“ରଖେ ହରି ତ ମାରେ କିଏ”

କଥାରେ ଅଛି “ରଖେ ହରି ତ ମାରେ କିଏ”। ବର୍ତ୍ତମାନ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ। ବର୍ତ୍ତମାନ ମହାନଦୀରେ ଅକାତ ପାଣି । ପାଣି ଏବେ ଧୀରେ ଧୀରେ କୂଳ ଲଂଘୁଛି। ପ୍ରଖର ପାଣି ସ୍ରୋତର ଘୁଁ ଘୁଁ ଗର୍ଜନ କରୁଛି ମହାନଦୀ। ଏହି ସବୁ ଦୃଶ୍ୟ ଦେଖି ଲୋକମାନଙ୍କ ମନରେ ଛନକା ପଶିବା ଅତ୍ୟନ୍ତ ସ୍ୱାଭାବିକ କଥା। ମାତ୍ର ମହାନଦୀରେ ଖସି ପଡ଼ି ପ୍ରାୟ ୫୦ କିମି ଆସିବା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ମାନସିକ ବିକୃତ ମହିଳା। ମହିଳାଙ୍କ ଗୋଡ଼ରେ ବେଡି ପଡ଼ିଥିଲେ ମଧ୍ୟ ସେ ଛତିଶଗଡ଼ରୁ ଆସି ଓଡ଼ିଶାରେ ଲାଗିଥିବା ବେଳେ ମତ୍ସ୍ୟଜୀବୀ ମାନଙ୍କ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ଝାରସୁଗୁଡ଼ା ପଲସଦାରେ ଘଟିଛି। ମତ୍ସ୍ୟଜୀବୀମାନେ ନଦୀକୁ ମାଛ ମାରିବା ନିମନ୍ତେ ଯାଇଥିବା ବେଳେ ସେଠାରେ ଜଣେ ମହିଳା ଭାସୁଥିବା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ତାଙ୍କୁ ତୁରନ୍ତ କୂଳକୁ ଅଣାଯାଇ ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ଛତିଶଗଡ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ସେହି ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। ତାଙ୍କର ମାନସିକ ଅବସ୍ଥା ଠିକ୍‌ ରହୁ ନଥିବାରୁ ପରିବାର ଲୋକେ ତାଙ୍କ ଗୋଡ଼ରେ ଏକ ବେଡି ପକାଇ ଘରେ ରଖୁଥିଲେ । ମାତ୍ର ଗତକାଲି କୌଣସି ପ୍ରକାରେ ସେ ଘରୁ ଖସି ଆସି ନିକଟସ୍ଥ ମହାନଦୀ ନିକଟକୁ ଚାଲି ଆସିଥିଲେ। ସେଠାରେ ସେ ପାଣିକୁ ଖସି ପଡ଼ିଥିଲେ। ଏବେ ବନ୍ୟା ଜଳ ଯୋଗୁ ମହାନଦୀ ଫୁଲିଥିବା ବେଳେ ପାଣିର ସ୍ରୋତ ବି ବହୁତ ପ୍ରଖର ରହିଛି। ମହିଳାଜଣକ ଗତକାଲିଠାରୁ ପାଣିରେ ପାଦରେ ବେଡି ପଡ଼ିଥିବା ଅବସ୍ଥାରେ ପଡିଯିବା ସହ ଭାସି ଭାସି ଆଜି ସୁରକ୍ଷିତ ଭାବରେ ଝାରସୁଗୁଡ଼ା ପଲସଦାରେ ଲାଗିଥିଲେ। ଚିକିତ୍ସା ପରେ ତାଙ୍କୁ ତୁରନ୍ତ ରେଙ୍ଗାଲି ଥାନାକୁ ନିଆଯାଇଥିଲା। ସେଠାରେ ପୁଲିସ୍‌ ତାଙ୍କୁ ପଚରା ଉଚରା କରିବାପରେ ତାଙ୍କ ଠିକଣା ବୁଝି ଛତିଶଗଡ଼ରେ ଥିବା ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ ଖବର ପାଇ ମହିଳାଙ୍କ ଭାଇ ନିଜ ଭଉଣୀକୁ ନେବା ପାଇଁ ରେଙ୍ଗାଲି ଅଭିମୁଖେ ଆସୁଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *