ଫୋକସ ପ୍ଲସ 10/6/23(ରାଇଘର): ଗରିବ ଓ ଅସହାୟ ଲୋକଙ୍କ ପାଇଁ ରହିଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା । ହେଲେ ବାସ୍ତବରେ ଏହା ଗ୍ରାମାଞ୍ଚଳର ଅସହାୟ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ସରକାରଙ୍କ ଆବାସ ଯୋଜନା ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ସାତ ସପନ ପାଲଟିଛି । ଭଙ୍ଗା ଦଦରା ଘରେ ରହୁଥିବା ବେଳେ ଛାତ ଉପରେ ରହିଛି ଏକ ପତଳା ପଲିଥିନ। କାଳ ବୈଶାଖୀ ଜନିତ ବର୍ଷା, ପବନ ଓ କୁଆପଥର ମାଡ଼ରେ ପଲିଥିନ ନଷ୍ଟ ହେବା ସହିତ ଘର ଭାଙ୍ଗି ଯାଇ ଜୀବନ ଯିବାର ଭୟ ମଧ୍ୟ ରହିଛି । ଏହିପରି ଭାବରେ ଦୁଃଖ କଷ୍ଟରେ ଜୀବନ ବିତାଇବାକୁ ବାଧ୍ୟ ହୋଇଛି ଗୋଟିଏ ପରିବାର । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ପଞ୍ଚାୟତ……. ଗାଁର ।
ଗାଁ ରେ ରହୁଥିବା ଫୁଲ ବାଇ ଗଣ୍ଡ ଓ ନାତୁଣୀ ସଗାର ଗଣ୍ଡ ଗୋଟିଏ ବଖରା ଘରେ ବସବାସ କରନ୍ତି । କିଛି ଖଣ୍ଡ କାଠ ଓ ପଲିଥିନରେ ତିଆରି ଘରେ ଉଭୟ ଆଇ ନାତୁଣୀ ମିଶି ରହୁଛନ୍ତି । ଏମାନଙ୍କ ଘର ଦେଖିଲେ କିଭଳି ଦୁର୍ଦ୍ଦଶାରେ ସେମାନଙ୍କ ଦିନ କଟୁଥିବ ତାହା ସହଜେ ଅନୁମେୟ। ସାଧାରଣତଃ ଗୃହପାଳିତ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଘର ମଧ୍ୟ ଉନ୍ନତ ଧରଣର ହୋଇଥାଏ । ଆଇ ଓ ନାତୁଣୀ ରହୁଥିବା ଘରର ଛାତ କହିଲେ ଖଣ୍ଡେ ପଲିଥିନ ଓ କାନ୍ଥ କହିଲେ କାଠ ରୋଳାରେ ତିଆରି । ଘରର ଅବସ୍ଥା ଅତ୍ୟନ୍ତ ଦୟନୀୟ । ସାମାନ୍ୟ ବର୍ଷା ହେଲେ ଘର ଭିତରେ ପାଣି ପଶିଯାଏ । ସନ୍ତସନ୍ତିଆ ଓ ଅପରିତ୍ୟକ୍ତ ପରିବେଶରେ ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି ଆଇ ନାତୁଣୀ । ଘରର ଅବସ୍ଥା ଯେଉଁ ଭଳିଆ ଅଛି ଦିନରେ ମଧ୍ୟ ସାପ, ବିଛା ଆଦି ବିଷାକ୍ତ ଜୀବଜନ୍ତୁ ମଧ୍ୟ ପଶିଯିବାର ଭୟ ରହିଛି । ଆଉ ରାତି କଥା ନ କହିବା ଭଲ । ତେବେ ଏଭଳି ଗରିବ ଅସହାୟ ଖଟିଖିଆ ହିତାଧିକାରୀଙ୍କୁ ଏ ଯାଏଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭଲ ଘରଟିଏ ମିଳି ପାରିନାହିଁ । ବୃଦ୍ଧା ଜଣକ ଭତ୍ତା ପାଉଛନ୍ତି କିନ୍ତୁ ଘର ଟିଏ ପାଇଁ ସତେ ଯେମିତି ପ୍ରଶାସନିକ ଅଧିକାରୀ ଏ ଦିଗରେ ଆଖି ବୁଜି ଦେଇଛନ୍ତି ।ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ସ୍ବାଧୀନତାର ଦୀର୍ଘ ୭୬ ବର୍ଷ ବିତିଯାଇ ଦେଶ, ରାଜ୍ୟ, ସହର ଏବଂ ଗ୍ରାମାଞ୍ଚଳ ଉନ୍ନତି ପଥରେ ଆଗେଇ ଚାଲିଛି । ହେଲେ ଏବେ ବି ଏଭଳି କିଛି ଗାଁ ରହିଛି ଯେଉଁ ଗାଁଗୁଡିକରେ ଲୋକେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ହେଲେ ଦୁଃଖର କଥା ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ମଧ୍ୟ ପଡିପାରୁ ନାହିଁ ଏପରି ଲୋକଙ୍କ ଉପରେ । ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟାଳୟରେ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଏନେଇ ଗରିବ ଅସହାୟ ଆଇ ଓ ନାତୁଣୀ ଦୁଇ ଜଣ ନିରାଶ ହୋଇ ଭଙ୍ଗା ଦଦରା ଘର ଭିତରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ତେବେ ଯଥାଶୀଘ୍ର ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଏମାନଙ୍କୁ ଉପଯୁକ୍ତ ଥଇଥାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ରାଇଘର ରୁ ଦିନେଶ ଗଣ୍ଡାଙ୍କ ରିପୋର୍ଟ ଫୋକସ ପ୍ଲସ