ବିତାଡିତ ବୁଢାବୁଢୀ

ଦଶମାସ ଦଶଦିନ ଗର୍ଭଧାରଣ କରି ମାଆ ଦୁଇପୁଅଙ୍କୁ ଜନ୍ମଦେଲା।ବହୁ ଅଳିଅର୍ଦଳୀ ସହି ବାପମାଆ ଦୁଇପୁଅଙ୍କୁ ବଡକଲେ।ଦୁଇପୁଅ ହାତକୁ ଦି’ହାତ ହୋଇ ସ୍ତ୍ରୀ ପିଲାଙ୍କୁ ଦେଖି ଭୂଲିଗଲେ ବାପମାଆଙ୍କ କଷ୍ଟକୁ।ପରିଣତ ବୟସରେ ପହଞ୍ଚିଥିବା ବାପମାଆଙ୍କୁ ଖାଇବାକୁ ନଦେଇ ଶାରିରୀକ ମାନସିକ ଯନ୍ତ୍ରଣା ଦେଇ ଘରୁ ତଡିଦେଲେ।ଦେହରେ ବଳ ନଥିବା, ପାଟିରେ କଥା କହି ପାରୁନଥିବା ବୁଢାବୁଢୀ ଏବେ ବାରଦୂଆର ସୁଣ୍ଢିପିଣ୍ଡା ହେଉଛନ୍ତି।ଏ ଘଟଣା କେଉଁ ନାଟକର ସଂଳାପ ନୁହେଁ।ଏହା ହେଉଛି ଜଗତସିଂହପୁର ଜିଲ୍ଲା ରାହାମା ତାଳପଡା ଅଞ୍ଚଳରେ ସାତଦିନ ହେଲା ଆଶ୍ରୟ ନେଇଥିବା ଏରସମା ଥାନା ଗୋଡା ପଞ୍ଚାୟତ ଘୋଷାଘର ଗ୍ରାମର ୭୮ବର୍ଷୀୟ କୃର୍ଷ୍ଣଚନ୍ଦ୍ର ପାତ୍ର ଓ ତାଙ୍କ ସ୍ତ୍ରୀ ୬୫ବର୍ଷୀୟା ମାଳତୀ ପାତ୍ରଙ୍କ ନିଛକ ଅଙ୍ଗେଲିଭା ଘଟଣା।
ଏହେଉଛନ୍ତି ଏରସମା ଥାନା ଗୋଡା ପଞ୍ଚାୟତ ଘୋଷାଘର ଗ୍ରାମର ୭୮ବର୍ଷୀୟ କୃର୍ଷ୍ଣଚନ୍ଦ୍ର ପାତ୍ର ଓ ତାଙ୍କ ସ୍ତ୍ରୀ ୬୫ବର୍ଷୀୟା ମାଳତୀ ପାତ୍ର।ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ବୃଦ୍ଧ ଦମ୍ପତିଙ୍କୁ ପୁଅବୋହୁ ଖାଇବାକୁ ନଦେଇ ମାଡମାରି ଘରୁ ତଡିଦେଇଛନ୍ତି।ସପ୍ତାହକ ତଳୁ ଘରୁ ବାହାରି ଆସି ରାହାମା ତାଳପଡା ଅଞ୍ଚଳରେ ଆଶ୍ରୟ ନେଇଛନ୍ତି।ତାଳପଡା କନ୍ଦମୂଳ ପଡିଆରେ ରାମଚରିତ ମାନସ ଚାଲିଥିବା ବେଳେ ଏଠାରେ ପହଞ୍ଚିଥିଲେ ବୃଦ୍ଧ ଦମ୍ପତି।ଏମାନଙ୍କ ଠାରୁ ଦୁଃଖ କାହାଣୀ ଜାଣିବା ପରେ ଆୟୋଜକ ଯୁବବନ୍ଧୁ ମାନେ ବୃଦ୍ଧ ଦମ୍ପତିଙ୍କୁ ରହିବା ଖାଇବା ବନ୍ଦୋବସ୍ତ କରିଥିଲେ।ଏଘଟଣା ସମ୍ପର୍କରେ ଖବରପାଇ ବ୍ୟାସ ଫାଉଣ୍ଡେସନ ନାମକ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ପହଞ୍ଚି ବୃଦ୍ଧ ଦମ୍ପତିଙ୍କ ଠାରୁ ସମସ୍ତ କଥା ଜାଣିବା ପରେ ସେମାନଙ୍କୁ ନେଇ ତିର୍ତ୍ତୋଲ ଥାନା ପରେ ଏରସମା ଥାନାରେ ଅଭିଯୋଗ କରିଛନ୍ତି।କୃର୍ଷ୍ଣଚନ୍ଦ୍ର ପାତ୍ର ଓ ତାଙ୍କ ସ୍ତ୍ରୀ ମାଳତୀ ପାତ୍ରଙ୍କର ଦୁଇ ବିବାହିତ ପୁଅ ବୋହୁ ସେମାନଙ୍କୁ ଖାଇବାକୁ ନଦେଇ ଶାରୀରିକ ମାନସିକ ଯନ୍ତ୍ରଣା ଦେଇ ମାଡମାରି ଘରୁ ବାହାର କରି ଦେଇଛନ୍ତି।ସେ ଏଣେତେଣେ ବୁଲିବୁଲି ଏଠାରେ ପହଞ୍ଚିଥିବା କହିବା ସହ ଆଉ ଆମେ ଘରକୁ ଫେରିବୁନାହିଁ ବୋଲି କହିଛନ୍ତି ବୃଦ୍ଧ ଦମ୍ପତି।
ବୃଦ୍ଧ ଦମ୍ପତିଙ୍କୁ ନେଇ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ବୃଦ୍ଧ ଦମ୍ପତିଙ୍କ ପୁଅ କାଳିଆ ପାତ୍ର ତାର ସ୍ତ୍ରୀ ସୀମା ପାତ୍ର ଓ ପୁଅ ନାରାୟଣ ପାତ୍ର ତାର ସ୍ତ୍ରୀ ଲିଲି ପାତ୍ରଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି।ଅନ୍ୟପକ୍ଷରେ ଖବରପାଇ କୁଜଙ୍ଗ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚି ଘଟଣାର ସତ୍ୟତା ଜାଣିବା ପରେ ବ୍ୟାସ ଫାଉଣ୍ଡେସନ ସହଯୋଗରେ ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରି ପାରାଦ୍ୱୀପ ଜରାଶ୍ରମରେ ଥଇଥାନ ବ୍ୟବସ୍ଥା କରିଛନ୍ତି।ଘଟଣାକୁ ନିନ୍ଦା କରିବା ସହ ବୃଦ୍ଧ ଦମ୍ପତିଙ୍କ ପିଲାମାନେ ତୁରନ୍ତ ବାପମାଆଙ୍କୁ ଫେରାଇ ନିଅନ୍ତୁ।ଏଭଳି ଦୃଶ୍ୟ ସମାଜରେ ଆଉ ଦେଖିବାକୁ ନମିଳୁ ବୋଲି ନିବେଦନ କରିଛନ୍ତି।
ଘଟଣାର ତଦନ୍ତ କରି ପୋଲିସ ପ୍ରଶାସନ ଦୃଢ ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସବୁ ବର୍ଗରୁ ଆହ୍ୱାନ କରାଯାଉଛି।

ତିର୍ତ୍ତୋଲରୁ ନିଶାକର ଦାସ, ଫୋକସ ପ୍ଲସ

 

Leave a Reply

Your email address will not be published. Required fields are marked *