ସୁନ୍ଦରଗଡ଼ରେ ବହି ପଢ଼ ଅଭିଯାନ


ସୁନ୍ଦରଗଡ଼ ସହରରେ ଥିବା ଜିଲ୍ଲା ସଂସ୍କୃତି ଭବନସ୍ଥିତ ଜିଲ୍ଲା ପାଠାଗାରଠାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହି ପଢ଼ାର ଆଗ୍ରହ ସୃଷ୍ଟି କରିବା ଲାଗି ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ବିଭିନ୍ନ ଲୋକକଳା ପ୍ରଦର୍ଶନ କରାଯାଇଥିଲା।
ସୁନ୍ଦରଗଡ଼ର ପାରମ୍ପରିକ ଲୋକନୃତ୍ୟ ଝୁମେର, ଖଡିଆ ନୃତ୍ୟ ସହିତ ପାଲା ଜରିଆରେ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ବହି ପଢ଼ିବାର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ଡିଏମଏଫ ସିଇଓ ମହେଶ୍ଵର ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ପ୍ରମୁଖ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ସ୍ଥାପନ କରାଯାଇ ଜନସାଧାରଣଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରାଯାଉଛି। ସୁନ୍ଦରଗଡ଼ଠାରେ ଜିଲ୍ଲା ପାଠାଗାର ରହିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଧ୍ୟ ଏକ ପାଠାଗାର ରହିଛି। ଏହି ପାଠାଗାରରେ ବିଭିନ୍ନ ବର୍ଗଙ୍କୁ ଦୃଷ୍ଟିରେ ରଖି ଆବଶ୍ୟକ ପୁସ୍ତକ ରଖାଯାଇଛି।
ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ବହି ସହିତ ବାନ୍ଧି ରଖିବା ପାଇଁ ଜିଲ୍ଲାପାଳଙ୍କ ବାସଭବନରେ ‘ବହି ବଗିଚା’ ରହିଛି। କୋଭିଡ୍-୧୯ ପୂର୍ବରୁ ପ୍ରତି ରବିବାର ଦିନ ଏଠାରେ ବହିପଢ଼ା ସହ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ ଏବେ ପୁଣିଥରେ ଏହି କାର୍ଯ୍ୟକ୍ରମକୁ ସାର୍ବଜନୀନ କରାଯାଇଛି।
ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷିତ ଯୁବକ ଯୁବତୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ବହି ପଢ଼ା ପ୍ରତି ଆକର୍ଷିତ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମୀଣ ପାଠାଗାର ମଧ୍ୟ ଖୋଲାଯାଉଛି। ନିକଟରେ ବଣାଇଁଠାରେ ଏକ ଉପଖଣ୍ଡସ୍ତରୀୟ ପାଠାଗାର ଖୋଲାଯାଇଥିବା ବେଳେ ହେମଗିରି ବ୍ଲକର କମଲଗା ଏବଂ ଲେଫ୍ରିପଡ଼ା ସଦରମହକୁମାଠାରେ ଗ୍ରାମୀଣ ପାଠାଗାର ରହିଛି।
ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସରକାରୀ ହାଇସ୍କୁଲଗୁଡ଼ିକରେ ଆଧୁନିକ ପାଠାଗାର, ଇ-ଲାଇବ୍ରେରି କରାଯାଉଛି। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବଢ଼ାଇବା ପାଇଁ ଏହି ଆଧୁନିକ ପାଠାଗାର ଓ ଇ-ଲାଇବ୍ରେରି ବିଶେଷ ସହାୟକ ହୋଇପାରୁଛି।
ବିଭିନ୍ନ କଲେଜ ଏବଂ ସର୍ବସାଧାରଣ ସ୍ଥାନରେ ମଧ୍ୟ ବହି ପଢ଼ା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ଲାଇବ୍ରେରି ସାଙ୍ଗରେ ରିଡିଙ୍ଗ ରୁମ୍ ସହିତ ବିଶୁଦ୍ଧ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା
କରାଯାଉଛି।ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗ ଦେଇ ବହି ପଢ଼ିବା ପ୍ରତି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ସୁନ୍ଦରଗଡ଼ ବହି ପଢ଼ ଅଭିଯାନକୁ କିପରି ଆହୁରି ବ୍ୟାପକ କରାଯାଇ ପାରିବ ସେ ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ।
ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *