୭୯ ବର୍ଷ ପରେ ଫୁଟିଲା ବିଶ୍ୱଯୁଦ୍ଧ ବୋମା !

ଟୋକିଓ : ଦୁଇ ଦୁଇଟା ବିଶ୍ବଯୁଦ୍ଧର ଭୟାବହତା ବିଶ୍ୱବାସୀଙ୍କ ମନରୁ ଲିଭିନଥିବା ବେଳେ ଏବେ ମଧ୍ୟପ୍ରାଚ୍ୟର ସ୍ଥିତି ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଗତି କରୁଛି। କିନ୍ତୁ ଏହାରି ଭିତରେ ଜାପାନରୁ ଆସିଥିବା ଏକ ଖବର ଦ୍ୱିତୀୟ ବିଶ୍ୱ ଯୁଦ୍ଧର ସେ ଛାତିଥରା ଘଟଣାକୁ ମନେ ପକାଇଦେଇଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧର ୭୯ ବର୍ଷ ପରେ ବର୍ତ୍ତମାନ ଜାପାନରେ ଫୁଟିଛି ବୋମା। ଗତକାଲି ଦକ୍ଷିଣ-ପଶ୍ଚିମ ଜାପାନର ଏକ ବିମାନ ବନ୍ଦରରେ ଘଟିଛି ଭୟଙ୍କର ବିସ୍ଫୋରଣ । ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବିମାନ। ମିୟାଜାକି ବିମାନ ବନ୍ଦରର ରନୱେ ନିକଟରେ ହଠାତ ବିସ୍ଫୋରଣ ହେବା ପରେ ସାତ ମିଟର ଓସାର ଏବଂ ଏକ ମିଟର ଗଭୀରତାର ଏକ ଗର୍ତ୍ତ ସୃଷ୍ଟି ହୋଇଛି।

ଜାପାନ ପରିବହନ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଯେଉଁସବୁ ବୋମା ଜାପାନରେ ଖଞ୍ଜିଥିଲା ସେହି ସବୁ ବୋମା ଫାଟିବା ଫଳରେ ଏହି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଘଟିବା ପରେ ବିମାନ ବନ୍ଦରକୁ ବନ୍ଦ କରାଯାଇଥିବା ବେଳେ ୯୦ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି। କିନ୍ତୁ ଲାଇଭ କ୍ୟାମ ଫୁଟେଜରେ ବିସ୍ଫୋରଣର ମାତ୍ର ଦୁଇ ମିନିଟ ପୂର୍ବରୁ ଗୋଟିଏ ବିମାନ ଅବତରଣ କରିଥିବା ଦେଖାଯାଇଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାପାନ ଗ୍ରାଉଣ୍ଡ ସେଲ୍ଫ ଡିଫେନ୍ସର ଏକ ବୋମା ନିଷ୍କାସନକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ପରେ ବିସ୍ଫୋରଣର କାରଣ ପୋତା ଯାଇଥିବା ଆମେରିକୀୟ ବୋମା ବୋଲି ସ୍ପଷ୍ଟ କରିଛି। ହୁଏତ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ପକାଇଥିବା ବୋମା ସେତେବେଳେ ବିସ୍ପୋରଣ ନ ହୋଇ ମାଟି ତଳେ ପୋତି ହୋଇଯାଇଥିଲା। ଆମେରିକା ଏବଂ ଜାପାନ ମଧ୍ୟରେ ଯୁଦ୍ଧ ହେବାର ୭୯ ବର୍ଷ ବିତିଗଲାଣି, କିନ୍ତୁ ଏତେ ବର୍ଷ ପରେ ମଧ୍ୟ ଜାପାନର ଅନେକ ସ୍ଥାନରେ ବୋମା ମିଳୁଛି। ଜାପାନ ସୁରକ୍ଷା ବାହିନୀ ଅନୁଯାୟୀ, ୨୦୨୩ ମସିହାରେ ମୋଟ ୨,୩୪୮ଟି ବୋମା ମିଳିଥିଲା ଯାହାର ଓଜନ ଥିଲା ୩୭.୫ଟନ୍। ସ୍ଥାନୀୟ ବ୍ରଡକାଷ୍ଟର ଏମଆରଟି ଅନୁଯାୟୀ, ବିମାନ ବନ୍ଦରରେ ଘଟିଥିବା ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡିଛି। ଗର୍ତ୍ତ ଭରିବା ପାଇଁ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଯାହାକି ଆସନ୍ତା ଗୁରୁବାର ସକାଳ ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *