ମନ୍ଦିର ପ୍ରସାଦରେ ବାହାରିଲା ମୂଷା

ମୁମ୍ବାଇ : ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡୁର ପ୍ରସ୍ତୁତି ଏବଂ ଶୁଦ୍ଧତାକୁ ନେଇ ବିବାଦ ଲାଗିରହିଥିବା ବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ର ମୁମ୍ବାଇର ଏକ ପ୍ରସିଦ୍ଧ ମନ୍ଦିରର ସିଦ୍ଧିବିନାୟକର ପ୍ରସାଦ ରୂପେ ଦିଆଯାଉଥିବା ଲଡୁ ପ୍ୟାକେଟରେ ମୂଷାଛୁଆ ମିଳିଥିବା ନେଇ ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ପ୍ରସାଦର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଛି । କିନ୍ତୁ ପ୍ରସାଦ ପ୍ୟାକେଟରେ ମୂଷାଛୁଆ ବାହାରିଥିବା ଅଭିଯୋଗ ଆସିବା ପରେ ଏହାକୁ ଖଣ୍ଡନ କରିଛି ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ।

ଶିବସେନା ନେତା ତଥା ମନ୍ଦିର ଟ୍ରଷ୍ଟର ସଭାପତି ସଦା ସର୍ବଣକର କହିଛନ୍ତି ଯେ ମନ୍ଦିର ପକ୍ଷରୁ ପ୍ରତିଦିନ ଲକ୍ଷ ଲକ୍ଷ ଲଡୁ ବଣ୍ଟା ଯାଉଛି। ଭିଡ଼ିଓରେ ଦେଖାଯାଇଥିବା ସ୍ଥାନ ମନ୍ଦିର କମ୍ପ୍ଲେକ୍ସର ଅଂଶ ନୁହେଁ। ଏହା ମନ୍ଦିରର ଭାବମୂର୍ତ୍ତିକୁ ଖରାପ କରିବାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଏହାସହିତ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି ଏହା କେବଳ ମାତ୍ର ଏକ ଭାଇରାଲ ଭିଡିଓ ଯେଉଁଥିରେ କୌଣସି ପ୍ରକାରର ସତ୍ୟତାନାହିଁ।

ଅନ୍ୟପଟେ ସାମ୍ନାକୁ ଆସିଥିବା ଭିଡିଓରେ ଏକ ନୀଳ ରଙ୍ଗର ଟ୍ରେରେ ରଖାଯାଇଥିବା ଲଡୁର ଛିଣ୍ଡାଯାଇଥିବା ପ୍ୟାକେଟରେ ମୂଷା ଛୁଆ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ନେଇ ଏବେ ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲଡୁକୁ ନେଇ ବିବାଦ ଉପୁଜିବା ପରେ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ।

Leave a Reply

Your email address will not be published. Required fields are marked *