କଏଦୀ ଖାଇବେ ମଟନ୍ , ଚିକେନ ବିରିୟାନୀ

କୋଲକାତା : ଜେଲରେ କଏଦୀ ମାନେ ଖାଇବେ ମଟନ୍ ବିରିୟାନୀ, ଚିକେନ ତରକାରୀ। ପ୍ରସ୍ତୁତ କରାଗଲା ସ୍ୱତନ୍ତ୍ର ମେନୁ । ଜେଲରେ ଥାଇ ମଧ୍ୟ କଏଦୀ ମାନଙ୍କୁ ଖାଇବାକୁ ମିଳିବ ସୁସ୍ୱାଦୁ ଖାଦ୍ୟ । ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଗାଁ ରୁ ସହର। ଦୁର୍ଗାପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା କୋଲକାତାରେ କଏଦୀଙ୍କୁ ମିଳିଛି ଦୁର୍ଗାପୂଜା ଭେଟି । ପଶ୍ଚିମବଙ୍ଗର ଜେଲରେ ଥିବା କଏଦୀଙ୍କ ପାଇଁ ଦୁର୍ଗାପୂଜା ସ୍ପେଶାଲ ମେନ୍ୟୁ ପ୍ରସ୍ତୁତ କରାଯାଇଛି । ଏଥିରେ କଏଦୀଙ୍କୁ ମଟନ୍ ବିରିୟାନୀ, ଚିକେନ ତରକାରୀ ସହ ଅନ୍ୟାନ୍ୟ ବଙ୍ଗୀୟ ପାରମ୍ପରିକ ଖାଦ୍ୟ ପରଷାଯିବ । ଅକ୍ଟୋବର ୯ ତାରିଖ ସପ୍ତମୀ ପୂଜାରୁ ନେଇ ଅକ୍ଟୋବର ୧୨ ଦଶମୀ ଯାଏଁ କଏଦୀ ଖାଇବେ ଏପରି ସୁସ୍ୱାଦୁ ଖାଦ୍ୟ । ପଶ୍ଚିମବଙ୍ଗର ସଂଶୋଧନ ଗୃହ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ପ୍ରତ୍ୟେକ ପର୍ବରେ କଏଦୀମାନେ ଭଲ ଖାଦ୍ୟ ପାଇଁ ଅନୁରୋଧ କରିଥାନ୍ତି । ତେଣୁ ଚଳିତ ବର୍ଷ ତାଙ୍କ ପାଇଁ ନୂଆ ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜଣେ ଅଧିକାରୀ । କଏଦୀଙ୍କୁ ସୁଧାରିବା ପାଇଁ ଏହା ଏକ ସକରାତ୍ମକ ପଦକ୍ଷେପ ବୋଲି ସେ କହିଛନ୍ତି । ଉଭୟ ମଧ୍ୟାହ୍ନ ଏବଂ ରାତ୍ର ଭୋଜନରେ ସେମାନଙ୍କ ପାଇଁ ମଟନ୍ ବିରିୟାନୀ, ଚିକେନ ତରକାରୀ, ଚୁଙ୍ଗୁଡି ତରକାରୀ, ପୁରୀ, ଚଣା ତରକାରୀ, ଖିରି ସମେତ ଅନ୍ୟାନ ବେଙ୍ଗଲର ପ୍ରସିଦ୍ଧ ଖାଦ୍ୟ ପ୍ରସ୍ତୁତ କରାଯିବ । କୌଣସି କଏଦୀଙ୍କ ଧାର୍ମିକ ଭାବାବେଗ ଯେପରି ଆଘାତ ନ ପାଇବ ସେଥିପ୍ରତି ମଧ୍ୟ ଦୃଷ୍ଟି ରଖାଯାଇଛି । ସେଥିପାଇଁ ସମସ୍ତଙ୍କୁ ଆମିଷ ଖାଦ୍ୟ ଦିଆଯିବ ନାହିଁ । ଯେଉଁମାନେ ଚାହିଁବେ ନିଜ ପସନ୍ଦର ନିରାମିଷ ଖାଦ୍ୟ ମଧ୍ୟ ଖାଇପାରିବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *