ରୁବ୍‌ଲେଭ୍‌ ବିଦା: ଚତୁର୍ଥ ରାଉଣ୍ଡରେ ମେଦ୍‌ଭେଦେଭ୍‌ ଓ ସାବାଲେଙ୍କା

ମେଲ୍‌ବର୍ଣ୍ଣ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ଶନିବାର ଷଷ୍ଠ ଦିବସରେ ବିଶ୍ବ ମାନ୍ୟତାର ଦ୍ବିତୀୟ ଡାନିଲ ମେଦ୍‌ଭେଦେଭ୍‌ ପୁରୁଷ ଏକକ ଏବଂ ସିମୋନା ହାଲେପ ମହିଳା ଏକକ ବର୍ଗ ଚତୁର୍ଥ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଛନ୍ତି। ହେଲେ ପଞ୍ଚମ ମାନ୍ୟତାପ୍ରାପ୍ତ ରୁଷିଆ ତାରକା ଆନ୍ଦ୍ରେ ରୁବ୍‌ଲେଭ୍‌ ଏହି ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି। ତାଙ୍କୁ କ୍ରୋଏସିଆର ମାରିନ୍‌ ସିଲିକ୍‌ ୭-୫, ୭-୬, ୩-୬, ୬-୩ ସେଟ୍‌ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ତୃତୀୟ ରାଉଣ୍ଡ୍‌ରେ ରୁଷିଆ ତାରକା ମେଦ୍‌ଭେଦେଭ୍‌ ସିଧାସଳଖ ୬-୪, ୬-୪ ଓ ୬-୨ ସେଟ୍‌ରେ ନେଦରଲାଣ୍ଡ୍‌ର ବୋଟିକ୍‌ ଭାନ୍‌ ଡି ଜାଣ୍ଡ୍‌ଶ୍ଚୁଲ୍‌ପଙ୍କୁ ପରାସ୍ତ କରି କ୍ରମାଗତ ଦ୍ବିତୀୟ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଦିଗରେ ପାଦ ବଢ଼ାଇଛନ୍ତି। ମେଦ୍‌ଭେଦେଭ୍‌ ଗତବର୍ଷର ୟୁଏସ୍‌ ଓପନ୍‌ ବିଜେତା ହୋଇଥିଲା ବେଳେ ୨୦୨୧ରେ ଏଠାରେ ଫାଇନାଲ୍‌ ଖେଳିଥିଲେ। ଶନିବାରର ଅନ୍ୟ ଏକ ମୁକାବିଲାରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଷ୍ଟିଫାନୋସ୍‌ ସିସିପାସ୍‌ ୬-୩, ୭-୫, ୬-୭ ଓ ୬-୪ ସେଟ୍‌ରେ ବେନୋଇଟ୍‌ ପାଇରେଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡ୍‌ରେ ପହଞ୍ଚି ଯାଇଛନ୍ତି। ଏକାଦଶ ମାନ୍ୟତା ଜନ୍‌ ଇଜ୍‌ନର ମଧ୍ୟ ତୃତୀୟ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି।

