ଖୋଲିବ ଆମ ଓଡ଼ିଶା ନବୀନ ଓଡ଼ିଶାର ଦୁର୍ନୀତି ପେଡି

ଆମ ଓଡ଼ିଶା ନବୀନ ଓଡ଼ିଶା ରେ ପୂର୍ବ ସରକାରଙ୍କ ଠାରୁ ମିଳିଥିବା ସମସ୍ତ ଅନୁଦାନର ଖୋଳତାଡ଼ ହେବ। ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼ କରିବେ ବିଜେପି ସରକାର। ଆଜି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ସେ କହିଛନ୍ତି ପ୍ରତି ପଞ୍ଚାୟତକୁ ଦିଆଯାଇଥିବା ୫୦ ଲକ୍ଷ ଟଙ୍କା ବିଷୟରେ ପଞ୍ଚାୟତିରାଜ ବିଭାଗରେ କୌଣସି ପ୍ରକାର ତଥ୍ୟ ନାହିଁ। ଏହି ଯୋଜନା ବାବଦରେ ବିଭାଗ ମଧ୍ୟ ଅବଗତ ବି ନାହିଁ।

ଏପରିକି ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ କୌଣସି ଯୋଜନା ମଧ୍ୟ ନଥିଲା।ଏହି ଯୋଜନାକୁ କେବଳ ତୃତୀୟ ମହଲା ମନିଟରିଂ କରୁଥିଲା ବେଳେ ବ୍ଲକ ଓ ଡିଆରଡିଏ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିଲେ। କେଉଁମାନେ ସବୁ କାମ କରୁଛନ୍ତି କେତେ କାମ ହେଉଛି ବିଭାଗୀୟ ସଚିବ ଏ ବିଷୟରେ କିଛି ଜାଣୁ ନଥିଲେ। ବିଭାଗରେ ହୋଇଥିବା ସମସ୍ତ ଅନିୟମିତତା ସମ୍ପର୍କରେ ଖୋଳତାଡ଼ ହେବା ସହ ଏହାକୁ ଲୋକଲୋଚନକୁ ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି । ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କୁ ଭେଟି ତାଙ୍କ ସହ ଆଲୋଚନା କରି ଭୁବନେଶ୍ୱର ଫେରିବା ପରେ ଗଣମାଧ୍ୟମ ଆଗରେ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।

ଗତ ଅକ୍ଟୋବର ୨୩ ତାରିଖରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନା ଆରମ୍ଭ ହେବା ପରେ ସେଥିରେ ସ୍ପଷ୍ଟ କରାଯାଇଥିଲା ଯେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ସହାୟତା ଯୋଗାଇ ଦିଆଯିବା ଦ୍ୱାରା ସ୍ଥାନୀୟ ପଞ୍ଚାୟତର ସାଂସ୍କୃତିକ ଓ ପାରମ୍ପରିକ ଭିତ୍ତିଭୂମିର ବିକାଶ ହେବା ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର କରିବା, ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରିବା, ସଭାଗୃହ ଆଦି କାମରେ ସହାୟକ ହେବ । କିନ୍ତୁଏହି ଯୋଜନାରେ ନିର୍ବାଚିତ ଜନପ୍ରତିନିଧି ଯଥା ସରପଞ୍ଚ, ସମିତିସଭ୍ୟ ପ୍ରମୁଖଙ୍କୁ ଉପେକ୍ଷା କରାଯାଇଥିଲା।

ସରକାରୀ ଅଧିକାରୀ ସମ୍ପୂର୍ଣ୍ଣ ପ୍ରକଳ୍ପ ଚୟନ କରିବା ସହ ତାଙ୍କ ମନଇଛା ଠିକାଦାରଙ୍କ ଜରିଆରେ ଏହି କାମ କରାଇବେ ବୋଲି ଉଲ୍ଲେଖ ଥିଲା। ଏହାକୁ ଅଧିକାଂଶ ଜନପ୍ରତିନିଧିମାନେ ବିରୋଧ କରିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଏନେଇ ସମଗ୍ର ରାଜ୍ୟରୁ ପ୍ରାୟ ୪୨ଟି ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା। ଏଥିସହ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ବିରୋଧ କରି ସେହି ସମୟରେ ବିରୋଧୀ ଦଳରେ ଥିବା ବିଜେପି ମଧ୍ୟ ବହୁଥର ପ୍ରତିବାଦ କରିଥିଲା।

Leave a Reply

Your email address will not be published. Required fields are marked *