ନିଜ ଭାଗ୍ୟ ନିଜ ହାତରେ

ନିଜ ଭାଗ୍ୟ ନିଜ ହାତରେ

ଫୋକସ ପ୍ଲସ 26/5/22: ଶ୍ରୀମଦ୍ ଗୀତାର ବାକ୍ଯ କର୍ମ କର ଫଳର ଆଶାରଖ ନାହିଁ।ନିଜ କର୍ମ ଫଳ ନିଜେ ଭୋଗିବାକୁ ହେଇଥାଏ।ହେଲେ ବିନା ଫଳ ଆଶାରେ କେହି କଣ କର୍ମ କରେ ? ସତ୍ୟରୁ ତ୍ରେତୟା,ତ୍ରେତୟାରୁ ଦ୍ବାପାର,ଦ୍ୱାପାରରୁ କଳିଯୁଗରେ କେବଳ କର୍ମର କଥା ହିଁ ନିଷ୍ପାଦିତ ହୋଇଛି।ବିନାକର୍ମରେ ଅକର୍ମା।ଅକର୍ମା ରୁ ଅକର୍ମଣ୍ୟ।ଅକର୍ମଣ୍ୟ ହିଁ ସ୍ଥାଣୁତା।ସ୍ଥାଣୁତା ଜୀବନ କେବଳ ନୀରସ,ରଂଗହୀନ,ବାସ୍ନାହୀନ, ସ୍ବାଦବିହୀନ ଜୀବନ।କର୍ମ ଜୀବନର ରଂଗ ବଦଲେଇଦିଏ।ମଣିଷକୁ ମଣିଷତ୍ୱ ପ୍ରଦାନ କରିଥାଏ।
ଏକ ସଧାରଣ ଘଟଣା। ଏକ ବଡ ମନ୍ଦିର। ମନ୍ଦିର ବାହାରେ ଭିକାରୀ। ବିଭିନ୍ନ ପର୍ବପର୍ବାଣି ଅବସରରେ ଜଣେ ଧନୀ ବ୍ୟକ୍ତି ମନ୍ଦିରକୁ ଆସନ୍ତି।ଏହି ଧନୀ ବ୍ୟକ୍ତି ପ୍ରଥମେ ଭିକାରୀ ମାନଙ୍କୁ କିଛି ଅର୍ଥ ଓ ଖାଇବା ଜିନିଷ ବାଣ୍ଟନ୍ତି।ତାପରେ ମନ୍ଦିର ଭିତରକୁ ଯାଆନ୍ତି। ଏମିତି ଏକ ଦିନର ଘଟଣା। ସମସ୍ତ ଭିକାରୀ ମାନଙ୍କୁ କିଛି ଅର୍ଥ ଓ ଖାଇବା ବାଣ୍ଟିଲେ। ହଠାତ୍ ଜଣେ ଯୁବକ ଭିକାରୀ ପାଖରେ ଅଟକିଗଲେ। ଯୁବକ ଭିକାରୀକୁ କିଛି ଦେବା ପାଇଁ ମନାକଲେ।କହିଲେ ତମେ ଜୀବନରେ କାହାକୁ କିଛି ଦେଇଛ,ଯୁବକ ଭିକାରୀ ମନାକଲା।ତମେ ଯଦି କାହାକୁ କିଛି ଦେଇନ ତାହେଲେ ମୁଁ କାହିଁକି ତମକୁ ଦେବି।
ଯୁବକ ଭିକାରୀ କୁଡିଆକୁ ଫେରିଲା। ରାତିରେ ନିଦ ହେଲାନି। ଭୋକରେ ଛଟପଟ ହେଲା। ମଝି ମଝିର ପାଣି ପିଉଥିଲା। ପୁଣି ଭାବିଲା। ସତେ ତ ଜୀବନରେ କା’କୁ କିଛି ଦେଇନି। ମୋ ପାଖରେ ତ କିଛି ନାହିଁ। କାହାକୁ କିଛି ଦେଇପାରିବି ନାହିଁ। ଏମିତି ଭାବୁ ଭାବୁ ତା’ମନକୁ ଏକ ଉପାୟ ଜୁଟିଲା। ମନ୍ଦିର ସମ୍ମୁଖରେ ଅନେକ ଫୁଲ ବ୍ୟବସାୟୀ ମାନେ ଅଛନ୍ତି। ସେମାନେ ଫୁଲ ବିକନ୍ତି।ଫୁଲ ସବୁ ନିଜର ବଗିଚାରୁ ସଂଗ୍ରହ କରନ୍ତି କିମ୍ବା ଅନ୍ୟ ବଗିଚାରୁ ଫୁଲ କିଣି ଆଣନ୍ତି ଓ ବିକନ୍ତି।ହେଲେ ସହରରେ ରାସ୍ତା କଡରେ ଅନେକ ଫୁଲ ଗଛ ଅଛି।ମୁଁ ଯଦି ଏହି ଫୁଲ ଗଛରୁ ଫୁଲ ସଂଗ୍ରହ କରି ମାଗଣାରେ ମନ୍ଦିର ଆସୁଥିବା ଦର୍ଶନାର୍ଥୀ ମାନଙ୍କୁ ଦିଅନ୍ତି କେମିତି ହୁଅନ୍ତା।
ସେମିତି ହେଲା। ଭୋରରୁ ସହର ସାରା ବୁଲି ଫୁଲ ସବୁ ସଂଗ୍ରହ କଲା। ସବୁଫୁଲ ଧରି ମନ୍ଦିରକୁ ଗଲା। ଆଜ୍ଞା ମାଗଣାରେ ଫୁଲ ନିଅନ୍ତୁ। ମାଗଣାରେ ଫୁଲ ନିଅନ୍ତୁ।ଏମିତି ଡାକ ଛାଡିଲା। ଅନେକ ଦର୍ଶନାର୍ଥୀ ତାପାଖରୁ ଫୁଲ ନେଲେ। ଆଉ କିଛି କିଛି ପଇସା ମଧ୍ୟ ଦେଲେ। ସେଦିନ ବେଶ ଖୁସିରେ ତା କୁଡିଆକୁ ଫେରିଲା। ବାକି ଦିନ ଅପେକ୍ଷା ତାର ବେଶୀ ପଇସା ମଧ୍ୟ ହେଲା। ଅନ୍ୟଦିନ ଅପେକ୍ଷା ଆଜି ଟିକେ ଆନନ୍ଦ ପାଇଲା। ଆଉ ମନେମନେ ସେହି ଧନୀ ଲୋକକୁ କୃତଜ୍ଞତା ଜଣାଇଲା। ଯିଏ କହିଥିଲେ କେବେ ତମେ କାହାକୁ କିଛି ଦେଇଛ ?
ଏମିତି ଏକ ଦିନ ଆସିଲା ପୁଣି ଧନୀ ଲୋକ ସହ ମନ୍ଦିରରେ ଭେଟ ହେଲା।ଧନୀ ଲୋକଟି ଭିକାରୀ ଯୁବକରୁ ମାଗଣାରେ ଫୁଲ ବାଣ୍ଟୁଥିବା ଯୁବକକୁ ଦେଖି ୫୦ ଟଙ୍କା ଟିଏ ବଢେଇଦେଲେ ତାଠାରୁ କିଛି ଫୁଲ ମଧ୍ୟ ଆଣିଲେ।ଆଉ ଗଲାବେଲେ କହିକି ଗଲେ ଏ ଯେଉଁ ଫୁଲ ଆଣୁଛ ତମେ କଣ ଗଛ ଲଗେଇଛ ? ତମେ କଣ ଗଛରେ ପାଣି ଦେଉଛ ? ତମେ କଣ ଏହିସବୁ ଫୁଲ ଗଛର ଯତ୍ନ ନେଉଛ ? ସତେ ତ ଧନୀ ଲୋକ କହିବା ପୁରା ସତ କଥା। ସେତ ଜମାରୁ ଗଛ ଲଗାଇ ନାହିଁ। ଯତ୍ନ ନେବା ଶିଖିନି।ରାସ୍ତା କଡରେ ଥିବା ଫୁଲଗଛ ଯେ ଅସୁରକ୍ଷିତ।ତାର ସୁରକ୍ଷା କଥା ମଧ୍ୟ ଭାବିନି।ଭିକାରୀ ଯୁବକ ଶୋଇ ପାରିଲା ନାହିଁ।କିଏ ସେ ଯିଏ ସବୁ ଗଛ ଲଗେଇଛନ୍ତି ସେଗଛରୁ ଫୁଲ ଆଣୁଛି ଏହା ଭଲ କଥା ନୁହଁ।ତାହେଲେ ସେ କରିବ କଣ ? ନା କିଛି କରିବାକୁ ହେବ।
