ସୁନ୍ଦରଗଡ଼ ଗସ୍ତ କଲେ ଓମ୍ବାଡସି ଓଭରସାଇଟ୍ର ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ

ସୁନ୍ଦରଗଡ଼ ଗସ୍ତ କଲେ ଓମ୍ବାଡସି ଓଭରସାଇଟ୍ର ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ

ସୁନ୍ଦରଗଡ଼,ଖଵର ୧୮ ମେ’ ୨୦୨୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ ଓମ୍ବାଡସିର ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।ବୁଧବାର ଦିନ ସେ ଲେଫ୍ରିପଡ଼ା, ଟାଙ୍ଗରପାଲି ଏବଂ ସୁନ୍ଦରଗଡ଼ ସଦର ବ୍ଲକର ବିଭିନ୍ନ ପ୍ରକଳ୍ପ ସ୍ଥାନ ବୁଲି ଦେଖିଥିଲେ। ଜିଲ୍ଲାରେ ସାନ ସାନ ପିଲାମାନଙ୍କ ପୋଷଣ ସହ ଆନନ୍ଦମୟ ପରିବେଶ ଭିତରେ ସେମାନଙ୍କ ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଧୁନିକ ବାଲା ମଡେଲ ଢାଞ୍ଚାରେ ନିର୍ମାଣ କରାଯାଉଛି। ଏହି ଅବସରରେ ଜଷ୍ଟିସ୍ ପଟ୍ଟନାୟକ ଟାଙ୍ଗରପାଲି ବ୍ଲକର ଚକ୍ରମାଲଠାରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନ କରିଥିଲେ। ତଲଶଙ୍କରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଜଷ୍ଟିସ୍ ପଟ୍ଟନାୟକ। ସେଠାରେ ସେ ସ୍କୁଲର ଅଧ୍ୟକ୍ଷ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କ ଜୀବିକାକୁ ସଶକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ମାଛ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ବିଭିନ୍ନ ଚାଷୀ ନୂତନ ବାୟୋଫ୍ଲକ୍ ପଦ୍ଧତିରେ କୁଣ୍ଡରେ ମାଛ ଚାଷ କରୁଛନ୍ତି। ସେହିପରି ଗ୍ରାମ ପୋଖରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ମାଛ ଚାଷ କରୁଛନ୍ତି। ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଲେଫ୍ରିପଡ଼ା ବ୍ଲକ୍ ଗସ୍ତରେ ଆସି ହିତାଧିକାରୀମାନଙ୍କ ସହ ଏହି କାର୍ଯ୍ୟକ୍ରମର ସଫଳତା ବିଷୟରେ ପଚାରି ବୁଝିଥିଲେ। ସେହିପରି ଜଷ୍ଟିସ୍ ପଟ୍ଟନାୟକ ଟାଙ୍ଗରପାଲି ବ୍ଲକ୍ ଗସ୍ତରେ ଯାଇ ସୁନ୍ଦରଗଡ଼ ବନଖଣ୍ଡ ଅଧୀନରେ ଉଜ୍ଜ୍ୱଳପୁରଠାରେ କରାଯାଉଥିବା କେନ୍ଦ୍ରୀୟ ନର୍ସରୀ ବୁଲି ଦେଖିଥିଲେ। ପରିବେଶ ସୁରକ୍ଷା ଏବଂ ସବୁଜ ବଳୟ ସୃଷ୍ଟି ଲାଗି ପ୍ରଶାସନ ପକ୍ଷରୁ ନିଆଯାଉଥିବା ଏଭଳି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓମ୍ବାଡସି ପାଣ୍ଠିର ବିନିଯୋଗ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ବିଭିନ୍ନ ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ କରାଯାଉଛି। ଜଷ୍ଟିସ୍ ପଟ୍ଟନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ରୋଗୀମାନଙ୍କ ଚିକିତ୍ସା ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।
ସୁନ୍ଦରଗଡ଼ରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରକୁ ଯାଇ ଜଷ୍ଟିସ୍ ପଟ୍ଟନାୟକ ସେଠାରେ ଭିନ୍ନକ୍ଷମଙ୍କୁ ଦିଆଯାଉଥିବା ବିଭିନ୍ନ ଚିକିତ୍ସା ଓ ସେବା ବିଷୟରେ ପଚାରି ବୁଝିଥିଲେ। ଏହି କେନ୍ଦ୍ରରେ ସମସ୍ତଙ୍କୁ ମାଗଣାରେ ରୋବୋଟିକ୍ ଫିଜିଓଥେରାପି ସେବା ଦିଆଯିବା ସହିତ ଗରିବ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୃତ୍ରିମ ଅଙ୍ଗରୋପଣ ସେବା ଦିଆଯାଉଥିବା ଜାଣି ସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ସେ ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ ଥିବା ଅତ୍ୟାଧୁନିକ ଥେରାପ୍ୟୁଟିକ୍ ସର୍ଭିସ୍ କେନ୍ଦ୍ର ପରିଦର୍ଶନ କରିଥିଲେ। ପ୍ରଥମ ଦିନର କ୍ଷେତ୍ରସ୍ତରୀୟ ପରିଦର୍ଶନ ପରେ ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ଭବନଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ଜଷ୍ଟିସ୍ ପଟ୍ଟନାୟକ। ଓମ୍ବାଡସି ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ନିର୍ଦ୍ଧାରିତ ସମୟ ଭିତରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି କାର୍ଯ୍ୟକ୍ରମର ସଫଳତା ପାଇଁ ସେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ। ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓମ୍ବାଡସି ପାଣ୍ଠିର  ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜଷ୍ଟିସ୍ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ। ଏହି ଗସ୍ତ ବେଳେ ଓମ୍ବାଡସିର ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହିତ ଓମ୍ବାଡସି ସିଇଓ ଜି ରାଜେଶ, ସ୍ୱତନ୍ତ୍ର ଅଧିକାରୀ ଶେଖ୍ ନଇମୁଦ୍ଦିନ୍ ଏବଂ ଦ୍ୱୈପାୟନ ପଟ୍ଟନାୟକ, ଓମ୍ବାଡସିର ଜେନେରାଲ ମ୍ୟାନେଜର (ପ୍ରଶାସନ) ସୁଧାକର ବୁର୍ଗି, ଜେନେରାଲ ମ୍ୟାନେଜର (ଅପରେସନ) ଜୟନ୍ତ କୁମାର ଦାସ, କଲସଲଟାଣ୍ଟ ପାର୍ଥ ମହାନ୍ତି ଏବଂ ଟିମ୍ ଲିଡର ଅମ୍ବୁଜ ପ୍ରସାଦ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଡିଏମଫ ସିଇଓ ରୀତା ଡାଙ୍ଗ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *