ଲଗାଣ ବର୍ଷାରେ ଭୁଶୁଡି ପଡିଲା ୩ ମହଲା କୋଠା

ମହାରାଷ୍ଟ୍ରରୁ ଆସିଲା ଏକ ବଡ ଖବର | ଶନିବାର ସକାଳୁ ସକାଳୁ ମହାରାଷ୍ଟ୍ରର ନାଭି ମୁମ୍ବାଇରେ ଘଟିଛି ଏକ ବଡ ଧରଣର ଦୁର୍ଘଟଣା । ମହାରାଷ୍ଟ୍ରରେ ଗତ କିଛିଦିନ ହେବ ଲଗାଣ ବର୍ଷା ହେତୁ ତିନି ମହଲା ବିଶିଷ୍ଟ ଏକ କୋଠାଘର ଭୁଶୁଡି ପଡିଛି। ଏହି କୋଠା ଘର ଭୁଶୁଡ଼ିବା ଫଳରେ ଅନେକ ଲୋକେ ଏହା ତଳେ ଏବେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନାଭି ମୁମ୍ବାଇର ଶାହାବାଜ ଗାଁରେ ଏହି ବଡ ଧରଣର ଦୁର୍ଘଟଣା ଘଟିଛି। ମ୍ୟୁନିସିପାଲିଟି କର୍ପୋରେସନ କମିଶନର କୈଲାଶ ସିନ୍ଦେ କହିଛନ୍ତି ଯେ ସକାଳ ପ୍ରାୟ ୫ ଟାରେ ଏହି କୋଠାଟି ଭୁଶୁଡି ପଡିଛି। ଏହା ଏକ G3 କୋଠା ହୋଇଥିବା ବେଳେ ବେଲାପୁର ୱାର୍ଡ ଅଧିନରେ ଆସୁଛି । ଭୁଶୁଡି ପଡିଥିବା ବିଲଡିଂରେ ପାଖାପାଖି ୧୩ଟି ଫ୍ଲାଟ ରହିଥିଲା । ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଦୁଇଜଣ ଫଶି ରହିଥିବାର ସମ୍ଭାବନା ରହିଛି । ଉଦ୍ଧାର ହୋଇଥିବା ଦୁଇ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ଵାସ୍ଥବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି । ନାଭି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କମିଶନର କହିଛନ୍ତି ଯେ ଏହା ମାତ୍ର ୧୦ ବର୍ଷ ପୁରୁଣା କୋଠା ଥିଲା । ତେବେ କେମିତି ଏହି କୋଠାଟି ଭୁଶୁଡି ପଡିଲା ସେ ନେଇ ଏବେ ତଦନ୍ତ ଚାଲିଛି । ତଦନ୍ତ ପରେ ବିଲଡିଂ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି ।

Leave a Reply

Your email address will not be published. Required fields are marked *