ଫୋକସ ପ୍ଲସ ୨୭/୧/୨୩(ବ୍ୟୁରୋ): ବିଷାକ୍ତ କଫ ସିରପକୁ ନେଇ ଡବ୍ଲ୍ୟୁଏଚଓ ପକ୍ଷରୁ ଆସିଲା ନୂଆ କଟକଣା । ବିଶାକ୍ତ କଫ୍ ସିରପ ଯୋଗୁଁ କିଛି ଦେଶରେ ୩୦୦ରୁ ଅଧିକ ଶିଶୁଙ୍କର ମୃତ୍ୟୁ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ କଟକଣା ଘୋଷଣା କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଗତ ଚାରିମାସ ମଧ୍ୟରେ ଉଚ୍ଚ ସ୍ତରର ଡାଇ-ଇଥାଇଲନ୍ ଗ୍ଲାଇକୋଲ୍ ଏବଂ ଇଥାଇଲନ୍ ଗ୍ଲାଇକୋଲ୍ ଦ୍ୱାରା ଦୂଷିତ କଫ୍ ସିରପ ପିଲାମାନଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇଥିବା ବିଷୟରେ ଅନେକ ମାମଲା ରିପୋର୍ଟ ହୋଇଛି । ଏଗୁଡ଼ିକ ହେଉଛି ବିଷାକ୍ତ ରାସାୟନିକ ପଦାର୍ଥ, ଯାହା ଶିଳ୍ପ ଦ୍ରବଣ ଏବଂ ଆଣ୍ଟିଫ୍ରିଜ୍ ଏଜେଣ୍ଟ ଭାବରେ ବ୍ୟବହୃତ ହୁଏ । ଏହା କିଛି ପରିମାଣରେ ମଧ୍ୟ ସାଂଘାତିକ ହୋଇପାରେ ବୋଲି କୁହାଯାଇଛି । ଅତିକମରେ ସାତୋଟି ଦେଶରେ ଏହି ମାମଲା ଦେଖିବାକୁ ମିଳିଥିଲା । ଜାମ୍ବିଆ, ଇଣ୍ଡୋନେସିଆ ଏବଂ ଉଜବେକିସ୍ତାନରେ ବିଶାକ୍ତ କଫ୍ ସିରପ ଯୋଗୁଁ ଶିଶୁଙ୍କର ମୃତ୍ୟୁ ଘଟିଛି । ମୃତ ଶିଶୁଙ୍କ ମଧ୍ୟରେ ଅଧିକାଂଶ ପାଞ୍ଚ ବର୍ଷରୁ କମ୍ ଛୋଟ ପିଲା ଥିଲେ । ଅକ୍ଟୋବର ୨୦୨୨ ପରଠାରୁ ଡବ୍ଲ୍ୟୁଏଚଓ ଏହି ଘଟଣାଗୁଡ଼ିକ ସମ୍ବନ୍ଧରେ ତିନୋଟି ବିଶ୍ୱସ୍ତରୀୟ ମେଡିକାଲ୍ ପ୍ରଡକ୍ଟ ଉପରେ ଆଲର୍ଟ ଜାରି କରିସାରିଛି ଏବଂ ସିରପ୍ ଉତ୍ପାଦନ କରୁଥିବା ଭାରତ ଏବଂ ଇଣ୍ଡୋନେସିଆର ୬ଟି ଔଷଧ କମ୍ପାନୀ ଚିହ୍ନଟ ହୋଇଛି । ଘଟଣା ଉପରେ ଚିନ୍ତା ପ୍ରକଟ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଡାକ୍ତରୀ ଯୋଗାଣ ଚନ୍ର ପ୍ରମୁଖ ଷ୍ଟକହୋଲଡରମାନଙ୍କୁ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ଦେଶଗୁଡିକ ବିଶାକ୍ତ ଔଷଧଗୁଡିକୁ ଚିହ୍ନଟ କରିବା ଏବଂ ଏହାକୁ ନଷ୍ଟ କରିବା ଉଚିତ ବୋଲି ଡବ୍ଲ୍ୟୁଏଚଓ କହିଛି ।