ରୌପ୍ୟ ଜିତିଲେ ଗୋଲଡେନ ବୟ

ପ୍ୟାରିସ, ୦୯ /୦୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ବଡ ସଫଳତା।ଚଳିତ ଥର ପ୍ରଥମ ରୌପ୍ୟ ପଦକ ଜିତିଛି ଭାରତ । ଆଉ ଏହି ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଭାରତର ଗୋଲଡେନ ବୟ ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ହାସଲ କରିଛନ୍ତି ରୌପ୍ୟ ପଦକ। ୮୯.୪୫ ମିଟର ଜାଭେଲିନ୍ ଥ୍ରୋ କରି ଜିତିଛନ୍ତି ସିଲଭର ମେଡାଲ। ନୀରଜଙ୍କ ମୋଟ ୬ଟି ଥ୍ରୋ ମଧ୍ୟରୁ ୪ଟି ଥ୍ରୋ ଫାଉଲ୍ ହୋଇଥିଲା। ତେବେ ଦ୍ୱିତୀୟ ଥ୍ରୋରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ପଦକ ପାଇଁ ଦାବିଦାର ହୋଇଥିଲେ । ଅନ୍ୟପଟେ ପାକିସ୍ତାନର ଅର୍ସଦ ନଦୀମ୍ ୯୨.୯୭ ମିଟର ଫୋପାଡି ସ୍ୱର୍ଣ୍ଣପଦକ ଜିତିଛନ୍ତି। ବର୍ତ୍ତମାନ ର ମେଡାଲକୁ ମିଶାଇ ଚତୁର୍ଥ ଭାରତୀୟ ଭାବେ ବ୍ୟକ୍ତିଗତ ଦୁଇଟି ଅଲିମ୍ପିକ୍ ମେଡାଲ ଜିତିବାରେ ରେକର୍ଡ କରିଛନ୍ତି ନୀରଜ ଚୋପ୍ରା । ଏହାପୂର୍ବରୁ ସେ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣପଦକ ଜିତିଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୫ଟି ମେଡାଲ ଜିତିସାରିଛି। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ ଜିତିଥିବା ବେଳେ ଆଉ ୩ଟି ବ୍ରୋଞ୍ଜ ମେଡାଲ ଆସିଛି ସୁଟିଂରୁ। ଯେଉଁଥିରୁ ଦୁଇଟି ଜିତିଛନ୍ତି ମନୁ ଭାକର। ସୁଟିଂ ମିକ୍ସଡ ଇଭେଣ୍ଟରେ ମନୁଙ୍କ ସହ ସରବଜୋତ୍ ସିଂଙ୍କୁ ମଧ୍ୟ ମିଳିଛି ବ୍ରୋଞ୍ଜ ପଦକ। ସେହିପରି ହକିରେ ଭାରତୀୟ ଦଳ ସ୍ପେନକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି। ଅଲମ୍ପିକ୍ସରେ ଦେଶ ପାଇଁ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଥିବା ନୀରଜ ଚୋପ୍ରାଙ୍କ ପ୍ରତି ଏବେ ଛୁଟୁଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା ଜଣାଇଛନ୍ତି। ନୀରଜ ଭବିଷ୍ୟତ ପିଢି ପାଇଁ ଜଣେ ଆଦର୍ଶ ହୋଇ ରହିବେ ବୋଲି ମୋଦି କହିଛନ୍ତି।

Leave a Reply

Your email address will not be published. Required fields are marked *