ମନ୍ଦିର ପାଖରେ ଏକ ପଡିଆ ଥିଲା।ସେହି ପଡିଆରେ ବିଭିନ୍ନ କିସମର ଫୁଲଗଛ ଲଗାଇଲା।ନିଜେ ଖଟିଲା ଗଛ ଲଗାଇଲା,ପାଣି ଦେଲା,ଯତ୍ନ ନେଲା। ଏବେ ଫୁଲ ଫୁଟିବା ଆରମ୍ଭ ହେଲା।ମନ୍ଦିର ପାଖରେ ଏକ ଫୁଲ ଦୋକାନ କଲା।ଭିକାରୀ ଫୁଲ ଦୋକାନ।ଏଠି କମ୍ ଦାମରେ ବେଶୀ ଫୁଲ ମିଲେ।ଅନେକ ଦର୍ଶନାର୍ଥୀ ତାଠାରୁ ଫୁଲ କିଣିଲେ।ବେଶ ଭଲ ଦି’ପଇସା ରୋଜଗାର କଲା।ତାର ବେଶଭୂଷା,ଚାଲିଚଲଣୀ ବଦଲିଗଲା। ସେହି ଧନୀଲୋକଟି ତାଠାରୁ ଫୁଲ କିଣିଲେ।ମନ୍ଦିର ଭିତରକୁ ଗଲେ। ଭିକାରୀ ଯୁବକକୁ ଚିହ୍ନିପାରିଲେ ନାହିଁ। ଯୁବକଟି ଧନୀ ଲୋକ ଫେରିବା ବାଟକୁ ଅପେକ୍ଷା କରିଥିଲେ। ଧନୀଲୋକ ଫେରିଲେ। ଯୁବକ ମୁଣ୍ଡିଆ ମାରିଲା। ଫୁଲ ଦୋକାନ ପାଖକୁ ନେଇଗଲା। ଆଜ୍ଞା ଏହା ମୋର ଫୁଲ ଦୋକାନ। ମୋତେ ଚିହ୍ନି ପାରୁଛନ୍ତି।ଧନୀ ଲୋକଟି ଯୁବକକୁ ଚିହ୍ନିପାରୁ ନଥିଲେ। ଯୁବକ ନିଜର ପରିଚୟ ଦେଲା।ଆଜ୍ଞା ମୁଁ ଜଣେ ଭିକାରୀ ଥିଲି। ଯାହାକୁ ଆପଣ, କେବେ ତମେ କାହାକୁ କିଛି ଦେଇଛ ବୋଲି ପ୍ରଶ୍ନ କରିଥିଲେ। ପରେ ମାଗଣାରେ ଫୁଲ ବାଣ୍ଟିଲି। ଆପଣ କହିଲେ ଫୁଲ ଗଛ କଣ ତମେ ଲଗେଇଛ? କଣ ତାର ଯତ୍ନ ନେଉଛ ? ଆପଣ ଏମିତି କହିଥିଲେ ପରେ ମନ୍ଦିର ପାଖରେ ଥିବା ପଡିଆରେ ଫୁଲ ଗଛ ଲଗାଇଲି।ତାର ଯତ୍ନ ନେଲି।ଏହି ସବୁ ମୋ ବଗିଚାର ଫୁଲ।ଅତି କମ୍ ଦାମରେ ମନ୍ଦିର ଦର୍ଶନାର୍ଥୀ ମାନଙ୍କୁ ଦେଉଛି।
