ଜୋରଦାର ପ୍ରସ୍ତୁତି ଚାଲିଛି ମହିଳା ଆଇପିଏଲର ପ୍ରଥମ ସଂସ୍କରଣ

ଫୋକସ ପ୍ଲସ ୭/୨/୨୩(ବ୍ୟୁରୋ):ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ମାର୍ଚ୍ଚ ୪ରୁ ମହିଳା ପ୍ରିମିୟର ଲିଗ ଆରମ୍ଭ ହେବ । ମୁମ୍ବାଇରେ ଏହାର ଉଦଘାଟନୀ ମ୍ୟାଚ ଖେଳାଯିବ । ମାର୍ଚ୍ଚ ୨୬ରେ ଫାଇନାଲ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚରେ ଦୁଇ ପ୍ରମୁଖ ଦଳ ମୁମ୍ବାଇ ଓ ଅହମ୍ମଦାବାଦ ପରସ୍ପରକୁ ଭେଟିବେ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ପୁରୁଷ ଆଇପିଏଲର ସଫଳତା ପରେ ମହିଳା ଆଇପିଏଲ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ ୪ରୁ ମହିଳା ଆଇପିଏଲ ଆରମ୍ଭ ହୋଇ ୨୬ ତାରିଖ ଯାଏଁ ଚାଲିବ । ୧୩ ତାରିଖରେ ନିଲାମୀ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଫ୍ରାଞ୍ଚାଇଜିମାନେ କୋଚିଂ ସଦସ୍ୟ ନିଯୁକ୍ତ କରିବା ଆରମ୍ଭ କରି ଦେଲେଣି । ୫ଟି ଦଳକୁ ନେଇ ଡବଲ ରାଉଣ୍ଡ ରବିନ ଫର୍ମାଟରେ ଲିଗ୍ ମ୍ୟାଚ ଅନୁଷ୍ଠିତ ହେବ । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଥିବା ଦଳ ସିଧାସଳଖ ଫାଇନାଲକୁ ଯିବ । ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ପ୍ଲେ ଅଫ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ବିଜୟୀ ଦଳ ଫାଇନାଲକୁ ଉନ୍ନିତ ହେବେ। ମହିଳା ଆଇପିଏଲରେ ମୋଟ ୨୨ଟି ମ୍ୟାଚ ଖେଳାଯିବ। ଫେବୃଆରୀ ୧୦ରୁ ଆସିସି ଟି-ଟ୍ବେଣ୍ଟି ବିଶ୍ବକପ ଆରମ୍ଭ ହେବ। ବିଶ୍ବକପ ଶେଷ ହେବାର ୮ ଦିନ ପରେ ମହିଳା ପ୍ରିମିୟର ଲିଗ ଆରମ୍ଭ ହେବ। ଚଳିତ ମହିଳା ପ୍ରିମିୟର ଲିଗ ସଂସ୍କରଣରେ ୫ଟି ଟିମ ଅଂଶଗ୍ରହଣ କରିଛନ୍ତି । ସେମାନେ ହେଲେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ । ଏହି ୫ଟି ମହିଳା ପ୍ରିମିୟର ଲିଗ ଟିମର ବିକ୍ରି ହୋଇସାରିଛି । ଏଥିରେ ସବୁଠୁ ଅଧିକ ଦାମ ଅହମ୍ମଦାବାଦ ଟିମ୍ ଦେଇଛି । ଯାହା ଆଦାନୀ ଗ୍ରୁପ ଲଗାଇଛି । ଏହା ପରେ ମୁମ୍ବାଇ ଟିମକୁ ଇଣ୍ଡିଆୱିନ ସ୍ପୋର୍ଟସ କିଣିଛି । ଏହା ରିଲାଏନ୍ସ ଗ୍ରୁପର କମ୍ପାନୀ । ତେବେ ଚଳିତ ଥର ମହିଳା ଆଇପିଏଲରେ ଆଦାନୀ ଗ୍ରୁପ ଏବଂ ଆମ୍ବାନୀ ଗ୍ରୁପ ମଧ୍ୟରେ ଜୋରଦାର ଟକ୍କର ହେବା ନେଇ ଆଶା ରହିଛି ।

Leave a Reply

Your email address will not be published. Required fields are marked *