ମହିଳା ଏକକରେ ବିଶ୍ବ ମାନ୍ୟତାର ଦ୍ବିତୀୟ ଆରୢାନା ସାବ‌ାଲେଙ୍କା ପ୍ରଥମ ସେଟ୍‌ ହାରିବା ସତ୍ତ୍ବେ ୪-୬, ୬-୩ ଓ ୬-୧ରେ ବେଲାରୁଷର ମର୍କେଟା ବନ୍ଦ୍ରୋତ୍ସୋଭାଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡ୍‌ରେ ପହଞ୍ଚି ଯାଇଥିଲା ବେଳେ ଚତୁର୍ଦଶ ମାନ୍ୟତାପ୍ରାପ୍ତ ରୋମାନିଆ ଲଳନା ହାଲେପ୍‌ ୬-୨ ଓ ୬-୧ ସେଟ୍‌ରେ ମଣ୍ଟେନୋଗ୍ରୋର ଡାଙ୍କା କୋଭିନିକ୍‌ଙ୍କୁ ପରାସ୍ତ କରି ଏହି ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିଛନ୍ତି। ସେମାନଙ୍କ ବ୍ୟତୀତ ବିଶ୍ବ ମାନ୍ୟତାର ଏକାଦଶ ଆଲିଜୋ କୋର୍ନେଟ୍‌ ତୃତୀୟ ରାଉଣ୍ଡରେ ବିଜୟ ହାସଲ କରି ଶନିବାର ନିଜର ୩୨ତମ ଜନ୍ମଦିବସକୁ ସ୍ମରଣୀୟ କରିଛନ୍ତି। ଏହି ଫ୍ରାନ୍‌ସ ମହିଳା ୪-୬, ୬-୪ ଓ ୬-୨ ସେଟ୍‌ରେ ସ୍ଲୋଭେନିଆର ୨୯ତମ ମାନ୍ୟତାପ୍ରାପ୍ତ ତାମରା ଜିଦାନ୍‌ସେକ୍‌ଙ୍କୁ ପରାସ୍ତ କରି ୧୩ ବର୍ଷ ପରେ ମେଲ୍‌ବର୍ଣ୍ଣ ପାର୍କରେ ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ଆଉ ଗୋଟିଏ ବିଜୟ ହାସଲ କଲେ କୋର୍ନେଟ୍‌ ପ୍ରଥମ ଥର ଲାଗି ଗ୍ରାଣ୍ଡ୍‌ସ୍ଲାମ୍‌ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିବାର ସୌଭାଗ୍ୟ ଲାଭ କରିବେ। ଏଥି ସହିତ ସେ ମଧ୍ୟ ଏକାଧିକ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜୟିନୀ ହାଲେପ୍‌ଙ୍କୁ ଅତିକ୍ରମ କରିଯିବେ। ସାବ‌ାଲେଙ୍କା, ହାଲେପ ଓ କୋର୍ନେଟ୍‌ଙ୍କ ବ୍ୟତୀତ ପୋଲାଣ୍ଡ୍‌ର ପୂର୍ବତନ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ଈଗା ସ୍ବିତେକ୍‌ ଆଧିପତ୍ୟ ଜାହିର କରି ଚତୁର୍ଥ ରାଉଣ୍ଡ୍‌ ସ୍ଥାନ ପକ୍କା କରିଛନ୍ତି। ସେ ଶନିବାର ରୁଷିଆର ଦାରିଆ କାସାତ୍‌କିନାଙ୍କୁ ୬-୨, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

ମିଶ୍ରିତ ଯୁଗଳ ପ୍ରଥମ ରାଉଣ୍ଡ୍‌ରେ ହାରିଲେ ବୋପାନ୍ନା
ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଯୁଗଳ ପ୍ରଥମ ରାଉଣ୍ଡ୍‌ରୁ ହାରିଯାଇଥିବା ଭାରତୀୟ ତାରକା ରୋହନ ବୋପାନ୍ନା ଶନିବାର ମିଶ୍ରିତ ଯୁଗଳ ପ୍ରଥମ ରାଉଣ୍ଡ୍‌ ମଧ୍ୟ ହାରିଯାଇଛନ୍ତି। କ୍ରୋଏସିଆର ଦାରିଜା ଜୁରାକ୍‌ ସ୍ରେଇବରଙ୍କୁ ସାଥୀ କରି ‌ଖେଳିଥିବା ବୋପାନ୍ନା ୟୁକ୍ରେନ୍‌-କାଜା‌ଖସ୍ତାନ ପ୍ରତିଦ୍ବନ୍ଦ୍ବୀ ଲ୍ୟୁଦ୍‌ମିଲା କିଚେନୋକ୍‌-ଆନ୍ଦ୍ରେ ଗୋଲୁବେଭ୍‌ ଯୋଡ଼ି ବିପକ୍ଷରେ ପ୍ରଥମ ସେଟ୍‌କୁ ୬-୧ରେ ଜିତି ନେଇଥିଲେ। ହେଲେ ଦ୍ବିତୀୟ ସେଟ୍‌କୁ ୪-୬ରେ ହାରିଯିବା ପରେ ନିର୍ଣ୍ଣାୟକ ତୃତୀୟ ସେଟ୍‌ରେ ପ୍ରବଳ ଲଢ଼ିଥିଲେ। କିନ୍ତୁ ୯-୧୧ରେ ହାର୍‌ ମାନି ପ୍ରତିଯୋଗିତାରୁ ବିଦାୟ ନେଇଥିଲେ।

Leave a Reply

Your email address will not be published. Required fields are marked *