ଆଜି ରବିବାର ଗେଟୱେ ଅଫ୍ ଇଣ୍ଡିଆ ବନ୍ଦ

ମୁମ୍ବାଇ : ପର୍ଯ୍ୟଟନସ୍ଥଳୀ ମୁମ୍ବାଇକୁ ପରିଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଆସିଲା ଏକ ଦୁଃଖଦ ଖବର। ପର୍ଯ୍ୟଟକମାନେ ରବିବାର ଅର୍ଥାତ ଆଜି ଗେଟୱେ ଅଫ୍ ଇଣ୍ଡିଆ ପରିଦର୍ଶନ କରିପାରିବେ ନାହିଁ। ଆଜି ଏହି ଐତିହାସିକ ସ୍ଥାନ ପର୍ଯ୍ୟଟକମାନଙ୍କ ପାଇଁ ଗୋଟିଏ ଦିନ ବନ୍ଦ ରହିଛି। ରବିବାର ପୂର୍ବାହ୍ନ ୧୦ଟାଠାରୁ ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଗେଟୱେ ଅଫ୍ ଇଣ୍ଡିଆ ଖୋଲା ରହିବ ନାହିଁ। ଗେଟୱେ ଅଫ୍ ଇଣ୍ଡିଆ ହେଉଛି ମୁମ୍ବାଇ ପର୍ଯ୍ୟଟନର ସବୁଠାରୁ ଏକ ବଡ ଅଂଶ, ଯେଉଁଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଏକତ୍ରିତ ହୋଇଥାନ୍ତି। ରବିବାର ଦିନ ଛୁଟି ଥିବାରୁ ଏଠାରେ ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଥାଏ।

ମାତ୍ର ଆଜି ମହାବିକାଶ ଅଘାଡି (ଏମଭିଏ)ର ‘ଜୁତେ ମାରୋ’ ଆନ୍ଦୋଳନ ପାଇଁ ଏହାକୁ ବନ୍ଦ କରାଯାଇଛି ବୋଲି ସୂଚନା ମିଳିଛି । କିଛି ଦିନ ପୂର୍ବରୁ ସିନ୍ଧୁଦୁର୍ଗରେ ଥିବା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡିବା କାରଣରୁ ମହାରାଷ୍ଟ୍ରର ରାଜନୀତି ଏବେ ତୀବ୍ର ହୋଇଛି। ଏଥିପାଇଁ ରାଜ୍ୟର ପ୍ରମୁଖ ବିରୋଧୀ ମେଣ୍ଟ ମହାବିକାଶ ଅଘାଡି ଏହି ପ୍ରସଙ୍ଗରେ ରବିବାର ଦିନ ଗେଟୱେ ଅଫ୍ ଇଣ୍ଡିଆ ପର୍ଯ୍ୟନ୍ତ ଆନ୍ଦୋଳନର ଡାକରା ଦେଇଛି। ବିକ୍ଷୋଭ ପ୍ରଦର୍ଶନ କରାଯିବା ସମୟରେ ସେହି ସବୁ ସ୍ଥାନରେ ହିଂସା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସହରରେ ପୋଲିସ ଏବଂ ଅନ୍ୟ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ପର୍ଯ୍ୟଟକଙ୍କ ପାଇଁ ଆଜି ଗୋଟିଏ ଦିନ ବନ୍ଦ ରହିଛି ଗେଟୱେ ଅଫ୍ ଇଣ୍ଡିଆ।

Leave a Reply

Your email address will not be published. Required fields are marked *