ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁକୁ ନେଇ ଆସିଲା ନୂଆ ଟ୍ଵିଷ୍ଟ

ଭୁବନେଶ୍ୱର, ୧୯/୦୯: ଆଉ ନାହାଁନ୍ତି ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସନା ବାନୋ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଆସିଥିବା ସୂଚନା ମିଳିଛି l ମୃତ୍ୟୁକୁ ନେଇ ପରିବାର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ମୃତ୍ୟୁର କାରଣ ସ୍କ୍ରବ୍‌ ଟାଇଫସ୍‌ ବୋଲି କୁହାଯାଉଛି । ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ମାତ୍ର ସ୍ଲୋ ପଏଜନ୍‌ ଯୋଗୁ ରୁକ୍‌ସନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ ।

ସୂଚାନୁଯାୟୀ, କିଛି ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ରୁକ୍‌ସନା ଅସୁସ୍ଥ ହୋଇ ପଡ଼ିଥିଲେ l ତାଙ୍କୁ ପ୍ରଥମେ ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା l ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିବାରୁ ସେଠାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ସ୍ଥାନାନ୍ତରିତ କରାଯାଇଥିଲା l ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବ ଫଳରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି l

କିନ୍ତୁ, ବର୍ତ୍ତମାନ ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ଘଟଣାରେ ଆସିଛି ଏକ ନୂଆ ଟ୍ୱିଷ୍ଟ। ତାଙ୍କ ମୃତ୍ୟୁ ପୂର୍ବରୁ ଏକ ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ରୁକସନାଙ୍କ ମାଆ । ଏହି ମାମଲାରେ ପଶ୍ଚିମ ଓଡ଼ିଶାର ଜଣେ ବିଶିଷ୍ଟ କଳାକାରଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ରୁକସନାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା କହିଛନ୍ତି ତାଙ୍କ ମାଆ । ବରଗଡ଼ରେ ସୁଟିଂ ହୋଇଥିବା ‘ସମ୍ବଲପୁରିଆ ଫୁଲ’ ଗୀତରେ ରୁକସନା ଅଭିନୟ କରିବା ପରେ ବିବାଦ ଦେଖାଦେଇଥିବା ସେ କହିଛନ୍ତି । ଏପରିକି ଏହି ଗୀତରେ ଅଭିନୟ ପରେ ରୁକସନାଙ୍କୁ ଅନ୍ୟ ସମସ୍ତ ପ୍ରଡକ୍ସନରୁ ଜାଣିଶୁଣି ବାଦ୍ ଦେଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି ।

ସୁଟିଂ ସେଟରେ ରୁକସନା ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ମଧ୍ୟ ଷଡ଼ଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ପରିବାର ପ୍ରତି ବିପଦ ଥିବାରୁ କୌଣସି ଥାନାରେ ଅଭିଯୋଗ କରିନଥିବା ରୁକସନାଙ୍କ ମାଆ କହିଛନ୍ତି । ରୁକସନାଙ୍କ ମୃତ୍ୟୁ ପଛରେ ଅସାମାଜିକ ବ୍ୟକ୍ତିଙ୍କ ହାତ ଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି ।

Leave a Reply

Your email address will not be published. Required fields are marked *