ଗଜପତି : ରାଜ୍ୟ ସରକାର ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ଆରମ୍ଭ କରିଥିବା ‘ସୁଭଦ୍ରା’ ଯୋଜନାକୁ ନେଇ ପ୍ରତିଦିନ କିଛି ନା କିଛି ଅଭିଯୋଗ ସାମ୍ନାକୁ ଆସୁଛି। କେଉଁଠି ଫର୍ମ ବଣ୍ଟାକୁ ନେଇ ଅଙ୍ଗନୱାଡି କର୍ମୀଙ୍କ ସହିତ ଗଣ୍ତଗୋଳ ହେଲାଣି ତ ଆଉ କେଉଁଠି ଜନସେବା କେନ୍ଦ୍ରରେ ଅର୍ଥ ଦାବି କରି ମାଲିକ ଗିରଫ ହେଲେଣି। କିନ୍ତୁ ଏବେ ‘ସୁଭଦ୍ରା’ ଯୋଜନାକୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୋବାଇଲ୍ ନ ଥିଲେ ଆଧାର କାର୍ଡ ସହିତ ଫୋନ୍ ନମ୍ବର ସଂଯୋଗ ହୋଇପାରିବନି ଏବଂ ସେ ଏହି ଯୋଜନାର ଲାଭ ପାଇପାରିବେନି ବୋଲି ଜଣେ ଆଦିବାସୀ ଯୁବକଙ୍କୁ କୁହାଯିବାରୁ ଶେଷରେ ସେ ତାଙ୍କ ପତ୍ନୀଙ୍କ ସୁନା ବନ୍ଧା ପକାଇ ସେଥିରେ ଗୋଟିଏ ମୋବାଇଲ୍ କିଣିଛନ୍ତି । ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍ରୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଆଦିବାସୀ ବ୍ୟକ୍ତିଜଣକ ମୋବାଇଲ କିଣି ସାରିବା ପରେ ନୂଆଗଡ଼ ଗାଁର ଏକ ଦୋକାନକୁ ସିମ୍ କିଣିବା ପାଇଁ ଯାଇଥିଲେ। ସେଠାରେ ସେ ଦୋକାନୀ ଜଣଙ୍କୁ ସମ୍ପୂର୍ଣ ଘଟଣା ବିଷୟରେ ଜଣାଇଥିଲେ ଯାହାକୁ ଶୁଣି ଦୋକାନୀ ଜଣଙ୍କ ସ୍ତବ୍ଧ ହୋଇଯାଇଥିଲେ। ଦିନ ମଜୁରିଆ ଭାବରେ କାମ କରି ପରିବାର ପୋଷୁଥିବା ଏହି ବ୍ୟକ୍ତି ଜଣଙ୍କର ଏବେ କାମ ଦାମ କିଛି ନଥିବାରୁ ‘ସୁଭଦ୍ରା’ ଯୋଜନାରେ କିଛି ଲାଭ ପାଇବା ପାଇଁ ଆବେଦନ ପାଇଁ ଯାଇଥିଲେ କିନ୍ତୁ ସେଠାରେ ତାଙ୍କୁ ଏଭଳି କଥା କହିବା ପରେ ଶେଷରେ ଆଉ କିଛି ଉପାୟ ନ ପାଇ ନିଜ ସ୍ତ୍ରୀର ସୁନା ବନ୍ଧା ପକାଇ ସେଥିରେ ଏକ ମୋବାଇଲ ଆଣିଛନ୍ତି।