ଅଡୁଆରେ ଏବେ ନୀତିଶ କୁମାର !

ଅଡୁଆରେ ଏବେ ନୀତିଶ କୁମାର। ଗତ କିଛି ମାସ ମଧ୍ୟରେ ନିୟମିତ ବ୍ୟବଧାନରେ ବିହାରରେ ୧୦ଟି ପୋଲ ଭୁଶୁଡ଼ିବା ପରେ ରାଜ୍ୟର ସମସ୍ତ ପୋଲଗୁଡ଼ିକର ଭିତ୍ତିଭୂମି ଅଡିଟ୍ କରିବାକୁ ଆଜି ସୁପ୍ରିମକୋର୍ଟ ବିହାର ସରକାରଙ୍କୁ କହିଛନ୍ତି। ଏହାସହ ସର୍ବୋଚ୍ଚ ନ୍ୟାୟାଳୟ ବିହାର ସରକାରଙ୍କୁ ଏକ ଜନସ୍ୱାର୍ଥ ମାମଲା ଉପରେ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି। ବିହାରରେ ଲଗାତାର ଭୁଶୁଡିପଡିଥିବା ପୋଲଗୁଡ଼ିକର ତଦନ୍ତ ପାଇଁ ଏକ ସୁପ୍ରିମକୋର୍ଟର ଆଇନଜୀବୀ ବ୍ରଜେଶ ସିଂ ଗତ ମାସରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ। ରିପୋର୍ଟ ଅନୁଯାୟୀ, ବ୍ରଜେଶ ସିଂଙ୍କ ଦ୍ୱାରା ଦାଖଲ ହୋଇଥିବା ପିଆଇଏଲ ଶୁଣାଣି ବେଳେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବିହାର ସରକାରଙ୍କୁ ଏହି ନୋଟିସ ପଠାଇଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ଭିତ୍ତିଭୂମି ଅଡିଟ୍ କରିବା ଏବଂ ପୋଲ ଗୁଡିକୁ ଚିହ୍ନଟ କରିବା ପାଇଁ ବିହାର ସରକାରଙ୍କୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଦାବି କରାଯାଇଛି। ଏହି କମିଟିର ଅଡିଟ୍ ଫଳାଫଳକୁ ଭିତ୍ତି କରି ପୋଲ ମରାମତି ହୋଇପାରିବ କି ନାହିଁ ତାହାର ସୂଚନା ପ୍ରଦାନ କରାଯିବ। ଏହାପରେ ପୋଲକୁ ଭଙ୍ଗାଯିବ କି ପୁନର୍ନିର୍ମାଣ କରାଯିବ ତାହା ମଧ୍ୟ ସ୍ଥିର ହେବ। ସିଂ ତାଙ୍କ ଆବେଦନରେ ପ୍ରବଳ ବର୍ଷା ହେବାର ୧୬ ଦିନ ମଧ୍ୟରେ ୧୦ ଟି ପୋଲ ଭୁଶୁଡ଼ିବା ନେଇ ଚିନ୍ତା ପ୍ରକଟ କରିଥିଲେ । ଏହାସହ ସେ ଲେଖିଛନ୍ତି ଯେ ୧୦ ଦିନ ମଧ୍ୟରେ , ମଧୁବାଣୀ, ଆରାରିଆ, ପୂର୍ବ ଚମ୍ପାରଣ ସିୱାନ, ସରାନ ଏବଂ କିଶାନଗଞ୍ଜ ଜିଲ୍ଲାଗୁଡିକରେ ପୋଲ ଭୁଶୁଡି ପଡିଛି।

Leave a Reply

Your email address will not be published. Required fields are marked *