୭୮ ବର୍ଷୀୟ ବୃଦ୍ଧ ଦାନ କଲେ ନିଜ ଶରୀର।

କଟକ06/01/24; ସମ୍ପ୍ରତି ଆମ ସମାଜରେ ରକ୍ତ ଦାନ, ପ୍ଲାଜମା ଦାନ, ଚକ୍ଷୁ ଦାନ, କିଡନୀ ଦାନ ବା ଅଙ୍ଗ ଦାନ ପ୍ରତି ଲୋକେ ସଚେତନ ଥିବା ବେଳେ ସମ୍ପୂର୍ଣ୍ଣ ଶରୀର ଦାନ ପ୍ରତି ଏତେଟା ଆଗ୍ରହ ଦେଖାନ୍ତି ନାହିଁ। କିନ୍ତୁ କଟକ ବାଲୁବଜାର ସ୍ଥିତ ‘ଗୁର୍ଜର ଭାରତୀ ଗୁଜୁରାଟୀ ସମାଜ’ ଗତ କିଛି ବର୍ଷ ଧରି ମାନବ ଶରୀର ଦାନ କରାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସୂଚନାଯୋଗ୍ୟ ଯେ ଚିକିତ୍ସା ବିଜ୍ଞାନ ଗବେଷଣା କ୍ଷେତ୍ରରେ ମୃତ ମାନବ ଶରୀର ଅତ୍ୟନ୍ତ ଆବଶ୍ୟକ ଥାଏ, ଯାହାକି ପରବର୍ତୀ ସମୟରେ ଡ଼ାକ୍ତରୀ ଛାତ୍ରମାନଙ୍କ ଅଧ୍ୟୟନ ରେ ସାହାଯ୍ୟ କରେ।ଏଥିପାଇଁ ବିଭିନ୍ନ ମେଡିକାଲ କଲେଜ୍ ରେ ଥିବା ଆନାଟୋମୀ ବିଭାଗରେ ବିଧିବଦ୍ଧ ଭାବେ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରି ପ୍ରକିୟା ପୁରା କରିବାକୁ ପଡ଼ିଥାଏ। ଏହି ପରି ମହାନ୍ କାର୍ଯ୍ୟରେ କଟକ ଗୁର୍ଜର ଗୁଜରାଟୀ ସମାଜର ଅନ୍ୟତମ ବରିଷ୍ଠ ସଭ୍ୟ ୭୮- ବର୍ଷିୟ ଲଳିତ୍ ଭାଇ କାମଦାର ଙ୍କ ମୃତ ଶରୀରକୁ କଟକ ବଡ଼ ମେଡ଼ିକାଲର ଶରୀର ଗଠନ ବିଭାଗକୁ ହସ୍ତାନ୍ତର କରାଯାଇଛି।କାମଦାର ପରିବାର ଲୋକଙ୍କ କହିବାନୁଯାୟୀ ମୃତ୍ୟୁ ପୂର୍ବରୁ ନିଜର ଶରୀର ଦାନ ପାଇଁ ଇଛା ରଖିଥିବା ହେତୁ, ଭୁବନେଶ୍ଵର ନିବାସୀ, ଲଳିତ୍ ଭାଇ କାମଦାରଙ୍କ ଶରୀରକୁ ଦାନ କରିବା ପାଇଁ କଟକ ଗୁଜରାଟୀ ସମାଜ ସହଯୋଗ କରିଥିଲା ଏବଂ ଏଥି ପୂର୍ବରୁ ୫ ଗୋଟି ମୃତ ଶରୀର ଏହି ଗୁଜରାଟୀ ସମାଜ ଦ୍ୱାରା ଦାନ କରା ସରିଛି। ତେବେ SCB ମେଡିକାଲର ଆନାଟୋମୀ ବିଭାଗୀୟ ମୁଖ୍ୟ, ଡାକ୍ତର ସତ୍ୟଶ୍ରୀ ରାୟଙ୍କ ସୂଚନା ମୁତାବକ, ଯଦିଓ ଡାକ୍ତରୀ ପାଠ ଓ ଚିକିତ୍ସା ଗବେଷଣା ପାଇଁ ସମୟେ ସମୟେ ଅନେକ ଅଚିହ୍ନା ମୃତ ଶରୀର। ବିଭାଗକୁ ମିଳେ ତଥାପି ତାହା ପର୍ଯ୍ୟାପ୍ତ ନଥାଏ ତେଣୁ ଡାକ୍ତରୀ ଚିକିତ୍ସା ଓ ଗବେଷଣା ପାଇଁ ଏପରି ମୃତଦେହ ଦାନ ପାଇଁ ସାଧାରଣରେ ଆହୁରି ଅଧିକ ସଚେତନତା ର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ନିକଟରେ SCB ମେଡିକାଲ କଲେଜ୍ ପକ୍ଷରୁ ଏକ ୱେବସାଇଟ ମଧ୍ୟ ଖୋଲା ଯାଇ ଶରୀର ଦାନ ପ୍ରକ୍ରିୟା ର ସବିଶେଷ ତଥ୍ୟ ଦିଆ ଯାଇଛି।ଏହି ମୃତ ଦେହ ଦାନ କରି କାମଦାର ପରିବାର ନିଜକୁ କୃତକୃତ୍ୟ ମନେ କରିଛନ୍ତି।

Leave a Reply

Your email address will not be published. Required fields are marked *