ଦୁବାଇ : ପୁଣି ଚର୍ଚ୍ଚାରେ ଦୁବାଇର ରାଜକୁମାରୀ ତଥା UAEର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମାକତୁମଙ୍କ ଝିଅ ଶେଖ ମହରା ମୋହମ୍ମଦ ରଶିଦ ଅଲ୍ ମକତୁମ । ନିଜର ଲାଇଫଷ୍ଟାଇଲ ଓ ଫ୍ୟାସନ୍ ପାଇଁ ସେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ଥାଆନ୍ତି। ନିକଟରେ ସେ ତାଙ୍କ ସ୍ୱାମୀ ଶେଖ ମାନା ବିନ୍ ମୋହମ୍ମଦଙ୍କୁ ଇନଷ୍ଟାଗ୍ରାମ୍ରେ ଛାଡପତ୍ର ଦେଇ ନିଜର ଫ୍ୟାନ୍ସ ମାନଙ୍କୁ ତଥା ସମସ୍ତଙ୍କୁ ଚକିତ କରିଥିଲେ । ସୋସିଆଲ୍ ମିଡିଆରେ ଛାଡପତ୍ର ଘୋଷଣା କରିବା ପରେ ଏବେ ସେ ଏକ ନୂଆ ପରଫ୍ୟୁମ ମାର୍କେଟ୍କୁ ଆଣିଛନ୍ତି। ଯାହାକୁ ନେଇ ଏବେ ପୁଣି ଥରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଛାଡପତ୍ରର ଠିକ୍ ମାସକ ପରେ ସେ ଏକ ପରଫ୍ୟୁମ ମାର୍କେଟକୁ ଆଣିଛନ୍ତି। ଯାହାର ନାଁ ରହିଛି ‘ଡିଭୋର୍ସ’। ସେ ନିଜର ଇନଷ୍ଟା ପୋଷ୍ଟରେ ସୋମବାର ଦିନ ଏମ୍-୧ ବ୍ରାଣ୍ଡ ପରଫ୍ୟୁମର ଟିଜରକୁ ରିଲିଜ୍ କରିଛନ୍ତି। ଏହି ଟିଜର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ସେ ଡିଭୋର୍ସ ଶବ୍ଦ ଲେଖାଥିବା ଏକ କଳା ରଂଗର ପରଫ୍ୟୁମ ବୋତଲର ଭିଡିଓ ସେୟାର କରିଛନ୍ତି। ଏଥିରେ ଭଙ୍ଗାଯାଇଥିବା କାଚ, କଳା ରଙ୍ଗର ପାଖୁଡା ଦେଖିବାକୁ ମିଳୁଛି।