ଆଜିକାଲି ଚାଲିଛି ରିଲ୍ସର ଜମାନା । ସୋସିଆଲ ମିଡିଆରେ ଟିକେ ଫେମସ ହେବା ପାଇଁ ଲୋକେ କେତେ କଣ କରିଦେଉଛନ୍ତି। ଯାହାକୁ ଦେଖିବ ସମସ୍ତେ ଏବେ ରିଲ୍ସ କରିବା ପାଇଁ ବାୟା । ଥାନା ଏବଂ ଡାକ୍ତରଖାନାରେ ମଧ୍ୟ ରିଲ୍ସ କରୁଛନ୍ତି ଲୋକେ। ବର୍ତ୍ତମାନ ଏହି ରିଲ୍ସକୁ ନେଇ ରାଜନୀତି ସରଗରମ ହୋଇଛି। ଗୋଟିଏ ରିଲ୍ସ ପାଇଁ ରାଜନୈତିକ ମହଲରେ ନିଆଁ ଲାଗିସାରିଲାଣି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ରିଲ୍ସ ପାଇଁ ରାଜସ୍ଥାନ ରାଜନୀତି ଉଠୁଛି ପଡ଼ୁଛି । କାରଣ ସେହି ରିଲ୍ସରେ ଅଛନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱାଙ୍କ ପୁଅ । ଆଉ ସିଏ ରିଲ୍ସ କରିବା ବେଳେ ତାଙ୍କୁ ସୁରକ୍ଷା ଦେଉଛନ୍ତି ସରକାରୀ ପୋଲିସ ଅଫିସର । ଭିଡିଓରେ ପ୍ରେମ୍ଚାନ୍ଦଙ୍କ ପୁଅ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲିବା ସହ ନିଜ ଏଣ୍ଟରଟେନ୍ମେଣ୍ଟ ପାଇଁ ରିଲ୍ସ କରୁଛନ୍ତି। ଆଉ ଏହି ସମୟରେ ତାଙ୍କୁ ଏସ୍କର୍ଟ କରି ଯାଉଛି ସରକାରୀ ସୁରକ୍ଷା ବାହିନୀ । ଯେଉଁଥିରେ ନାଲିବତୀ ମଧ୍ୟ ଲାଗିଛି । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଏହାକୁ ସାଧାରଣରେ ନିନ୍ଦା କରାଯାଇଥିଲେ ମଧ୍ୟ ଖୋଦ୍ ଉପମୁଖ୍ୟମନ୍ତ୍ରୀ ଏହା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଆଉ କହିଛନ୍ତି ମୋ ପୁଅ କୌଣସି ଭୁଲ୍ କରି ନାହିଁ । ସେ ନିଜ ସ୍କୁଲ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଛି । ମୋ ପୁଅ ଏବେ ନୂଆ କରି ବିଳାସପୂର୍ଣ୍ଣ ଗାଡ଼ି ଚଢ଼ୁନାହିଁ, ବରଂ ସେ ପିଲା ଦିନୁ ଏଭଳି ଗାଡ଼ିରେ ବୁଲୁଛି । ଯେତେବେଳେ କି ମୁଁ ସେ ସମୟରେ ଉପମୁଖ୍ୟମନ୍ତ୍ରୀ ନଥିଲି । ଅନ୍ୟପଟେ ବିରୋଧୀ ଏହାକୁ ସମାଲୋଚନା କରିବା ସହ, ଏହା କ୍ଷମତାର ଦୂରୁପଯୋଗ ବୋଲି କହିଛନ୍ତି ।