ଠିକାଦାରଙ୍କ ମନମର୍ଜିରେ ଚାଲିଛି ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ ।

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ଚଉଦ ନମ୍ବର ୱାର୍ଡ ସ୍ଥିତ ଉତ୍ତମସିଂ ହାଟିଙ୍ଗ ଅଞ୍ଚଳରେ ଚାଲିଥିବା ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନା କାମରେ ଅନୀୟମିତତା ସହ ଠିକାଦାର ମାନେ ଅଧିକ ଲାଭ ମନବୃତି ରଖି ଅତି ନିମ୍ନମାନର ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି,ଏନେଇ ବଡ଼ବିଲ ପୌରପାଳିକା ତରଫରୁ ଠିକାଦାରଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ପରିଲକ୍ଷିତ ହେଉଛି,ବଡ଼ବିଲ ପୌରପାଳିକା ୱାର୍ଡ ରାସ୍ତା ବର୍ତ୍ତମାନ ଦୁର୍ନୀତିର ଗନ୍ତାଘର ପାଲଟିଛି । ଠିକାଦାର ଯେତେ ନିମ୍ନମାନର କାର୍ଯ୍ୟ କଲେ ସୁଦ୍ଧା ଯାଞ୍ଚ ପାଇଁ ବଡ଼ବିଲ ପୌରପାଳିକା ତରଫରୁ କୌଣସି ଅଧିକାରୀ କାର୍ଯ୍ୟ ସ୍ଥଳକୁ ଯାଉନଥିବା ହେତୁ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ସେଥିପାଇଁ ଠିକାଦାର ମାନେ ନିଜ ଇଚ୍ଛା ମୁତାବକ କାର୍ଯ୍ୟ ଆରମ୍ଭ କରିବା ସହିତ କାର୍ଯ୍ୟ ସମ୍ପୂର୍ଣ ମଧ୍ୟ କରିଦେଉଛନ୍ତି । ପ୍ରାୟ ସମସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ ବିଭାଗୀୟ ଯନ୍ତ୍ରୀ କିମ୍ୱା ସହକାରୀ ଯନ୍ତ୍ରୀ ତ ଦୂରର କଥା, କୌଣସି କର୍ମଚାରୀ ମଧ୍ୟ ଉକ୍ତ ସ୍ଥାନ ଗୁଡ଼ିକରେ ଦେଖିବାକୁ ମିଳୁନାହାନ୍ତି । ଯାହାଫଳରେ ଏହି ରାସ୍ତା ଗୁଡିକର କାମ ଠିକାଦାରଙ୍କ ମନମାନିରେ ହେଉଥିବା ଅଭିଯୋଗର ସତ୍ୟତା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଅଳ୍ପ କିଛି ଦିନ ପୁର୍ବରୁ ବଡ଼ବିଲ ପୌରପାଳିକା ଅଧୀନରେ ଥିବା ଚଉଦ ନମ୍ବର ୱାର୍ଡ ସ୍ଥିତ ଉତ୍ତମସିଂ ହାଟିଙ୍ଗର ଅଙ୍ଗନବାଡ଼ି ପଛ ପଟ ଦେଇ ଯାଇଥିବା ନୂତନ ପକ୍କା ରାସ୍ତା ସହ ଫେଭରବ୍ଲକ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ରାସ୍ତା କାମ ଆରମ୍ଭରୁ ନିମ୍ନମାନର କରାଯାଉଥିବା ବେଳେ ଏହି ନୂତନ ପକ୍କା ରାସ୍ତାର ନିର୍ମାଣ କାର୍ଯ୍ୟରେ ଗୋଡ଼ି, ବାଲି ଓ ସିମେଣ୍ଟର ମିଶ୍ରଣ ଠିକ ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ଏବଂ ରାସ୍ତା ତିଆରି ହେବା ପୁର୍ବରୁ ପଥର ଗୁଣ୍ଡ ପକାଇ ରୋଡ ରୋଲର ଦ୍ବାରା ସମତଳ କରାଇବା ପ୍ରାବଧାନ ୱାର୍କଅର୍ଡରରେ ରହିଥିଲେ ସୁଦ୍ଧା ଠିକାଦାର ମାନେ ଖାଲି ଲୋକ ଦେଖାଣିଆ ପଥର ଗୁଣ୍ଡକୁ ଅଳ୍ପ ଅଳ୍ପ ଛିଞ୍ଚି ଦେଇ ଉପରେ କଂକ୍ରିଟ କରିପକାଉଛନ୍ତି । ଯାହାକି ପଥର ଗୁଣ୍ଡକୁ ରୋଡ ରୋଲର ସାହାର୍ଯ୍ୟରେ ଚପେଇ ସରିଲା ପରେ ତାହାର ଉଚ୍ଚତାର ପରିମାଣ ତିନିରୁ ଚାରି ଇଞ୍ଚ ରହିବା କଥା । ସେହିପରି ସାଇଡ ୱାଲ୍ ଗୁଡ଼ିକ ମଧ୍ୟ ଏକ ଫୁଟ ଲମ୍ବା ରହିବା କଥା ଯାହାକି ଏବେକାର ନୂତନ ରାସ୍ତା ନିର୍ମାଣ କାର୍ଯ୍ୟରେ ଅବହେଳା ହେଉଛି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ଏହାର ସଠିକ୍ ତଦନ୍ତ ପାଇଁ ସ୍ଥାନୀୟ ଲୋକେ ବଡ଼ବିଲ ନଗରପାଳ, ବଡ଼ବିଲ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *