ଫୋକସ ପ୍ଲସ(ଦଶମନ୍ତପୁର): ପୁଣି ସାମ୍ନାକୁ ଆସିଲା ଜଣେ ପ୍ରସୂତିଙ୍କ ଦୁଃଖ |୨ କିମି ଦୂର କାଦୁଅ ପଚପଚ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚିବା ବିଳମ୍ବ ହେବା ପରେ ରାସ୍ତା କଡ଼ରେ ଗର୍ଭବତୀ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚିକାମ୍ବ ପଞ୍ଚାୟତ ଅଧିନସ୍ଥ ତୁନଖାଲ ଗ୍ରାମରେ।ଏହି ଗ୍ରାମରେ ବସବାସ କରି ଆସୁଥିବା କାର୍ତ୍ତିକ ମୁଦୁଲିଙ୍କ ସ୍ତ୍ରୀ ସ୍ବାତୀ ମୁଦୁଲି ଗର୍ଭଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ରାସ୍ତା କଡ଼ରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ସୂଚନା ମୁତାବକ, ଆଜି ବିଳମ୍ୱିତ ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା ।ଗାଁ ର ଆଶାକର୍ମୀ ଚଞ୍ଚଳା ଚେଟୀ ଙ୍କୁ ପ୍ରଥମେ ଜଣାଇ ଥିଲେ। ଏହା ପରେ ୧୦୨ ଆମ୍ବୁଲାନ୍ସ ଗାଡ଼ି କୁ ତୁରନ୍ତ ଫୋନ କରାଯାଇଥିଲା ।ଫୋନ ପାଇ ୧୦୨ ଆମ୍ବୁଲାନ୍ସ ଗାଡ଼ି ବି ତୁରନ୍ତ ତୁନଖାଲ ଗାଁ ଅଭିମୁଖେ ବାହାରି ଥିଲା ।ହେଲେ ଗାଁ ଠାରୁ ଦୁଇ କିମି ଦୂର ଧର୍ମଗଡା ଗାଁ ଛକ ନିକଟରେ କାଦୁଅରେ ଫସି ଯାଇଥିଲା ଆମ୍ବୁଲାନ୍ସ ।ଅନେକ ସମୟ ଧରି ଏଭଳି ଆମ୍ବୁଲାନ୍ସ ଗାଡ଼ି ଫସି ରହିଥିବାରୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା |ଏପଟେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଗର୍ଭବତୀ ଜଣକ ଶେଷରେ ମହିଳା ଜଣକ ରାସ୍ତା କଡ଼ରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ |
ପ୍ରସବ ପରେ ମଧ୍ୟ ମହିଳା ଜଣକ ବହୁ କଷ୍ଟରେ ନଵଯାତ ଶିଶୁକୁ ହାତରେ ଧରି ଚାଲିଚାଲି ଆମ୍ବୁଲାନ୍ସ ଗାଡ଼ି ପର୍ଯ୍ୟନ୍ତ ଯାଇଥିଲେ।ସେଠାରୁ ଆମ୍ବୁଲାନ୍ସ ଗାଡ଼ି ଯୋଗେ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ନେଇ ଭର୍ତ୍ତି କରିଥିବା ଜଣାପଡିଛି ।ବର୍ତ୍ତମାନ ମାଁ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଥିବା ସୂଚନା ମିଳିଛି ।ଅନ୍ୟ ପକ୍ଷରେ ଏହି ଗ୍ରାମକୁ ପକା ରାସ୍ତା ସୁବିଧା ନଥିବାରୁ ତୁନଖାଲ, ଗୋଜିଆ ଗୁଡା ଏବଂ ଝୋଲାଗୁଡା ଭଳି ୩ ଖଣ୍ଡ ଗ୍ରାମବାସୀ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ କରିଛନ୍ତି ।ମାତ୍ର ୩ ରୁ ୪ କିମି ଦୂର ରେ ଥିବା ଗାଁ କୁ ଗମନାଗମନ ସୁବିଧା ପାଇଁ ପକା ରାସ୍ତା ନଥିବାରୁ ଏ ଭଳି ଗର୍ଭବତୀ ମହିଳା ଓ ଗୁରୁତର ରୋଗୀମାନଙ୍କୁ ଡାକ୍ତରଖାନାରେ ନେବା ଲାଗି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମ ବାସୀ ପ୍ରକାଶ କରିଛନ୍ତି। ତେବେ ତୁରନ୍ତ ଏଭଳି ଜନନୀ ଯନ୍ତ୍ରଣା ଭୋଗୁଥିବା ଗାଁ ମାନଙ୍କରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ପକା ରାସ୍ତା ନିର୍ମାଣ ସୁବିଧା କରିଦେବାକୁ ଗ୍ରାମ ବାସୀ ନିବେଦନ କରିଛନ୍ତି।
ଦଶମନ୍ତପୁର ବ୍ଲକରୁ ହାବିଲ ଡଙ୍ଗ୍ରି ଙ୍କ ରିପୋର୍ଟ