ଚିନ୍ତା ବଢ଼ାଇଲା ସର୍ଭେ ରିପୋର୍ଟ

ବର୍ତ୍ତମାନ ଭାରତ ପାଇଁ ଚିନ୍ତା ବଢ଼ାଇଲା ସର୍ଭେ ରିପୋର୍ଟ | ଭାରତରେ ଏବେ ଧୀରେ ଧୀରେ ବଢୁଛି ମୁଣ୍ଡ ଏବଂ ବେକ କର୍କଟ ରୋଗୀଙ୍କ ସଂଖ୍ୟା । ଯାହା ବର୍ତ୍ତମାନ ଦେଶର ମୋଟ କର୍କଟ ରୋଗୀଙ୍କ ସଂଖ୍ୟାର ପ୍ରାୟ ୨୬ ପ୍ରତିଶତ ବୋଲି ସର୍ଭେରୁ ଜଣାପଡିଛି । ବିଶ୍ବ ମୁଣ୍ଡ ଓ ବେକ କର୍କଟ ଦିବସ ଅବସରେ ମୋଟ ୧୮ଶହ ୬୯ ଜଣ କର୍କଟ ରୋଗୀଙ୍କୁ ନେଇ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏଭଳି ତଥ୍ୟ ଏବେ ସାମନାକୁ ଆସିଛି । ବର୍ତ୍ତମାନ ଯୁବପୀଢି ମାନଙ୍କ ମଧ୍ୟରେ ତମାଖୁ ସେବନର ବହୁମାତ୍ରାରେ ବ୍ୟବହାର ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି । ତେବେ ବ୍ୟାପକ ସଚେତନତା ମାଧ୍ୟମରେ ଏହି ରୋଗକୁ ରୋକିହେବ ବୋଲି ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି । ଭାରତରେ ବର୍ତ୍ତମାନ ପ୍ରାୟ ଦୁଇ ତୃତୀୟାଂଶ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀ ବିଳମ୍ବରେ ଚିହ୍ନଟ ହୋଇଥାନ୍ତି । ତେବେ ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏହା ଆରୋଗ୍ୟ ସାଧ୍ୟ ହୋଇଥାନ୍ତି । ବିଳମ୍ବରେ ଚିହ୍ନଟ ହୋଇଥିବା ରୋଗୀ ମାନେ ସଂଘର୍ଷ କରି ଶେଷରେ ନିଜର ଜୀବନ ହରାଇଥାନ୍ତି | ତେବେ ଆପଣମାନେ ଭାବୁଥିବେ କର୍କଟ ରୋଗ କଣ ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ କର୍କଟ ହେଉଛି ଅନେକ ରୋଗର ଏକ ଗୋଷ୍ଠୀ, ଯାହା ଶରୀରରେ ଥିବା ଯେକୌଣସି ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ। ଟ୍ୟୁମର ବା ନିଓପ୍ଲାଜମରୁ ଆରମ୍ଭ ହୁଏ ଏହି କର୍କଟ ରୋଗ । ଯେତେବେଳେ ମଣିଷ ଶରୀରରେ ସାଧାରଣ କୋଷଗୁଡିକ କର୍କଟ କୋଷରେ ପରିଣତ ହୁଏ ସେତେବେଳେ ଟ୍ୟୁମର ହୁଏ। ଏବଂ ଟ୍ୟୁମରରୁ ଧୀରେ ଧୀରେ କର୍କଟ ରୋଗ ସୃଷ୍ଟି ହୁଏ ଏବଂ ଶରୀରର ବିଭିନ୍ନ ଅଂଶକୁ ଏହା ବ୍ୟାପିଯାଏ । ମସ୍ତିଷ୍କ, ଯକୃତ, ବୃକକ୍, ଫୁସଫୁସ, ସ୍ତନ, ରକ୍ତ ଏବଂ ଶରୀରର ଅନ୍ୟାନ୍ୟ ଅଂଶରେ କର୍କଟ ସୃଷ୍ଟି ହୋଇପାରେ । କର୍କଟ ରୋଗ କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ହୋଇନଥାଏ । ଏହା ଭିନ୍ନ ଭିନ୍ନ କାରଣରୁ ବିଭିନ୍ନ ପ୍ରକାର କର୍କଟ ହୋଇଥାଏ । ସାଧାରଣତଃ ଧୂମପାନ, ମଦ୍ୟପାନ, ମୋଟାପଣ ଏବଂ ଅସୁରକ୍ଷିତ ଯୌନ ସମ୍ପର୍କ ଭଳି କେତେକ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଅଭ୍ୟାସ ଏହି କର୍କଟ ରୋଗର କାରଣ ହୋଇପାରେ। କର୍କଟ ରୋଗ ପାଇଁ ଜେନେଟିକ୍ସ ମଧ୍ୟ ଏକ ପ୍ରମୁଖ କାରଣ। ଯେଉଁମାନଙ୍କର ପରିବାରରେ ପୂର୍ବରୁ କେହି କର୍କଟ ରୋଗରେ ଆକ୍ରାନ୍ତ ଥିବେ ତେବେ ଭବିଷ୍ୟତରେ ପରିବାରରେ ଆଉ କାହାକୁ କର୍କଟ ରୋଗ ହେବାର ସମ୍ଭାବନା ମଧ୍ୟ ଅଛି ।

Leave a Reply

Your email address will not be published. Required fields are marked *