ନୂଆଦିଲ୍ଲୀ, ୧୬/୦୯: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ଘୋଷଣା ହେଲା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆଜି ଆପ୍ ବିଧାୟକ ଦଳ ବୈଠକରେ ଆତିଶିଙ୍କ ନାଁ ଉପରେ ମୋହର ଲାଗିଛି । ଏହାସହ ଆତିଶୀଙ୍କ ନାଁ ଘୋଷଣା କରିଛନ୍ତି ଅରବିନ୍ଦ କେଜରିୱାଲ । କେଜରିୱାଲଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା ।
ସେପଟେ ଆଜି ଉପରାଜ୍ୟପାଳଙ୍କ ସହ ସାକ୍ଷାତ ପରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଅରବିନ୍ଦ କେଜ୍ରିୱାଲ୍ ଅପରାହ୍ନ ୪.୩୦ରେ ବିଧିବଦ୍ଧ ଭାବରେ ଇସ୍ତଫା ଦେବେ ବୋଲି ଜଣାପଡିଛି। ଗତ ସପ୍ତାହରେ ମଦ ନୀତି ମାମଲାରେ ସୁପ୍ରିମ କୋର୍ଟଙ୍କ ଠାରୁ ଜାମିନ ପାଇଥିବା କେଜ୍ରିୱାଲ ସେପ୍ଟେମ୍ବର ୧୫ ତାରିଖରେ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ସେ ତାଙ୍କର ଇସ୍ତଫା ଘୋଷଣା ସହ ସବୁ କିଛି ଦିଲ୍ଲୀ ଜନସାଧାରଣଙ୍କ ଉପରେ ଛାଡ଼ି ଦେଇଥିଲେ। ଜନସାଧାରଣ ତାଙ୍କୁ ନ୍ୟାୟ ନଦେବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନରେ ଆଉ ବସିବେ ନାହିଁ ବୋଲି କହିଥିଲେ।
ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ଅଚାନକ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହାକୁ ନେଇ ଦଳୀୟ ନେତା ବି ବିସ୍ମିତ। ମୁଖ୍ୟମନ୍ତ୍ରୀ ପଦ ପାଇଁ କେଜ୍ରିୱାଲ ଆଦୌ ଲାଳାୟିତ ନାହାଁନ୍ତି। ପଦ ପଦବୀ ଏବଂ କ୍ଷମତା ଅପେକ୍ଷାରେ ସେ ସାଧାରଣ ଲୋକଙ୍କ ବିଶ୍ବାସ ଓ ଭରସାକୁ ସଦା ସର୍ବଦା ପ୍ରାଥମିକତା ଦେଇଥାଆନ୍ତି। ତେଣୁ ଏବେ ଲୋକଙ୍କ ପାଖରେ ଆହୁରି ନିକଟତର ହେବାର ସମୟ ଆସିଛି। ସେ ଏବେ ଘର ଘର ବୁଲି ଲୋକଙ୍କ ସହ ସମ୍ପର୍କ ରକ୍ଷା କରିବେ ବୋଲି କହିଥିଲେ।