ବିଧାୟକଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ : ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଞ୍ଝାରେ ଆଉ ଜଣେ ଆମ ଆଦମୀ ପାର୍ଟିର ବିଧାୟକ। ଓଖଲାର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଦୀର୍ଘ ୫ ଘଣ୍ଟା ଧରି ପଚରାଉଚରା ପରେ ଗିରଫ କରିଛି ଇଡି। ଆଜି ସକାଳ ପ୍ରାୟ ୭ଟାରେ ଇଡିର ଏକ ଟିମ୍ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲା। ତାଙ୍କ ଘରେ ଇଡି ଚଢ଼ାଉ କରିଥିବା ନେଇ ଅମାନତୁଲ୍ଲା ଖାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଅମାନତୁଲ୍ଲା ଏକ୍ସରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ତାଙ୍କୁ ଏବଂ ଆପ୍ ନେତା ମାନଙ୍କୁ ହଇରାଣ କରିବା ପାଇଁ ବିଜେପି ପକ୍ଷରୁ ସମସ୍ତ ପ୍ରୟାସ ହେଉଛି। ମିଥ୍ୟା ମାମଲାରେ ଆମକୁ ଫସାଇବା ସହ ଆମ ଦଳକୁ ଭାଙ୍ଗିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ । ସୂଚନା ଅନୁଯାୟୀ ଆମ୍ ଆଦମୀ ପାର୍ଟିର ବିଧାୟକ ସହ ଅମାନତୁଲ୍ଲା ଦିଲ୍ଲୀ ଓ୍ଵାକଫ ବୋର୍ଡର ମଧ୍ୟ ଅଧ୍ୟକ୍ଷ ଅଛନ୍ତି। ସଭାପତି ଥିବାବେଳେ ସରକାରୀ ଗାଇଡଲାଇନକୁ ଅଣଦେଖା କରି ପ୍ରାୟ ୩୨ ଜଣଙ୍କୁ ଚାକିରି ଦେଇଥିବା ଅଭିଯୋଗରେ ଇଡି ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ନିଯୁକ୍ତି ପାଇଥିବା ସମସ୍ତ ୩୨ ଜଣଙ୍କ ମଧ୍ୟରୁ ୫ ଜଣ ତାଙ୍କ ସମ୍ପର୍କୀୟ ଏବଂ ୨୨ ଜଣ ଓଖଲା ଅଞ୍ଚଳର ଲୋକ ବୋଲି ଜଣାପଡିଛି ଯେଉଁଠାରୁ ଅମାନତୁଲ୍ଲା ଖାନ୍ ବିଧାୟକ ନିର୍ବାଚିତ ହୋଇଛନ୍ତି । ସେଠାରେ ବୋର୍ଡ ପାଣ୍ଠିର ଅପବ୍ୟବହାର ହୋଇଥିବା ମଧ୍ୟ ଏଫଆଇଆରରେ ଦର୍ଶାଯାଇଛି।ଏହାଛଡା ଅମାନତୁଲ୍ଲା ବୋର୍ଡର ଅନେକ ସମ୍ପତ୍ତିକୁ ବେଆଇନ ଭାବରେ ଭଡ଼ାରେ ଦେଇଛନ୍ତି ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *