଲୁଟିନେଲେ ଟଙ୍କା

ଫୋକସ ପ୍ଲସ(ସାନକମଣ୍ଡରା) ୧୨/୦୯/୨୦୨୨:ରାସ୍ତା ନିର୍ମାଣ ପ୍ରତିଶୃତି ଦେଇ ଲୁଟିନେଲେ ଟଙ୍କା, ଏବେ ଆଣ୍ଠୁଏ କାଦୁଅରେ ସାନକମଣ୍ଡରା ଜୁଆଙ୍ଗ ସାହିବାସୀ ଆଙ୍କର – ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ହେଲେ ପ୍ରଶାସନର ଅବହେଳା ଓ ଉଦୀୟମାନ ଠିକାଦାରଙ୍କ ମାନମାନୀ ଯୋଗୁଁ ଯୋଜନା ବାଟବଣା ହୋଇଛି । ଏମିତି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ଗ୍ରାମ ପଞ୍ଚାୟତ ସାନକମଣ୍ଡରା ଗାଁର ଜୁଆଙ୍ଗ ସାହିରେ । ଏଠି ଗାଁକୁ ନାହିଁ ନିତିଦିନିଆ ରାସ୍ତା । ଅସରାଏ ବର୍ଷାରେ ବେହାଲ ହେଉଛି ରାସ୍ତା ଅବସ୍ଥା । କାଦୁଅ ପଚ ପଚ ରାସ୍ତାରେ ଯାତାୟତ କରୁଛନ୍ତି ୩୦ରୁ ଊର୍ଦ୍ଧ୍ବ ପରିବାର । ମିଳିଥିବା ସୂଚନା ଅନୁଯାୟୀ ସାନକମଣ୍ଡରା ଗ୍ରାମରେ ଆର୍ଥିକ ବର୍ଷ ୨୦୨୧-୨୨ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗୋପାଳ ସାହି ଠାରୁ ଜୁଆଙ୍ଗ ସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଚାରି ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । ପରେ କାମ ଆରମ୍ଭ ହେବାକୁ ନେଇ ଲୋକଙ୍କ ଜବ କାର୍ଡରେ ଟଙ୍କା ଛାଡିଥିଲେ , ସାହିବାସୀ ଟଙ୍କା ଉଠାଇ ଦେଲେ କାମ ଆରମ୍ଭ ହେବ ବୋଲି ଠିକାଦାର ପ୍ରତିଶୃତି ଦେଇଥିଲା । ଠିକାଦାର ସାହିବାସୀଙ୍କ ଠାରୁ ଦେଢ଼ଲକ୍ଷ ଟଙ୍କା ନେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମରମ ମୁଠାଏ ପଡ଼ିନଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସାହିବାସୀ । ଗାଁ ଠାରୁ ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟ ଯାତାୟତ ପାଇଁ ରହିଛି କେବଳ ଗୋଟିଏ ମାତ୍ର ରାସ୍ତା । ହେଲେ ବିଡ଼ମ୍ବନାର ବିଷୟ, ଆଜକୁ ଦୀର୍ଘ ବର୍ଷ ହେଲା ଏହି ରାସ୍ତା ଖଣ୍ଡକ ଶୋଚନୀୟ ହୋଇ ପଡିରହିଛି । ଅସରାଏ ବର୍ଷାରେ ବେହାଲ ହୋଇଯାଇଛି ରାସ୍ତା ଅବସ୍ଥା । ବର୍ତ୍ତମାନ ଜିଲ୍ଲାରେ ବର୍ଷା ଲାଗି ରହୁଥିବାବେଳେ ଏହି ରାସ୍ତା ଆଣ୍ଠୁଏ କାଦୁଅରେ ଭର୍ତ୍ତି ହୋଇଛି । ଏଠାରେ ଯାନବାହନ ଗଡିବା ଦୂରର କଥା, ଖାଲି ପାଦରେ ଚାଲିବା ମଧ୍ୟ ସମ୍ଭବ ହେଉନି । ଏପରିକି ସ୍କୁଲ ଯିବାକୁ ପିଲା ମଧ୍ୟ ନାନା ହଇରାଣ ହେଉଛନ୍ତି । ତଥାପି କାଦୁଅ ପଚପଚ ରାସ୍ତାରେ ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ଲୋକେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଏହିପରି ସମ୍ବେଦନଶୀଳ ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାହିବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *