କେରଳରେ ଏବେ ଧୀରେ ଧୀରେ ବୃଦ୍ଧି ପାଇବାରେ ମୃତ୍ୟୁ ସଂଖ୍ୟା। ଆଜି ଓ୍ବାୟନାଡରେ ହୋଇଥିବା ଭୂସ୍ଖଳନ ଯୋଗୁଁ ମୃତ୍ୟୁସଂଖ୍ୟା ବର୍ତ୍ତମାନ ୮୪ରେ ପହଞ୍ଚିଛି । ଏହି ଘଟଣାରେ ୧୧୬ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜାରିରହିଥିବା ବେଳେ ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ଆଜି କେରଳ ୱାୟନାଡର ମେପ୍ପାଡି, ମୁବାଦକ୍କାଇ ଏବଂ ଚୁରାଲ ମାଲା ପାହାଡ଼ରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳ ଘଟିଥିଲା । ଅଧିକାରୀ ମାନଙ୍କ କହିବା ଅନୁସାରେ, ମୁବାଦକ୍କାଇରେ ରାତି ପ୍ରାୟ ୧ଟା ବେଳେ ପ୍ରଥମ ଭୂସ୍ଖଳନ ହୋଇଥିଲା ବେଳେ ପରବର୍ତ୍ତୀ ଭୂସ୍ଖଳନ ଭୋର ୪ଟାରେ ଚୁରାଲ ମାଲାଠାରେ ଘଟିଥିଲା। ସେହି ସମୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଏବେ କ୍ୟାମ୍ପ, ଘର, ସ୍କୁଲ ବସ୍ ସବୁ ରେ କାଦୁଅ ଓ ପାଣି ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଚୁରାଲ ମାଲା ସହରରେ ଏକ ପୋଲ ଭୁଶୁଡ଼ି ପଡ଼ିବାରୁ ସେଠାରେ ୪୦୦ରୁ ଅଧିକ ପରିବାର ଫସି ରହିଛନ୍ତି। ଏବଂ ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ଅନେକ ଘର ଭାସିଯାଇଥିବା ସୂଚନା ମିଳିଛି। ସମଗ୍ର ଅଞ୍ଚଳରେ ଏବେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ କ୍ଷୟକ୍ଷତିର ଆକଳନ ବର୍ତ୍ତମାନ ସୁଦ୍ଧା ହୋଇପାରିନାହିଁ। ଘଟଣାସ୍ଥଳରେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ସହାୟତା ବାହିନୀ ଓ ଅନ୍ୟ ସରକାରୀ ଏଜେନ୍ସିମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଥିବା ବେଳେ ଘଟଣାସ୍ଥଳରେ ସେନା ଓ ନୌସେନା ଯବାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।