ପ୍ୟାରିସ୍ : ଆଜି ଉଦଯାପିତ ହେବ ବିଶ୍ୱ କ୍ରୀଡା ମହାକୁମ୍ଭ । ଗତ ଜୁଲାଇ ୨୬ରେ ଆରମ୍ଭ ହୋଇଥିଲା ଏହି କ୍ରୀଡା ମହାକୁମ୍ଭ । ପ୍ୟାରିସ ରେ ଆଜି ଅପରାହ୍ନରେ ଉଦଯାପାନୀ ସମାରୋହ ନେଇ ଧୁମଧାମ ଆୟୋଜନ ହୋଇଛି । ଏହି ଉଦଯାପାନୀ ଉତ୍ସବରେ ପଦକ ବିଜେତା ମାନେ ନିଜ ନିଜ ଦେଶର ଜାତୀୟ ପତାକା କୁ ଧରିବେ । ଭାରତ ପକ୍ଷରୁ ଜାତୀୟ ପତାକା ମନୁ ଭାକର ଏବଂ ପି.ଆର ଶ୍ରୀଜେଶ ଧରିବେ । ତେବେ ଦେଖିବାକୁ ଗଲେ ଚଳିତ ଅଲିମ୍ପିକ୍ସରେ ଏଥର ଭାରତର ମୋଟ ୧୧୨ ଜଣ ଖେଳାଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ମାତ୍ର ୬ଟି ପଦକ ଭାରତ ଖାତାକୁ ଆସିଛି । କିନ୍ତୁ ଚଳିତ ଥର ଭାରତ ଗୋଟିଏ ବି ସ୍ବର୍ଣ୍ଣ ପାଇବାରେ ସକ୍ଷମ ହୋଇନାହିଁ । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ସୁଟିଂରୁ ହିଁ ଭାରତ ତା’ର ପ୍ରଥମ ପଦକ ଅଭିଯାନ ଆରମ୍ଭ କରିଥିଲା । ସୁଟିଂରେ ଚଳିତ ଥର ଭାରତ ଲଗାତାର ୩ଟି ପଦକ ଜିତିଛି । ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମନୁ ଭାକର ପ୍ରଥମ ପଦକ ଜିତିଥିଲେ । ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ଭାରତ ପାଇଁ ପ୍ରଥମ ବ୍ରୋଞ୍ଜ୍ ପଦକ ଜିତିଥିଲେ ।
ଏହାପରେ ଏହି ଇଭେଣ୍ଟର ମିକ୍ସଡ୍ ଟିମ୍ ଇଭେଣ୍ଟରେ ପୁଣି ଥରେ ମନୁ ଭାକର ଓ ସରବଜୋତ ସିଂ ଆଉ ଏକ ବ୍ରୋଞ୍ଜ ମେଡାଲ ମଧ୍ୟ ଜିତିଥିଲେ । ଏହାପରେ ସ୍ୱପ୍ନିଲ କୁଶାଲେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହା ସହିତ ଅଲିମ୍ପିକ୍ସରେ ଭାରତକୁ ଚତୁର୍ଥ ପଦକ ବ୍ରୋଞ୍ଜ୍ ହକିରୁ ଆସିଥିଲା । ସେହିପରି ଟୋକିଓରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ଗୋଲଡେନ ବୟ ନୀରଜ ଚୋପ୍ରା ଚଳିତ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାତେଇଛନ୍ତି । ଅନ୍ୟପକ୍ଷରେ କୁସ୍ତିରୁ ମଧ୍ୟ ଚଳିତ ଅଲିମ୍ପିକ୍ସରେ ମଧ୍ୟ ପଦକ ଆସିଛି । ପୁରୁଷ ୫୭ କେଜି ଫ୍ରି ଷ୍ଟାଇଲ କୁସ୍ତି ବର୍ଗରେ ଅମନ ଶେରାୱତ ବ୍ରୋଞ୍ଜ୍ ମେଡାଲ ଜିତିଛନ୍ତି । ଅନ୍ୟପଟେ ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ଭିନେଶ ଫୋଗେଟ୍ ଚମତ୍କାର ପ୍ରଦର୍ଶନ କରିବା ସହିତ ସ୍ଵର୍ଣ ପଦକ ଆଣିବା ପାଇଁ ପକ୍କା କରିଥିଲେ । କିନ୍ତୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ପୂର୍ବରୁ ତାଙ୍କ ଓଜନ ମାତ୍ର ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଥିଲା। ଏହି କାରଣରୁ ଭିନେଶଙ୍କୁ ଅଯୋଗ୍ୟ କରାଯାଇଥିଲା।