ଭୀଷଣ ବର୍ଷା ପରେ ଏବେ ବନ୍ୟା ସ୍ଥିତି

ଦେଶର ବିଭିନ୍ନ ସ୍ଥାନରେ ଏବେ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି । ଲଗାଣ ବର୍ଷା ପରେ ଏବେ ଉବୁଟୁବୁ ଗୁଜରାଟର ବିଭିନ୍ନ ଅଞ୍ଚଳ। ବିଶେଷ କରି ସୁରତ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି ସ୍ଥିତି ସୃଷ୍ଟି ହେବା ପରେ ଏବେ ମୁତୟନ ହୋଇଛନ୍ତି NDRF ଯବାନ। ଏହିସବୁ ଅଞ୍ଚଳରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ଏହିସବୁ ଅଞ୍ଚଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଲଗାଣ ବର୍ଷା ପରେ ଏବେ ସୁରତ ସହର ଜଳମଗ୍ନ ହୋଇଥିବା ବେଳେ, ପୋରବନ୍ଦର, ଜୁନାଗଡ଼, କଚ୍ଛ ଏବଂ ଦେବଭୂମି ଦ୍ବାରକା ଅଞ୍ଚଳରେ ବି ଭୀଷଣ ବନ୍ୟା ସ୍ଥିତି ଦେଖାଦେଇଛି। ସୁରତରେ ରାସ୍ତା ଉପରେ ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ବର୍ଷା ହେବାଯୋଗୁଁ ଜନଜୀବନ ଓ ଗମନାଗମନ ବାଧାପ୍ରାପ୍ତ ହୋଇଛି।

ରାଜକୋଟ ଜିଲ୍ଲା ଲାଠ ଗାଁରେ ବାଦଲ ଫଟା ବର୍ଷା ହେବା ଫଳରେ ମାତ୍ର ୨ ଘଣ୍ଟାରେ ସେଠାରେ ୧୧ ଇଞ୍ଚ ବର୍ଷା ରେକର୍ଡ କରାଯାଇଛି । ଦେବଭୂମି ଦ୍ବାରକା ଅଞ୍ଚଳରେ ଜଳବନ୍ଦୀ ଅବସ୍ଥାରେ ଫସିରହିଥିବା ସମସ୍ତ ବିପନ୍ନଙ୍କୁ ବାୟୁସେନାର ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଉଥିବାର ଚିତ୍ର ଦେଖିବାକୁ ମିଳିଛି । ଏହାସହିତ ପ୍ରବଳ ବର୍ଷାରେ ଏବେ ଉବୁଟୁବୁ ମାୟାନଗରୀ ମୁମ୍ବାଇ । ଲଗାତାର କିଛି ଦିନ ହେବ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ହେବା ଫଳରେ ରାସ୍ତା ଘାଟ ପାଣିରେ ଭର୍ତ୍ତି ହୋଇଯିବାରୁ ଯାତାୟତ ପ୍ରଭାବିତ ହୋଇଛି। ଯୁଆଡ଼େ ଆଖି ବୁଲାଇଲେ ସେଇଆଡ଼େ ଖାଲି ପାଣି ଆଉ ପାଣି। ଜନଜୀବନ ଏକ ପ୍ରକାର ଠପ୍ ହୋଇଯାଇଛି। ରାସ୍ତାଘାଟରେ ପାଣିର ସୁଅ ସହ ଭାସୁଛି କାର। କିଛି କିଛି ସ୍ଥାନରେ ରାସ୍ତା ବୁଡି ରହିଥିବାରୁ ଟ୍ରାଫିକ ବ୍ୟବସ୍ଥାରେ ମଧ୍ୟ ସମସ୍ୟା ଦେଖାଦେଇଛି। ବର୍ଷା ଏବଂ ବନ୍ୟା କାରଣରୁ ମହାରାଷ୍ଟ୍ରରେ ମଧ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *