ରାସ୍ତା କାମରେ ଅନିୟମିତତା ଅଭିଯୋଗ

ତାଳଚେର : ପ୍ରଶାସନ ଓ ଠିକାଦାର ମଧୁଚନ୍ଦ୍ରିକାରେ ରାସ୍ତା କାମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।ଜିଲ୍ଲା ଖଣିଜ ପାଣ୍ଠିରୁ କେନାଲ ରାସ୍ତାର ପୁନରୁଦ୍ଧାର ପାଇଁ ପ୍ରାୟ ୧୪ କୋଟି ଟଙ୍କା ଟେଣ୍ଡର ହୋଇ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଥିଲା ବେଳେ ଏହା ସମ୍ପୂର୍ଣ୍ଣ ନିମ୍ନମାନର ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଅନୁଗୋଳ ଅଞ୍ଚଳର ଜଣେ ଠିକାଦାର ଧରମପୁର ଠାରୁ ବନ୍ତୋଲ ପର୍ଯ୍ୟନ୍ତ ଏହି କେନାଲ୍ ରାସ୍ତାର ନିର୍ମାଣ କାର୍ଯ୍ୟ କରୁଛନ୍ତି । ଏହି କେନାଲ୍ ରାସ୍ତା କାର୍ଯ୍ୟକୁ ଜଳସମ୍ପଦ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ତଦାରଖ କରୁଛନ୍ତି । ତେବେ ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗର ଯନ୍ତ୍ରୀ କାଁ ଭାଁ ଆସି ରାସ୍ତା ନିର୍ମାଣ କାର୍ଯ୍ୟର ସଠିକ୍ ତଦାରଖ ନକରି ଫେରି ଯାଉଥିବା ଜଣାପଡ଼ିଛି । ଯନ୍ତ୍ରୀଙ୍କର ଏଭଳି କାର୍ଯ୍ୟର ରହସ୍ୟ କ’ଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାର କଣକ ନିଜ କମ୍ପାନୀର ଯନ୍ତ୍ରୀ ଓ ମ୍ୟାନେଜରଙ୍କୁ ଲଗାଇ ନିଜ ଇଚ୍ଛାରେ ଚିପ୍‌ସ, କ୍ରସରଗୁଣ୍ଡ, ବାଲି ଫିଲିଂ ଓ ସ୍ୱଚ୍ଛ ପରିମାଣର ପିଚୁ ମିଶାଇ ରାସ୍ତା କାମ କରୁଥିବା ଅଭିଯୋଗ ହେଉଛି । ରାସ୍ତା ପାର୍ଶ୍ୱରେ ମୋରମ ବଦଳରେ ମାଟି ଭର୍ତ୍ତି କରାଯାଉଛି । ଫଳରେ ରାସ୍ତାର ସ୍ଥାୟୀତ୍ୱ ନେଇ ଅଞ୍ଚଳବାସୀଙ୍କ ମନରେ ନାନା ଆଶଙ୍କା ସୃଷ୍ଟି ହୋଇଛି । କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଯାଉଥିଲା ବେଳେ ଏହି କାର୍ଯ୍ୟକୁ ସରକାରୀ ବିଭାଗୀୟ ଅଧିକାରୀମାନେ ଉପଯୁକ୍ତ ତଦାରଖ ନକରିବାର ଉଦ୍ଦେଶ୍ୟ କ’ଣ ବୋଲି ନାନା କଥା ଶୁଣିବାକୁ ମିଳୁଛି । ତୁରନ୍ତ ଏଥ୍ୟପ୍ରତି ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଦୃଷ୍ଟି ଦେବା ସହିତ ରାସ୍ତାର ନିର୍ମାଣ କାର୍ଯ୍ୟକୁ ସଠିକ୍ ଢ଼ଙ୍ଗରେ କରାଯିବାକୁ ଦାବି ହୋଇଛି ।ସରକାରଙ୍କ ଅନେକ ଯୋଜନା ସାଧାରଣ ଲୋକଙ୍କ ପାଇଁ । ଆଉ ଏହି ସବୁ ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *