ୟୁଟ୍ୟୁବ୍ ର ରେକର୍ଡ ଭାଙ୍ଗିଲେ ରୋନାଲ୍ଡୋ

ନୂଆ ଏକ ରେକର୍ଡ ହାସଲ କରିଛନ୍ତି ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ। ଫୁଟବଲ ଇତିହାସରେ ରୋନାଲ୍ଡୋଙ୍କ ନାମରେ ଅନେକ ରେକର୍ଡ ମଧ୍ୟ ରହିଛି। ଏଥର କ୍ରୀଡା ଜଗତ ନୁହେଁ ବରଂ କ୍ରୀଡା ଜଗତ ବାହାରେ ସୃଷ୍ଟି କରିଛନ୍ତି ନିଜ ନାଁ ରେ ଏକ ବିରଳ ରେକର୍ଡ । ନିକଟରେ ରୋନାଲ୍ଡୋ ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିଛନ୍ତି। ତାଙ୍କର ଏହି ଚ୍ୟାନେଲ ଲଞ୍ଚ ହେବାପରେ ରୋନାଲ୍ଡୋ ୟୁଟ୍ୟୁବ୍ ର ସମସ୍ତ ରେକର୍ଡ କୁ ଭାଙ୍ଗି ଦେଇଛନ୍ତି । ଖୁବ କମ ସମୟରେ ସେ ୧ ମିଲିୟନ୍ ସବସ୍କ୍ରାଇବର ପାଇବା ସହିତ ମାତ୍ର ୯୦ ମିନିଟରେ ୧ ମିଲିୟନ୍ ସବସ୍କ୍ରାଇବର ନିଜ ଚ୍ୟାନେଲରେ ଯୋଡ଼ିଛନ୍ତି । ଚ୍ୟାନେଲ ଲଞ୍ଚ ହେବା ପରେ ସବ୍‌ସ୍କ୍ରାଇବର ସଂଖ୍ୟା ଏବେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଏହି ଚ୍ୟାନେଲରେ ୨୪ ଘଣ୍ଟା ମଧ୍ୟରେ ୧୦ ମିଲିୟନ୍‌ ସବ୍‌ସ୍କ୍ରାଇବର ଯୋଡ଼ି ହୋଇ ସାରିବା ସହିତ ଚ୍ୟାନେଲରେ ଏବେ ୧୪ ମିଲିୟନରୁ ଅଧିକ ସବ୍‌ସ୍କ୍ରାଇବର ଅଛନ୍ତି । ରୋନାଲ୍ଡୋ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଲିଓନେଲ ମେସିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମେସି ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲକୁ ୨୦୦୬ରେ ଲଞ୍ଚ କରିଥିଲେ। ବର୍ତ୍ତମାନ ତାଙ୍କର ଏହି ଚ୍ୟାନେଲରେ ମାତ୍ର ୨.୨୭ ମିଲିୟନ ସବସ୍କ୍ରାଇବର ଅଛନ୍ତି । ସୋସିଆଲ ମିଡିଆରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ବହୁତ ପ୍ରଶଂସକ ଥିବା ବେଳେ ‘ଏକ୍ସ’ରେ ତାଙ୍କର ମୋଟ ୧୧୨.୫ ମିଲିୟନ ଫଲୋଅର୍ସ ରହିଛନ୍ତି । ଏହାଛଡା ଇନଷ୍ଟାଗ୍ରାମରେ ରୋନାଲ୍ଡୋଙ୍କ ଛଡ଼ା ଆଉ କୌଣସି ବ୍ୟକ୍ତିଙ୍କ ଏତେ ଫଲୋଅର୍ସ ନାହାଁନ୍ତି। ବର୍ତ୍ତମାନ ଇନଷ୍ଟାଗ୍ରାମରେ ତାଙ୍କର ୬୩୬ ମିଲିୟନ ଫଲୋଅର୍ସ ଅଛନ୍ତି । ସେହିପରି ଫେସବୁକ୍‌ରେ ୧୭୦ ମିଲିୟନ ଫଲୋଅର୍ସ ଅଛନ୍ତି ।

Leave a Reply

Your email address will not be published. Required fields are marked *