ଜମିରେ ହଳକରି ନଷ୍ଟକରିଦେଲେ ଫସଲ

ଫୋକସ ପ୍ଲସ(ଦାରିଙ୍ଗବାଡି): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି, ନିର୍ବାଚନ ସମୟର ରାଗ ସୁଝେଇବାକୁ ଯାଇ ଗତକାଲି ତିଳାଚାଷ କରାଯାଇଥିବା ଫସଲକୁ ହଳ କରି ନଷ୍ଟ କରିଦେଲେ କିଛି ପ୍ରତିବାଦୀ ଗୋଷ୍ଟି। ଏନେଇ ଫସଲ ମାଲିକ ସୁକାନ୍ତ ପ୍ରଧାନ ଥାନାର ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ଦାରିଙ୍ଗବାଡ଼ି ପୋଲିସ ମାମଲା ନଂ ୧୬୯/୨୨ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଥିବା ବେଳେ ଏଏସଆଇ ସୁବାସ ଚନ୍ଦ୍ର ବାଏକ ଘଟଣାର ତଦନ୍ତ କରୁଛନ୍ତି । ସିମନବାଡ଼ି ପଞ୍ଚାୟତ ସ୍ଥିତ ସଲାବାଡ଼ି ଗ୍ରାମର ସୁକାନ୍ତ ପ୍ରଧାନ ଦାରାମିଡିଆ ଜମିରେ ବାପଜେଜେ ଅମଳରୁ ବିଭିନ୍ନ ପ୍ରକାର ଫସଲ ଚାଷ କରିଆସୁଛନ୍ତି । ଅଧିକାଂଶ ସମୟରେ ଧାନ, ହଳଦୀ ସହ ଅନ୍ୟାନ୍ୟ ପନିପରିବା ଚାଷ ମଧ୍ୟ କରୁଛନ୍ତି । ଏହି କିଛି ମାସ ହେବ ପ୍ରାୟ ୭ ଏକରରୁ ଉର୍ଦ୍ଧ ଜମିରେ ତିଳା ଚାଷ କରିଥିଲେ । ଏଥି ପାଇଁ ସୁକାନ୍ତ ପ୍ରଧାନ କିଛି ସାହୁକାରଙ୍କ ଠାରୁ ଋଣ ଆଣି ଏହି ଚାଷ କରିଥିଲେ । ହେଲେ ଉକ୍ତ ଚାଷ ଜମିରେ ହୋଇଥିବା ତିଳା ଫସଲକୁ ଲାଦାମାଲା ଓ ଆଡିନପାଙ୍ଗା ଗ୍ରାମର କିଛି ରାଜନୈତିକ ରାଗ ରଖିଥିବା ବ୍ୟକ୍ତି ୧୫ ରୁ ୨୦ ବଳଦ ହଳ ଆଣି ଉକ୍ତ ଜମିରେ ଚାଷ କରି ଫସଲ ସବୁ ନଷ୍ଟ କରିଦେଲେ । ଫସଲ ନଷ୍ଟ କରିବା ସମୟରେ ସୁକାନ୍ତ ପ୍ରଧାନଙ୍କ ସ୍ତ୍ରୀ ଓ ଭଉଣୀ ଆସି ପ୍ରତିବାଦ କରିଥିଲେ । ହେଲେ ତାଙ୍କ କଥାକୁ କେହି ଗୁରୁତ୍ୱ ନଦେଇ ଚାଷ କରିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଜମିକୁ ଆସିଲେ ପରିବାର ଲୋକଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।ଏଭଳି କି ସେମାନଙ୍କ ହାତରେ ମାରଣା ଅସ୍ତ୍ର ଥିବାରୁ ସୁକାନ୍ତ ପ୍ରଧାନଙ୍କ ସ୍ତ୍ରୀ ଓ ଭଉଣୀ ଭୟରେ ଘରକୁ ଫେରିଆସିଲେ | ଏହାର ସୁଯୋଗ ନେଇ ସମସ୍ତ ଫସଲ ନଷ୍ଟ କରିଦେଲେ । ସୁକାନ୍ତ ପ୍ରଧାନ ଏହି ଚାଷ ନିମନ୍ତେ ୫୦ ହଜାର ଟଙ୍କା ଖର୍ଚ କରିଥିବା ବେଳେ ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କାର ଫସଲ ଆଦାୟ ହୋଇଥାନ୍ତା ବୋଲି ସୁକାନ୍ତ ପ୍ରଧାନ ଅଭିଯୋଗ କରିଥିଲେ । ଏଭଳିକି ଫସଲ ନଷ୍ଟ ହେବା ଫଳରେ ସାହୁକାରକୁ କିଭଳି ଟଙ୍କା ସୁଜିବେ ସେନେଇ ସେ ଚିନ୍ତାରେ ରହିଛନ୍ତି । ପଞ୍ଚାୟତ ନିର୍ବାଚନ ହେବାର ୭ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ନିର୍ବାଚନ ରାଗରଖି ବର୍ତମାନ ଏଭଳି ଫସଲ ନଷ୍ଟ କରିବା ସହ ମୋ ଜମି କୁ ଜୋରଜବରଦସ୍ତ ହାତେଇବାକୁ ଚେଷ୍ଟା କରୁଥିବା ସୁକାନ୍ତ ଅଭିଯୋଗ କରିଛନ୍ତି । ଏଣୁ ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ସହ ନ୍ୟାୟ ପ୍ରଦାନ କରିବା ପାଇଁ ସୁକାନ୍ତ ପ୍ରଧାନ ଥାନାର ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ।

ଦାରିଙ୍ଗବାଡିରୁ ଲଷ୍ମୀକାନ୍ତ ରାଜଗୁରୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *