ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

କେନ୍ଦୁଝର: ସରକାରଙ୍କ ସବୁ ପ୍ରକାର ଚେଷ୍ଟା ସତ୍ୱେ ମଧ୍ୟ କେନ୍ଦୁଝର ଜିଲ୍ଲା ଖଣି ଅଞ୍ଚଳରେ ସଡକ ଦୁର୍ଘଟଣା ମୃତ୍ୟୁ ହାର କମିବାର ନା ଧରୁନାହିଁ । ଲୁହାପଥର ବୋଝେଇ ଭାରିଯାନ ଜମଦୁତ ସାଜି ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି । ୫୨୦ନଂ ଜାତୀୟ ରାଜପଥର ଲହଣ୍ଡା ଠାରେ ଥିବା ରେଲୱେ ଅଣ୍ଡରପାସ ନିକଟରେ ତୃଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଏହାକୁ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଠିକ୍ ସେହି ସ୍ଥାନରେ ଆଉ ଏକ ଦୁର୍ଘଟଣା ଘଟି ଦିଲୀପ ନାଏକ (୪୧) ନାମକ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଛି । ମୃତକ ଦିଲୀପ ଟାଟା କମ୍ପାନୀଙ୍କ ଯୋଡା ଇଷ୍ଟ ଲୌହ ଖଣିରେ ଭାରିଯାନ ଚାଳକ ଭାବେ ଜିସି ରାଏ ଏବଂ ସନ୍ସ ନାମକ ଏକ ଠିକା ସଂସ୍ଥା ଅଧିନରେ କାର୍ଯ୍ୟ କରୁଥିଲେ । ସନ୍ଧ୍ୟା ୫ଟା ପରେ ଛୁଟି ହେବା ପରେ ନିଜ ବାଇକ ନଂ. ଓଡି୧୧ ଡବ୍ଲୁ-୦୧୫୭ ଯୋଗେ ସେ ରହୁଥିବା ବିଲେଇପଦା ଘରକୁ ଫେରୁଥିବା ବେଳେ ପଛପଟୁ ଏକ ଲୁହାପଥର ବୋଝେଇ ୧୨ ଚକିଆ ଟ୍ରକ ନଂ. ଓଆର୦୫ଏକ୍ସ-୨୪୨୨ ତାଙ୍କୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ ଗାଡିରୁ ଡେଇଁ ଫେରାର ହୋଇଯାଇଥିବା ବେଳେ ଯୋଡା ପୁଲିସ ଟ୍ରକଟିକୁ ଜବତ କରିଛି । ମୃତକ ଦିଲୀପଙ୍କ ନିଜ ଘର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ଧରି ବିଲେଇପଦାରେ ରହି ଠିକାଦର ଅଧିନରେ କାର୍ଯ୍ୟ କରିଆସୁଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *