ଆସିଲା ସିବିଏସ୍‌ଇର ନୂଆ ଗାଇଡ୍‌ଲାଇନ୍‌

cbse exam : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ୨୦୨୫ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁଯାୟୀ, ଶ୍ରେଣୀଗୃହରେ ଛାତ୍ରୀଛାତ୍ରଙ୍କ ୭୫ ପ୍ରତିଶତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି। ଏହାଠାରୁ କମ୍‌ ପ୍ରତିଶତ ଉପସ୍ଥାନ ଥିଲେ ଶିକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚତ୍ତ ହେବେ। ତେବେ ମେଡିକାଲ ଭଳି ଜରୁରୀ ପରିସ୍ଥିତି କିମ୍ବା ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଉଥିଲେ ଛାତ୍ରୀଛାତ୍ରଙ୍କ ୨୫ ପ୍ରତିଶତ ଉପସ୍ଥାନକୁ ଛାଡ଼ କରାଯିବ। କିନ୍ତୁ ଏଥିପାଇଁ ଶିକ୍ଷାର୍ଥୀଙ୍କୁ ବୈଧ କାଗଜପତ୍ର ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ସିବିଏସ୍‌ଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ଆସନ୍ତା ଫେବୃଆରୀରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ସିବିଏସ୍‌ଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶେଷକରି ସିବିଏସ୍‌ଇ ଛାତ୍ରୀଛାତ୍ରଙ୍କ ସାମୂହିକ ବିକାଶ ପାଇଁ ଉପସ୍ଥାନକୁ ଅଧିକ ଗୁରୁତ୍ୱ ଦେଇଛି। ସିବିଏସ୍‌ଇ ଉଲ୍ଲେଖ କରିଛି ଯେ, ସ୍କୁଲ କେବଳ ପାଠପଢ଼ା କେନ୍ଦ୍ର ନୁହେଁ, ଏହା ଶିକ୍ଷାର୍ଥୀର ବୌଦ୍ଧିକ, ଶାରୀରିକ ଓ ମାନସିକ ବିକାଶ କରିଥାଏ। ସ୍କୁଲରେ ଶିକ୍ଷାର୍ଥୀର ଚରିତ୍ର ଗଠନ, ସାଥୀ ଶିକ୍ଷା, ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି, ଗୋଷ୍ଠୀ କାର୍ଯ୍ୟ, ସହଯୋଗିତା, ବିବିଧତା ବିକାଶ ହୋଇଥାଏ। ନିୟମିତ ଭାବେ ସ୍କୁଲ ଆସିଲେ ଶିକ୍ଷାର୍ଥୀର ସାମଗ୍ରିକ ବିକାଶ ହେବ ବୋଲି ସିବିଏସ୍‌ଇ କହିଛି।
ଏ ପ୍ରସଙ୍ଗରେ ଓଡ଼ିଶା ଅଭିଭାବକ ମହାସଂଘ କହିଛି, ସିବିଏସ୍‌ଇ କର୍ତ୍ତୃପକ୍ଷ ସବୁ ସ୍କୁଲକୁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ବୋଲି ଏକ ନିର୍ଦ୍ଦେଶନାମା ଜାରିକରି ପ୍ରତିବର୍ଷ ଭଳି ସଚେତନ କରାଇଛନ୍ତି। ଏହି ନିୟମ ପୂର୍ବରୁ ରହିଛି। ଏହା ଏବର୍ଷ ପାଇଁ ଏକ ତାଗିଦ। ପ୍ରକୃତରେ ଦିନକୁ ଦିନ ବେସରକାରୀ ସ୍କୁଲରେ ପିଲାଙ୍କ ଉପସ୍ଥାନ ଉପରେ ବିଶେଷ ଜାଲିଆତି ହେଉଛି। ସ୍କୁଲ ସମୟରେ ଦିନବେଳା ହଜାର ହଜାର ପିଲା କୋଚିଂ ସେଣ୍ଟର ଯାଉଛନ୍ତି। କେବଳ ନାମକୁ ମାତ୍ର ଡମି ସ୍କୁଲରେ ଆଡ଼ମିଶନ କରି ଘରୋଇ ହଷ୍ଟେଲରେ ରହି କୋଚିଂ ସେଣ୍ଟରରେ ପଢୁଛନ୍ତି। ନିଟ୍‌ ଓ ଜେଇଇ ଆଦି ପରୀକ୍ଷାରେ ଖୁବ୍‌ କମ୍‌ ପିଲା ସଫଳ ହେଉଥିଲେ ମଧ୍ୟ ଅଭିଭାବକଙ୍କୁ ସୁନେଲି ସ୍ବପ୍ନ ଦେଖାଇ ବେଆଇନ ଡମି ସ୍କୁଲ ଓ କୋଚିଂ ସେଣ୍ଟର ଲୁଟି ଚାଲିଛନ୍ତି। ପିଲାମାନେ ଯଦି ସ୍କୁଲ ସମୟରେ କୋଚିଂ କ୍ଲାସ୍‌ କରୁଛନ୍ତି, ତେବେ ସେମାନଙ୍କ ଉପସ୍ଥାନ କିଏ ପକାଉଛି ଏବଂ ସେମାନେ କେଉଁ ସ୍କୁଲରେ ନାମ ଲେଖାଇ ଏଠାରେ ଆସି କୋଚିଂ କ୍ଲାସ କରୁଛନ୍ତି। ତେଣୁ ଗଣଶିକ୍ଷା ବିଭାଗ ଓ ସିବିଏସ୍‌ଇ କର୍ତ୍ତୃପକ୍ଷ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ସବୁ ସ୍କୁଲର ପିଲାଙ୍କ ବାୟୋ ମେଟ୍ରିକ ଉପସ୍ଥାନର ଦୈନିକ ତଥ୍ୟ ଲକିଙ୍ଗ୍‌ ସିଷ୍ଟମର ଡାଟା ବେଶ୍‌ ଉଭୟ ଗଣଶିକ୍ଷା ବିଭାଗ ଓ ସିବିଏସ୍‌ଇର ମନିଟରିଙ୍ଗରେ ରହିଲେ ସବୁ ସତ ସାମ୍ନାକୁ ଆସିବ ବୋଲି ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି।

Leave a Reply

Your email address will not be published. Required fields are marked *