ଯୁବକର ଏପରି ପରିବର୍ତ୍ତନ ଦେଖି ଧନୀ ବ୍ୟକ୍ତି ଅତ୍ୟନ୍ତ ଖୁସି ହେଇଗଲେ।ଯୁବକକୁ କୁଣ୍ଡେଇ ପକେଇଲେ।ଧନୀ ବ୍ୟକ୍ତିର ପୁଅ ନଥିଲେ। ଅଚଳାଚଳ ସଂପତ୍ତି। ଦେଖାଶୁଣା କରିବା ପାଇଁ କେହି ନିଜର ନାହାନ୍ତି।ଧନୀ ଲୋକ ଏହି ଯୁବକକୁ ନିଜର ସମସ୍ତ ସଂପତ୍ତି ସମର୍ପି ଦେବାକୁ ଉପଯୁକ୍ତ ମନେକଲେ।ଭିକାରୀ ଯୁବକ କହିଲେ ଆପଣଙ୍କ ଠାରେ ମୁଁ ଚିର କୃତଜ୍ଞ।ଆପଣ ହିଁ ମୋର ପରିବର୍ତ୍ତନ କରିଛନ୍ତି । କେମିତି ପ୍ରଥମେ ଆପଣ ଅନ୍ୟକୁ ଦେବା କଥା କହିଲେ। ମୁଁ ଫୁଲ ଦେବାରୁ ମୋର ଉପାର୍ଜନ ବଢିଲା।ଅନ୍ୟକୁ ଦେଇ ଶିଖିଲେ ଭଗବାନ ବହୁତ କିଛି ଦିଅନ୍ତି। ତାପରେ ଆପଣ କହିଲେ ଫୁଲଗଛର ଯତ୍ନ ନେବା କଥା। ତାପରେ ନିଜେ ଫୁଲ ଗଛ ଲଗାଇଲି।ଯତ୍ନ ନେଲି ଏବେ ଫୁଲ ଦୋକାନର ମାଲିକ।ଆପଣଙ୍କ ଦ୍ବିତୀୟ ସାକ୍ଷାତରୁ ଶିଖିଲି କର୍ମ କରିଯାଅ ଫଳ ଈଶ୍ବର ଦେବେ। ଆପଣଙ୍କ ସହ ସାକ୍ଷାତ ମୋର ଜୀବନର ପରିବର୍ତ୍ତନ ଆଣିଦେଲା। ଧନୀଲୋକ କହିଲେ ନା ସେମିତି ନୁହେଁ ମୁଁ ତ କେବଳ ରାସ୍ତା ଟିଏ ଦେଖାଇଲି।ତମର କର୍ମ ତମ ଜୀବନର ପରିବର୍ତ୍ତନ ଆଣିଲା।ଏଣୁ ଆମେ କର୍ମ କରିବା କଥା ଫଳଆଶା କରିବା ନାହିଁ।
ଭିକାରୀ ଯୁବକ କାରରେ ବସି ଧନୀଲୋକର ଘରକୁ ଗଲା।କର୍ମ ମଣିଷର ଏକ ପରିଚୟ ସୃଷ୍ଟି କରିଥାଏ। ଅନେକ ବ୍ୟକ୍ତି ଅଛନ୍ତି ଭାଗ୍ୟକୁ ନିନ୍ଦାକରି କିଛି କର୍ମ କରିନଥାନ୍ତି। ଧନୀ,ଜ୍ଞାନୀ ହେବା ମୋ ଭାଗ୍ୟରେ ନାହିଁ।ଏମିତି ଏକ ପିଲାଥିଲା ଭାରି ଦୁଷ୍ଟ। ଏମିତି ଦୁଷ୍ଟାମୀ କରୁଥିଲା ଘର ଲୋକ ତା ପାଇଁ ସର୍ବଦା ଚିନ୍ତିତ ଥିଲେ। ପ୍ରତ୍ୟେକ ଦିନ ଦୁଷ୍ଟାମୀ ହେବାର ଖବର ଘରକୁ ଆସିଥାଏ। ପୁଅର ଦୁଷ୍ଟାମୀ କେମିତି କମିବ ସେହି ଚିନ୍ତା ଘାରୁଥାଏ। ହଠାତ୍ ଦିନେ ଘରକୁ ହସ୍ତରେଖା ଦେଖି ଭବିଷ୍ୟତ କହୁଥିବା ଲୋକଟି ଆସିଲେ।ସେହି ବ୍ୟକ୍ତିକୁ ଘରେ ବସାଇଲେ। ପୁଅ ବିଷୟରେ ସବୁକଥା କହିଲେ। ପୁଅକୁ ଡାକିଲେ। ପୁଅର ହସ୍ତରେଖା ଦେଖି ବିଶାରଦ କହିଲେ ଏ ପୁଅ ହାତରେ ଭାଗ୍ୟରେଖା ନାହିଁ। ହାତର ନିଦ୍ଧିଷ୍ଟ ସ୍ଥାନକୁ ଦେଖେଇ କହିଲେ ଦେଖ ଏଠି ଭାଗ୍ୟରେଖା ଥିବା କଥା କିନ୍ତୁ ଏଠି କୌଣସି ରେଖା ନାହିଁ। ପିଲାଟି ଯେମିତି ଏକଥା ଶୁଣିଲା ସେଠାରୁ ରୋଷେଇ ଘରକୁ ଗଲା। ପରିବା କଟା ଛୁରୀ ଧରିଲା ହସ୍ତରେଖା ବିଶାରଦ ଯେଉଁଠି ଭାଗ୍ୟରେଖା ନାହିଁ ବୋଲି କହୁଥିଲେ ସେଠି ଛୁରୀରେ ଏକ ରେଖା ଟାଣିଲା।ଧାର ଧାର ରକ୍ତ ନିଗିଡି ପଡୁଥାଏ। ହସ୍ତରେଖା ବିଶାରଦ ପାଖକୁ ଯାଇ କହିଲା ଏବେ ଦେଖନ୍ତୁ ପଣ୍ଡିତେ ମୋର ଭାଗ୍ୟରେଖା। ପିଲାଟିର ଏମିତି ମନୋଭାବ ଦେଖି ପଣ୍ଡିତ ମହୋଦୟ ବିସ୍ମୟ ହେଲେ। ଯିଏ ନିଜର ଭାଗ୍ୟରେଖାକୁ ବଦଲାଇବାର କ୍ଷମତା ରଖୁଛି। ଏ ପିଲା ଭବିଷ୍ୟତରେ ଏକ ପ୍ରକାଣ୍ଡ ପଣ୍ଡିତ ହେବ ବୋଲି କହିଲେ। ସତକୁ ସତ ସେଦିନର ଦୁଷ୍ଟପିଲା ଏକ ମହାନ ପଣ୍ଡିତ ହେଲେ ଯାହାକୁ ଆମେ ସମସ୍ତେ ଚାଣକ୍ୟ ଭାବରେ ଜାଣିଛେ।
ନିଜ କର୍ମ ଓ ଦୃଢତା ପାଇଁ ଚାଣକ୍ୟ ହେବାର ମହାନ ଗୌରବ ପ୍ରାପ୍ତହେଲେ। କର୍ମ ନିକଟରେ ନିଜ ଭାଗ୍ୟରେଖା ମଧ୍ୟ ପରିବର୍ତ୍ତନଶୀଳ। ଏଣୁ ସମସ୍ତଙ୍କୁ କର୍ମ କରିବାକୁ ହେବ। ପୁଣି କର୍ମଫଳ ଭୋଗ ନିଜେ କରିବାକୁ ହୋଇଥାଏ। ଦସ୍ୟୁ ରତ୍ନାକରକୁ ନାରଦ ପଚାରିଲି। ତମେ ଯେଉଁ ଦସ୍ୟୁ କର୍ମ କରି ଉପାର୍ଜନ କରୁଛ ଓ ପରିବାର ପୋଷୁଛ ସେହି ପାପର ଭାଗୀଦାର ତମ ପରିବାର ଲୋକ ହେଉଛନ୍ତି କି ନାହିଁ ପଚାରି ଆସ। ରତ୍ନାକର ପରିବାର ସମସ୍ତଙ୍କୁ ପଚାରିଲେ ସମସ୍ତେ କହିଲେ ପରିବାର ପ୍ରତିପୋଷଣ କରିବା ତମର ଦାୟିତ୍ବ। ତମେ ମଣିଷ ମାରି କି ଡାକୁକରି ଉପାର୍ଜନ କରୁଛ ତମକ ଜଣା। ଆଉ ସେହିକର୍ମର ଫଳ ତମକୁ ଭୋଗିବାକୁ ହେବ। ନାରଦ ପାଖରୁ ରତ୍ନାକର ଫେରି ସମସ୍ତ କଥା କହିଲେ। ନାରଦ ଠାରୁ ଉପଦେଶ ଶୁଣି ମରା ମରା ଜପିଲେ। ଶେଷରେ ଦସ୍ୟୁ ରତ୍ନାକର ବାଲ୍ମୀକିରେ ରୂପାନ୍ତରିତ ହୋଇଥିଲେ। ମହାକାବ୍ୟ ରାମାୟଣ ଲେଖିବାର ସାମର୍ଥ୍ୟ ହାସଲ କରିପାରିଥିଲେ। କର୍ମଯେ ମଣିଷକୁ ପରିବର୍ତ୍ତନ କରିଥାଏଦୈନନ୍ଦିନ ଜୀବନରେ ସମସ୍ତଙ୍କୁ କିଛି କିଛି କର୍ମ କରିବାକୁ ପଡିବ। ଆଜିର ସମୟରେ ସମସ୍ତେ ଚାହୁଁଛନ୍ତି ଅଳ୍ପ କିଛି କର୍ମ କରି ବହୁତ ଫଳ ପାଇବା।ଯହା ଅସମ୍ଭବ ମନେହୁଏ। ଆଜିର ଯୁବପିଢ଼ି କର୍ମ ନକରି ଅତ୍ୟନ୍ତ ନୈରାଶ୍ୟରେ ଜୀବନ ଯାପନ କରୁଛନ୍ତି। ସରକାରୀ ଚାକିରୀ ଅନ୍ୱେଷଣରେ ଶେଷରେ ହତାଶା ଭାବରେ ବଂଚୁଛନ୍ତି।ଏପରି ହତାଶା ଭାବ ଅନେକ ଅସାମାଜିକ କର୍ମ କରିବାକୁ ପ୍ରେରଣା ଯୋଗାଇଥାଏ।ଏଣୁ ବେଳରୁ ହିଁ ଯେ କୌଣସି ଏକ କର୍ମରେ ନିଜକୁ ନିୟୋଜିତ କରିବାକୁ ହେବ।ଭବିଷ୍ୟତରେ ଏହି କର୍ମ ହିଁ ସବୁକିଛି ପ୍ରଦାନ କରିଥାଏ।କର୍ମକୁ ସାନ ବଡ ନଭାବି ସ୍ୱକର୍ମ କରିବା ଉଚିତ। କର୍ମ ଭିତରେ ଈଶ୍ବରଙ୍କ ଅନୁଭବ କଲେ ଜୀବନ ସାର୍ଥକ ହୋଇଥାଏ। କର୍ମ ସୁଖ ଦୁଃଖର ନିର୍ଦ୍ଧାରକ। ତେଣୁତ କର୍ମକୁ ଈଶ୍ୱର କହନ୍ତି।
ଆଜି ଶ୍ରେଣୀରେ ପଢୁଥିବା ଛାତ୍ର ଆସନ୍ତାକାଲି ହାକିମ ହୋଇ ଆସିବ କିଏ କହିବ ? କାହାକୁ ମଧ୍ୟ ଛୋଟ ମନେ କରିବା ଅନୁଚିତ।କିଏ ଧନୀ, କିଏ ଗରିବ,କିଏ ଜ୍ଞାନୀ, କିଏ ମୂର୍ଖ ? କର୍ମ କରିଚାଲିଲେ ମଣିଷର ପରିବର୍ତ୍ତନ ହୋଇଥାଏ।ନିଜ ଭାଗ୍ୟର ପରିବର୍ତ୍ତନ ନିଜ ସଦକର୍ମ ଯୋଗୁଁ ସମ୍ଭବ ହୋଇଥାଏ।କାନ୍ଥରେ ରଂଗ ଲଗାଇଲେ କାନ୍ଥ ଯେମିତି ରଂଗରେ ଭରିଯାଏ।ଋତୁ ଅନୁସାରେ ପ୍ରକୃତିର ରଂଗ ଯେମିତି ବଦଳେ।
ଅନବରତ ନିଃସ୍ୱାର୍ଥପର ସେବା ଓ କର୍ମ କଲେ ମଣିଷ ଜୀବନ ବିବିଧ ରଂଗରେ ପରିପୂର୍ଣ୍ଣ ହୋଇଥାଏ।

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.