ସୁନକ୍‌ଙ୍କୁ ଅଡୁଆ ୩ ପୂର୍ବ ପ୍ରଧାନମନ୍ତ୍ରୀ

ଫୋକସ ପ୍ଲସ(ଲଣ୍ଡନ): ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍‌ ବ୍ରିଟେନ୍‌ର ୫୭ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସୁନକ୍‌ ନିଜର ପ୍ରଥମ ଭାଷଣରେ ପୂର୍ବ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ଦ୍ୱାରା ହୋଇଥିବା ଭୁଲକୁ ସୁଧାରିବେ ବୋଲି କହିଥିଲେ । ଏବେ ସେ ସରକାରରେ ରହି କିଭଳି କାମ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ଏମିତି କି କଞ୍ଜରଭେଟିଭ୍‌ ପାର୍ଟିକୁ ସେ କେମିତି ଏକଜୁଟ କରି ରଖୁଛନ୍ତି, ତାହା ଉପରେ ଧ୍ୟାନ ରହିବ । ସବୁଠୁ ବଡ଼ କଥା ହେଉଛି ସଂସଦରେ ତାଙ୍କ ସହ ନିଜ ଦଳର ୩ ପୂର୍ବ ପ୍ରଧାନମନ୍ତ୍ରୀ ରହିବେ । ତେଣୁ ପରିସ୍ଥିତି କିଛି ଅଲଗା ହୋଇପାରେ ।

ସଂସଦରେ ଏହି ୩ ପୂର୍ବ ପ୍ରଧାନମନ୍ତ୍ରୀ ହେଉଛନ୍ତି ଟେରେସା ମେ, ବୋରିସ ଜନ୍‌ସନ ଏବଂ ଲିଜ୍‌ ଟ୍ରସ୍‌ । ଗତ ୩ ବର୍ଷରେ ଏହି ୩ ଜଣ ଟୋରୀ ନେତା ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ବିଭିନ୍ନ ବିବାଦରେ ପଡ଼ି ଏମାନେ ଗାଦିଚ୍ୟୁତ ହୋଇଛନ୍ତି । ସେମାନେ ଏବେ ସୁନକ୍‌ଙ୍କ ସାଥ୍‌ କେମିତି ଦେବେ, ତାହା ଦେଖିବାକୁ ହେବ । ସଂସଦରେ ଏହି ୩ ପୂର୍ବ ପ୍ରଧାନମନ୍ତ୍ରୀ କଞ୍ଜରଭେଟିଭ୍‌ ପାର୍ଟିରେ ଆଭ୍ୟନ୍ତରୀଣ କନ୍ଦଳ ବଢ଼ାଇ ପାରନ୍ତି । ସେମାନେ ସୁନକ୍‌ଙ୍କର ପ୍ରତିଟି କାର୍ଯ୍ୟରେ ତ୍ରୁଟି ବାହାର କରି ତାହାକୁ ବଡ଼ କରିବାକୁ ଚେଷ୍ଟା କରିପାରନ୍ତି । କାରଣ ବ୍ରିଟିଶ ଗଣତନ୍ତ୍ର ଓ ଶାସନ କଳର ଏହା ଅଂଶବିଶେଷ । ଏହାଠାରୁ ଆଉ ଏକ ବଡ଼ କଥା ହେଉଛି ୩ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଏହି ସମୀକରଣ ସୁନକ୍‌ଙ୍କ ପାଇଁ ଅଡୁଆ ହୋଇପାରେ । ତା’ଛଡ଼ା ବୟସରେ ସୁନକ୍‌ ବହୁତ ସାନ । ପ୍ରେସିଡେନ୍‌ସିଆଲ୍‌ ବ୍ୟବସ୍ଥାରେ ପୂର୍ବ ରାଷ୍ଟ୍ରପତି ସାଧାରଣତଃ କାର୍ଯ୍ୟକାଳ ଶେଷ ହେବା ପରେ ପୁଣି ସଂସଦକୁ ଆସି ନ ଥାନ୍ତି । କିନ୍ତୁ ବ୍ରିଟେନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅନେକ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ ଦେଖିବାକୁ ମିଳୁଛି ।

