ଦାଦାଙ୍କୁ ମିଳିବ ଦାଦାସାହେବ ଫାଲ୍‌‌କେ ପୁରସ୍କାର

ନୂଆଦିଲ୍ଲୀ : ଘୋଷଣା ହେଲା ଚଳିତ ବର୍ଷର ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍‌‌କେ ପୁରସ୍କାର। ଏହି ସମ୍ମାନରେ ସମ୍ମାନିତ ହେବେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ୭୪ ବର୍ଷୀୟ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲ୍‌‌କେ ପୁରସ୍କାର ଦିଆଯିବା ନେଇ ଆଜି ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବ । ଭାରତୀୟ ସିନେମାକୁ ତାଙ୍କର ବଳିଷ୍ଠ ଅବଦାନ ନିମିତ୍ତ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ଆସନ୍ତା ଅକ୍ଟୋବର ୮ ତାରିଖରେ ୭୦ତମ ଜାତୀୟ ସିନେମା ପୁରସ୍କାର ପ୍ରଦାନ ଉତ୍ସବରେ ମିଥୁନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ୧୯୭୬ ମସିହାରେ ମୃଣାଳ ସେନ୍‌ଙ୍କ ‘ମୃଗୟା’ ଚଳଚ୍ଚିତ୍ରରୁ ମିଥୁନ ତାଙ୍କ ସିନେମା ଯାତ୍ରା ଆରମ୍ଭ କରିଥିଲେ | ଏହି ସିନେମା ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ପ୍ରଥମ ଥର ଜାତୀୟ ସିନେମା ପୁରସ୍କାର ପାଇଥିଲେ। ଏହାସହିତ ସେ ୩ଟି ଜାତୀୟ ସିନେମା ପୁରସ୍କାର ସହ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ ମଧ୍ୟ ପାଇଛନ୍ତି। ୧୯୮୨ ମସିହାରେ ଡିସ୍‌କୋ ଡ୍ୟାନ୍ସର ପାଇଁ ସେ ଦେଶରେ ବିଶେଷ ଲୋକପ୍ରିୟତା ପାଇଥିଲେ। ହିନ୍ଦୀ ସମେତ ବଙ୍ଗଳା, ଭୋଜପୁରୀ, ଓଡ଼ିଆ, ତେ‌ଲୁଗୁ ଓ ତାମିଲ ଆଦି ଭାଷାରେ ୩୫୦ରୁ ଅଧିକ ସିନେମାରେ ସେ ଅଭିନୟ କରିଛନ୍ତି। ବିଭିନ୍ନ ଚରିତ୍ରରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ । ଡିସ୍କୋ ଡ୍ୟାନ୍ସର, ଅଗ୍ନିପଥ, ମୁ‌ଝେ ଇନସାଫ ଚାହିୟେ, ହମ୍‌ ସେ ହୈ ଜମାନା, ପସନ୍ଦ ଅପ୍‌ନି ଅପ୍‌ନି, ଘର୍‌ ଏକ୍‌ ମନ୍ଦିର, କସମ୍‌ ପୈଦା କର୍‌ନେ ୱାଲେ କି ଆଦି ଚର୍ଚ୍ଚିତ ସିନେମାରେ ସେ ଅଭିନୟ କରିଛନ୍ତି। ନିକଟରେ ‘ଓ ମାଇଁ ଗଡ୍‌’ ସିନେମାରେ ତାଙ୍କୁ ଦେଖିବାକୁ ମିଳିଥିଲା। । ଦାଦାସାହେବ ଫାଲ୍‌‌କେ ପୁରସ୍କାର ପାଉଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *