ଗୋଟିଏ ‘ବୃକ୍ଷ’ ଭବିଷ୍ୟତର ଗୋଟିଏ ‘ଜୀବନ’

ଗୋଟିଏ ‘ବୃକ୍ଷ’ ଭବିଷ୍ୟତର ଗୋଟିଏ ‘ଜୀବନ’

ଏସିଆ ମହାଦେଶରେ ଭାରତ ଅବସ୍ଥିତ , ଏହାର ଜଳବାୟୁ , ପାଣିପାଗ ବିଭାଗ ଦ୍ୱାରା ନିରୀକ୍ଷଣ  କରାଯାଇ ଚାରୋଟି ଭାଗରେ ବିଭକ୍ତ  କରା ହୋଇଛି ଯଥା : ଜାନୁଆରୀ ଏବଂ ଫେବୃଆରୀ ମାସ — ଶୀତ କାଳ,   ମାର୍ଚ୍ଚ , ଏପ୍ରିଲ ଏବଂ ମେ’ ମାସ–ଗ୍ରୀଷ୍ମ  କାଳ, ଜୁଲାଇ, ଅଗଷ୍ଟ ଏବଂ  ସେପ୍ଟେମ୍ବର ମାସ– ବର୍ଷା କାଳ, ଶେଷରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର –ବର୍ଷା ପରବର୍ତ୍ତୀ କାଳ ବୋଲି ଧରାଯାଏ, ଯଦିଓ ଆମେ ନଭେମ୍ବର ଶେଷ  କିମ୍ବା ଡିସେମ୍ବର ଆରମ୍ଭରୁ ଥଣ୍ଡା ଅନୁଭବ କରିଥାଉ I  ଭାରତବର୍ଷ ରେ ବିଭିନ୍ନ ପ୍ରାନ୍ତରରେ ତାପମାତ୍ରା ଅଲଗା ଅଲଗା ଥାଏ , ସୁନ୍ଦର ରଙ୍ଗୀନ ପରିବେଶ ଭରା ଗରମ ଦେଶ ଯେଉଁଠାରେ କି ବର୍ଷ ତମାମ ସୂର୍ଯ୍ୟ କିରଣ ପଡିଥାଏ ଓ ଜଳବାୟୁ ରେ ବିଭିନ୍ନତା ପରିଲକ୍ଷିତ ହୁଏ I ଭାରତର ଉତ୍ତର ଦିଗ ଥଣ୍ଡା ରହୁଥିବା ବେଳେ ମଧ୍ୟ ଭାଗ ଗରମ ତଥା ଦକ୍ଷିଣ ଭାଗ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ଦୃଷ୍ଟିଗୋଚର ହୁଏ I ଏଥିପାଇଁ ଆମର ଭୌଗଳିକ ପରିବେଶ ତଥା ମନୁଷ୍ୟକୃତ ପରିବେଶ ନଷ୍ଟ କରିବାର ଚେଷ୍ଟା ଦାୟୀ, ଯାହାଦ୍ୱାରା କି ଦିନକୁ ଦିନ ତାପମାତ୍ରା ବଢି ଚାଲିଛି ଆଉ ଜୀବନଯାତ୍ରା କଷ୍ଟ ଦାୟକ ହେଉଛି I  ଆମେ ଯଦି ସମସ୍ତେ ମିଶି ଚେଷ୍ଟା କରିବା ତେବେ ହୁଏତ କେତେକାଂଶରେ ଏହି ତାପମାତ୍ରାକୁ ନିୟନ୍ତ୍ରଣ  କରିବାକୁ ସକ୍ଷମ ହେବା I

           ପରିବେଶକୁ ଥଣ୍ଡା ରଖିବାକୁ ହେଲେ ଆମକୁ ଅନେକ ବିଷୟରେ ଧ୍ୟାନ ଦେବାକୁ ହେବ ଯଥା ଗାଡି ମୋଟରରୁ ନିର୍ଗତ କାର୍ବନ ମୋନକସାଇଡ , କଳ କାରଖାନାରୁ ନିର୍ଗତ ଦୂଷିତ ଧୂଆଁ,  ଜଙ୍ଗଲରେ ଲାଗିଥିବା  ନିଆଁ, ବର୍ଜ୍ୟବସ୍ତୁ ଜଳାଇବା ଜନିତ ପ୍ରଦୂଷଣ , ନିର୍ମାଣ ଜନିତ ପ୍ରଦୂଷଣ , ଫସଲ କଟା ହେବା ପରେ କୃଷି କ୍ଷେତ୍ରକୁ ଜଳାଇବା ଜନିତ ଉତ୍ତାପ ତଥା ପ୍ରଦୂଷଣ , ଭୂଗର୍ଭ ସ୍ଥିତ ତୈଳର ଜ୍ବଳନ, ଅତ୍ୟଧିକ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରର ବ୍ୟବହାର , ମନଇଚ୍ଛା କଂକ୍ରିଟ ଜଙ୍ଗଲ ବଢ଼ାଇ ଚାଲିବା, ନଦୀ, ପୁଷ୍କରଣୀ ତଥା ଜଳାଶୟ ଗୁଡିକୁ ପୋତିଦେବା , ଭୂଗର୍ଭରୁ ଅଧିକରୁ ଅଧିକ ଖଣିଜ ଉତ୍ତୋଳନ ତଥା ଭୂଜଳକୁ ଆବଶ୍ୟକତା ଠାରୁ ଅଧିକ ଉତ୍ତୋଳନ କରି ନଷ୍ଟ କରିବା  ଦ୍ୱାରା ପରିବେଶର ଉତ୍ତାପ ବଢି ବଢି ଚାଲିଛି I  ବୃକ୍ଷ ଲତାର ସଂରକ୍ଷଣ, ନୂତନ ଜଙ୍ଗଲ ସୃଷ୍ଟି କରିବା ସହିତ ଉପରୋକ୍ତ ବିଷୟ ଗୁଡିକ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ I  ସାରା ପୃଥିବୀର ଅନେକ ବୈଜ୍ଞାନିକ ଅନେକ ଚେତାବନୀ ଦେଲେଣି, ମେରୁ ଅଂଚଳର ତାପମାତ୍ରା ବଢୁଛି ଫଳରେ ବରଫ ତରଳିବ ଆଉ ସମୁଦ୍ରର ଜଳ ସ୍ତର ବଢି ଯିବ ଫଳରେ ସମୁଦ୍ର କୂଳରେ ଥିବା ସହର ତଥା ଜନବସତି ସମୁଦ୍ର ଜଳରେ ବୁଡ଼ିଯିବ , ଆମେ କ’ଣ ସେଇ ଦିନକୁ ଅପେକ୍ଷା କରିବା ? ନା’ ତା ‘ ଆଗରୁ କିଛି କରିବା ଯାହାଦ୍ୱାରା କି ଏହି ବିପଦକୁ ଏଡାଇ ଯାଇ ହେବ  I  ପୃଥିବୀ ବାସୀ   ଆଜି ଅନେକ ସମସ୍ୟା ନେଇ ବିବ୍ରତ , ଜୀବନ, ଜୀବିକା, ଯୁଦ୍ଧ , ସ୍ୱାସ୍ଥ୍ୟ , ଶିକ୍ଷା , ନିଶା କାରବାର , ମାନସିକ ବିକାରଗରସ୍ଥ ରାଷ୍ଟ୍ର , ରାଜନୈତିକ ଅସ୍ଥିରତା , ମାନବିକ ଅଧିକାର କ୍ଷୁର୍ଣ୍ଣ , ଶରଣାର୍ଥୀ ସମସ୍ୟା,  ଜାତି ଧର୍ମ୍ମ ଜନିତ ଦ୍ୱେଷ ଇତ୍ୟାଦି,  ତନ୍ମଧ୍ୟରୁ ପ୍ରଦୂଷଣ ଓ ଗ୍ଲୋବାଲ ହିଟ ଅନ୍ୟତମ I ମିଳିତ ଜାତିସଙ୍ଘ ମଧ୍ୟ ଏଥିପାଇଁ ଅନେକ ଚିନ୍ତିତ, ପୃଥିବୀକୁ ଆମେମାନେ କୌଣସି ନା କୋଣସି ଉପାୟରେ  ତିଳ ତିଳ କରି ଶୋଷଣ କରିଚାଲିଛୁ I  କାଳିଦାସଙ୍କ ପରି, ସେ  ଯେଉଁ  ଡାଳରେ ବସିଥିଲେ   ସେହି ଡାଳକୁ କାଟୁଥିଲେ, ଆମେ ମାନେ ଆଜି ଲୋଭର ବଶବର୍ତ୍ତୀ ହୋଇ ପୃଥିବୀକୁ ଜଳ, ସ୍ଥଳ ଆକାଶ ମାର୍ଗରେ ଶୋଷଣ କରି ଚାଲିଛୁ , ପରିବେଶର ସନ୍ତୁଳନ ଦେଖିବାକୁ ବେଳ କାହିଁ ? ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ରର ପରୀକ୍ଷା ନିରୀକ୍ଷା କେତେବେଳେ ସମୁଦ୍ର ଗର୍ଭରେ ତ’ କେତେବେଳେ ଆକାଶ ମାର୍ଗରେ ତ’ ଆଉ କେତେବେଳେ ଭୂମିତଳେ ହେଉଛି, ଏହା କ’ଣ ଆମ ପରିବେଶ ଖରାପ କରୁନାହିଁ?  ଦେଶ ଦେଶ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି କିଏ କେତେ ଯୁଦ୍ଧାସ୍ତ୍ରର ଅଧିକାରୀ I ଏହି ବିକୃତ ମାନସିକତା ଦିନେ ଆମର ସତ୍ତା ଲୋପ କରିଦେଇପାରେ I ଆଜିକାଲି ଆଉ ଶାନ୍ତି ନାହିଁ  “ଶାନ୍ତିର କପୋତ ଯାଇଛି ଉଡି ” ଏବେ ସବୁଠି ପ୍ରତିଯୋଗିତା ଆଉ ଅଶାନ୍ତିର ବାତାବରଣ ଦୃଶ୍ୟମାନ I ଆମାଜନ ଜଙ୍ଗଲରେ ଯେତେବେଳେ ନିଆଁ ଲାଗିଥିଲା ସେତେବେଳେ ସମସ୍ତେ ଚିନ୍ତିତ ଥିଲେ କାରଣ ଆମାଜନ ଜଙ୍ଗଲ ପୃଥିବୀକୁ ସବୁଠାରୁ ବେଶୀ ଅମ୍ଳଜାନ ଦେଇଥାଏ I ଜଙ୍ଗଲ ବର୍ତ୍ତମାନ ଆମର ଏକମାତ୍ର ସମ୍ବଳ ତେଣୁ କିଛି ନ’ହେଲେ ବି ଆମେ ନୂତନ ଜଙ୍ଗଲ ସୃଷ୍ଟି କରିପାରିବା I
   
           ଏବେ ବିଶ୍ୱ ଦରବାରକୁ ଛାଡ଼ି ଆମେ ଭାରତ ବର୍ଷକୁ ଟିକେ ନଜର ଦେବା, ସରକାରଙ୍କ ବନୀକରଣ   ବିଭାଗ ପ୍ରତିବର୍ଷ କାଗଜ ପତ୍ରରେ ଯେତେ ନୂତନ ଜଙ୍ଗଲ ସୃଷ୍ଟି ହେଉଥିବା କଥା ଦର୍ଶାଉଛି ତାହା ସମ୍ପୂର୍ଣ୍ଣ ଭୁଲ  କହିଲେ ଅତ୍ୟୁକ୍ତି ହେବ ନାହିଁ , ପ୍ରଦୂଷଣ ବିଭାଗ ବି ସ୍ଥାଣୁ , ଜନ ସଚେତନତା ଦଶ ପ୍ରତିଶତରୁ ବି କମ, ଟଙ୍କା ଆସୁଛି , କାଗଜ ପତ୍ରରେ ଖର୍ଚ୍ଚ ହେଉଛି I ଦେଶ ପଛେ ନର୍କ କୁ ଯାଉ  ସେଥିପାଇଁ ଚିନ୍ତା ନାହିଁ, ….ଆଜିବି ସେଇ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ  ପିଲାଦିନେ ପଢିଥିବା କବିତା ମନେ ଅଛି ” ମିଶୁ ମୋର ଦେହ ଏ’ ଦେଶ ମାଟିରେ  ଦେଶ ବାସୀ  ଚାଲି ଯା’ନ୍ତୁ ପିଠିରେ , ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼, ପୁରୁ ତହିଁ ପଡି ମୋର ମାଂସ ହାଡ଼ ”  ଆଉ ଆଜି ସମସ୍ତେ ଅନ୍ୟର ମାଂସ, ହାଡ଼ ଖାଇ  ଦେଶର  ଅର୍ଥନୀତିକୁ ଦୁର୍ବଳରୁ ଆହୁରି ଦୁର୍ବଳ କରିବାରେ ଚେଷ୍ଟିତ , ହୁଏତ ଏଇଟା ସେମାନଙ୍କର ଜନ୍ମ ସିଦ୍ଧ ଅଧିକାର ବୋଲି ଭାବନ୍ତି I ସରକାର  ଅଶି କୋଟି ଲୋକଙ୍କୁ ମାଗଣାରେ ପାଞ୍ଚ କିଲୋ ଚାଉଳ ଦେବାକୁ ଘୋଷଣା କରିଛନ୍ତି ଏହା ହୁଏତ ମାଗଣା ଖିଆଙ୍କୁ ଖୁବ ଆନନ୍ଦ ଦେଉଥିବ,  ସରକାର ଅଶି କୋଟି ଲୋକଙ୍କୁ ମାଗଣାରେ ଚାଉଳ ଦେବା ସହିତ ଗୋଟିଏ ଛୋଟ କାମ ବି’ ଦିଅନ୍ତୁ,  କିଛି ନ’ହେଲେ ଅଶି କୋଟି ଲୋକ ପ୍ରତ୍ୟକେ ମାସକୁ  ପାଞ୍ଚ କିଲୋ ଚାଉଳ ବଦଳରେ  ବର୍ଷକୁ  ପାଞ୍ଚୋଟି ଗଛ ଲଗାନ୍ତୁ ଓ ଏହାର ଯତ୍ନ ନିଅନ୍ତୁ ଫଳରେ ଚାରି ଶହ କୋଟି ଗଛ ଲାଗି ପାରିବ ତାହା ମଧ୍ୟରୁ ତିରିଶ ପ୍ରତିଶତ ନଷ୍ଟ ହୋଇଗଲେ ବି ବାକି ସତୁରି ପ୍ରତିଶତ ଗଛ ବଂଚିବଆଉ ଦେଶରେ ବୃକ୍ଷର ସଂଖା ବି ପ୍ରତି ବର୍ଷ ବଢି ବଢି ଚାଲିବ I  ଦୁଇଟି ସୁସ୍ଥ ସବଳ ବଡ଼ ଗଛରୁ ନିର୍ଗତ ହେଉଥିବା ଅମ୍ଳଜାନ ଚାରୋଟି ପରିବାରର ଅମ୍ଳଜାନ ଚାହିଦା ମେଣ୍ଟାଈ  ପାରୁଛି ବୋଲି ବୈଜ୍ଞାନିକ ମାନଙ୍କ ମତ, ନୂତନ ଜଙ୍ଗଲ ସୃଷ୍ଟି ଦ୍ୱାରା ଆମେ ଅନେକ ପରିମାଣରେ ଉତ୍ତାପକୁ କମାଇଦେଇ ପାରିବା I  ବୃକ୍ଷ ରୋପଣ ଉପରେ ଗୁରୁତ୍ତ୍ୱ ଦେଇ ଅନ୍ୟ ପ୍ରଦୂଷଣକୁ କମ କରିବାକୁ ପଦକ୍ଷପ ନେବାକୁ ବିନମ୍ର ଅନୁରୋଧ I 

Related post

ରାଜ୍ୟ ପ୍ରଗତି କିପରି ସମ୍ଭବ? ବିଧାନସଭା ଗୃହ ଅଚଳାବସ୍ଥା କାହିଁକି ?

ରାଜ୍ୟ ପ୍ରଗତି କିପରି ସମ୍ଭବ? ବିଧାନସଭା ଗୃହ ଅଚଳାବସ୍ଥା କାହିଁକି ?

ଫୋକସ ପ୍ଲସ (ବ୍ୟୁରୋ) ୦୫/୦୭/୨୦୨୨: ଆମ ରାଜ୍ୟ ବିଧାନସଭାରେ କେତେକ ଜରୁରୀ ପ୍ରସଂଗ ଉପରେ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଶାସକଦଳ ପକ୍ଷରୁ କାଳେ ଏଡାଇଯାଉଥିବା ଏବେ ଚର୍ଚ୍ଚା ଚାଲିଛି।…
୩ ଦିନିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍

୩ ଦିନିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍

ଫୋକସ ପ୍ଲସ (ଗଞ୍ଜାମ) ୦୫/୦୭/୨୦୨୨: ଗଞ୍ଜାମ ଜିଲ୍ଲା ଆସିକା ସଂସଦୀୟ କ୍ଷେତ୍ର ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାରଙ୍କ ରେଳ ଓ ଟେକ୍ସଟାଇଲ ମନ୍ତ୍ରୀ (ସ୍ବାଧୀନ) ଦର୍ଶନା ଜର୍ଦ୍ଦୋସ୍। ମନ୍ତ୍ରୀ…
ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଫୋକସ ପ୍ଲସ (ଦଶମନ୍ତପୁର) ୦୫/୦୭/୨୦୨୨: ଜଣେ ଅସହାୟ ବୃଦ୍ଧାଙ୍କ ଆଧାର କାର୍ଡ ନଥିବା ରୁ ଏକ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଭତ୍ତା ଟଙ୍କା ଦିଆ ଯାଉନ ଥିବା…

Leave a Reply

Your email address will not be published.