ବୋରିସ ଜନ୍‌ସନ୍‌ କ୍ୟାବିନେଟ୍‌ରେ ସୁନକ୍‌ ବହୁତ ସଫଳ ଅର୍ଥମନ୍ତ୍ରୀ ରହିଥିଲେ । ସେ ଜନ୍‌ସନ୍‌ଙ୍କର ବିରୋଧ କରି ଯେତେବେଳେ ଇସ୍ତଫା ଦେଲେ ତାହାର କିଛିମାସ ପରେ ବୋରିସଙ୍କୁ ବି ଇସ୍ତଫା ଦେବାକୁ ପଡ଼ିଥିଲା । ଏବେ ବୋରିସ ମଧ୍ୟ ସୁନକ୍‌ଙ୍କ ରାସ୍ତାରେ କଣ୍ଟା ସାଜିପାରନ୍ତି । ଏଥିସହ ଦୁଇ ମହିଳା ଟେରେସା ମେ ଓ ଲିଜ୍‌ ଟ୍ରସ୍‌ ବି ରହିବେ । ଲିଜ୍‌ ଟ୍ରସ୍‌ଙ୍କ ସହ ତାଙ୍କର ଅଧିକ ବିବାଦ ରହିଛି । ତେଣୁ ସେ ସବୁବେଳେ ସୁନକ୍‌ଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି । ଏହା ପୂର୍ବରୁ କୋଭିଡ-୧୯ ମହାମାରୀ ବେଳେ ବୋରିସ ଜନ୍‌ସନ୍‌ଙ୍କୁ ପ୍ରତିଟି କ୍ଷେତ୍ରରେ ଟାର୍ଗେଟ୍‌ କରୁଥିଲେ ଟେରେସା ମେ । ଖୋଲାଖୋଲି ଭାବେ ତାଙ୍କୁ ସମାଲୋଚନା କରୁଥିଲେ । ଜନ୍‌ସନ୍‌ ସୁନକ୍‌ଙ୍କୁ ପାର୍ଟି ନେତା ପଦରୁ ଦୂରେଇ ରଖିବା ପାଇଁ ଲିଜ୍‌ ଟ୍ରସ୍‌ଙ୍କ ସମର୍ଥନ କରିଥାଇ ପାରନ୍ତି, କିନ୍ତୁ ବାସ୍ତବତା ହେଉଛି ପରେ ସେ ଲିଜ୍‌ଙ୍କ ସହାୟତା ପାଇଁ ସଂସଦ ଆସି ନ ଥିଲେ । ଏବେ ଏହି ୩ ଜଣ ପୂର୍ବ ପ୍ରଧାନମନ୍ତ୍ରୀ ସୁନକ୍‌ଙ୍କୁ ସହଯୋଗ କରିବେ, ନା ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବେ, ତାହା ସମୟ କହିବ ।

ଦେଶରେ ଶୀଘ୍ର ସାଧାରଣ ନିର୍ବାଚନ ପାଇଁ ବିରୋଧୀମାନେ ଦାବି କରିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ରିଷି ସୁନକ୍‌ଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଛନ୍ତି । ସୁନକ୍‌ଙ୍କ କାର୍ଯ୍ୟକାଳରେ ଭାରତ ଓ ବ୍ରିଟେନ୍‌ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବା ନେଇ ସେ ଆଶା ପ୍ରକାଶ କରିଛନ୍ତି । ସୋନିଆ ଲେଖିଛନ୍ତି, ‘ଆପଣ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୁଁ ବହୁତ ଖୁସି । ଭାରତରେ ଆମ ସମସ୍ତଙ୍କ ପାଇଁ ଏହା ନିହାତି ଗୌରବର ବିଷୟ ।

Leave a Reply

Your email address will not be published. Required fields are marked *