ଭାରତୀୟ ରେଳ ସେବା କ’ଣ ଗରିବଙ୍କୁ ନ୍ୟାୟ ଦେଉଛି?

ଭାରତୀୟ ରେଳ ସେବା କ’ଣ ଗରିବଙ୍କୁ ନ୍ୟାୟ ଦେଉଛି?

ଭାରତୀୟ ରେଳବାଇ ଭାରତବର୍ଷର ଗର୍ବ କହିଲେ ଅତ୍ୟୁକ୍ତି ହେବନାହିଁ , ବ୍ରିଟିଶ ସରକାର ୧୬ ଏପ୍ରିଲ ୧୮୫୩ ମସିହାରେ ପ୍ରଥମେ ଯାତ୍ରୀବାହୀ ରେଳଗାଡ଼ି ବୋରିବନ୍ଦର (ମୁମ୍ବାଇ )ରୁ ଥାନେ ପର୍ଯ୍ୟନ୍ତ ୩୪ କିଲୋମିଟର ଚଳାଇ ଇତିହାସ ରଚିଥିଲେ I  ସେତେବେଳେ ଏହି ରେଳଗାଡ଼ିଟିରେ ୧୩ ଟି ଯାତ୍ରୀ ପରିବହନ ଡବା ଲାଗୁଥିଲା ଏହାକୁ ଟାଣିବା ପାଇଁ ତିନୋଟି ବାଷ୍ପ ଚାଳିତ ଇଂଜିନ ବ୍ୟବହାର ହେଉଥିଲା , ସେହି ଇଂଜିନ ଗୁଡିକର ନାମ ମଧ୍ୟ ଖୁବ ଲୋକପ୍ରିୟ ସାହିବ, ସୁଲତାନ ଓ ସିନ୍ଧ ଥିଲା I ଏହା ଯଦିଓ ଏବେ ଇତିହାସ ତେବେବି ଇତିହାସକୁ ଅଵଲୋକନ କରି ଭବିଷ୍ୟତ ଗଢିବାର ସ୍ବପ୍ନ ସାକାର କରାଯାଏ ବୋଲି ମୋର ମନେ ହୁଏ I  ସମୟ ସହିତ ତIଳ ଦେଇ ଭାରତୀୟ ରେଳବାଇର ଅନେକ ପରିବର୍ତ୍ତନ ହୋଇଛି ଆଜି ସେଇ ବାଷ୍ପଚାଳିତ ଇଂଜିନ ନାହିଁ କି ସେଇ ଝୁକ ଝୁକ  ଶବ୍ଦ ନାହିଁ’ କି କଳା  ମଚ ମଚ ଧୂଆଁ ନାହିଁ I 

          ପୃଥିବୀରେ  ରେଳବାଇ କ୍ଷେତ୍ରରେ ଭାରତ ଚତୁର୍ଥ ସ୍ଥାନରେ ରହିଛି  ୧,୨୬,୫୨୧   କିଲୋମିଟର ରେଳଲାଇନ ଦ୍ୱାରା ଏହା ଭାରତର କୋଣ ଅନୁକୋଣକୁ ସଂଯୋଗ କରୁଛି I ସତ କହିବାକୁ ଗଲେ ଭାରତୀୟ ରେଳ ଭାରତୀୟଙ୍କ ଜୀବନରେଖା, ରେଳ ବିନା ଅନ୍ୟ ଗତି ନାହିଁ  ତେଣୁ ଧନୀ ଠାରୁ ଦରିଦ୍ର , ପିଲା ଠାରୁ ବୁଢା ସମସ୍ତେ ରେଳ ପରିବହନ ଉପରେ ଶତକଡା ୭୫ ଭାଗ ନିର୍ଭର କରନ୍ତି I ଖାଲି ସେତିକି ନୁହେଁ ମାଲ ପରିବହନର ସବୁଠାରୁ ବଡ଼ ଭୂମିକା ରେଳ ବିଭାଗ ଦ୍ୱାରା ହୋଇଥାଏ I    ଦୈନିକ ୧୩ ହଜାରରୁ ଅଧିକ ରେଳଗାଡ଼ି ଯାତ୍ରୀ ପରିବହନ କାର୍ଯ୍ୟରେ ନିୟୋଜିତ ହୋଇଥାଏ, ଏହା ହୁଏତ ପୃଥିବୀର ସବୁଠାରୁ ବଡ଼ ପରିବହନ ବ୍ୟବସ୍ଥା , ଏତେବଡ଼ ସଂସ୍ଥାକୁ ଚଳାଇବାପାଇଁ ପାଖାପାଖି ୧୫ ଲକ୍ଷ କର୍ମଚାରୀ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇଥାନ୍ତି Iରେଳ ମନ୍ତ୍ରଣାଳୟ ଭାରତର ସର୍ବବୃହତ ସଂସ୍ଥାକୁ ପରିଚାଳନା କରନ୍ତି I  ଆଧୁନିକ ଯୁଗକୁ ଲକ୍ଷ ରଖି ଓ ବିଦେଶୀ ରେଳ ଚଳାଚଳ ଜ୍ଞାନକୌଶଳକୁ ଗ୍ରହଣ କରି ତୁଳନାତ୍ମକ ଭାବେ ଆଧୁନିକ ଆରାମଦାୟକ  ରେଳଡବା, ଉଚ୍ଚ ଶକ୍ତି ସମ୍ପନ୍ନ ରେଳ ଇଂଜିନ, ମସୃଣ ରେଳ ଧାରଣା, ବିଦ୍ୟୁତକରଣ , ଆଧୁନିକ ସିଗ୍ନାଲ , ଉଚ୍ଚ ମାନର ରେଳ ଷ୍ଟେସନ , ଯାତ୍ରୀନିବାସ, ପରିସ୍କାର ପରିଚ୍ଛନତା ଉପରେ ଅଧିକରୁ ଅଧିକ ଧ୍ୟାନ ଦେଇଆସୁଛି I ସବୁଠାରୁ ବଡ଼କଥା ହେଲା ନିରାପତ୍ତା ଏହାକୁ ଗୁରୁତ୍ୱର ସହ ବିଚାରକୁ ନିଆ ହୋଇଛି , ନିରାପତ୍ତା ବିହୀନ ଯାତ୍ରାର ମାନେ ମୃତ୍ୟୁ ସହିତ ଖେଳ, ତୃଣମୂଳ ସ୍ଥରରୁ ଏହି ନିରାପତ୍ତା ସବୁ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ Iବର୍ତ୍ତମାନ ଆମେ ରେଳବାଇର ଆଉ ଏକ ଦିଗ ବିଷୟରେ କିଛି ଆଲୋକପାତ କରିବା I ଭାରତ ବର୍ଷ ରେ ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀବାହୀ  ଗାଡିରୁ  ଗରିବ ଯାତ୍ରୀ କେତେ ଲାଭ ପାଉଛନ୍ତି? ଯାତ୍ରୀବାହୀ ରେଳ ଗାଡି ରେ ୧୨ ଟିରୁ ନେଇ ୨୪ ଟି ଓ କେତେକ ସ୍ଥାନରେ ୨୬ ଟି ଡବା ଦିଆ ଯାଇଥାଏ, ଟିକେ ଯଦି ତର୍ଜମା କରିବା ଦୂରଗାମୀ ଏକ୍ସପ୍ରେସ, ମେଲ, ସୁପରଫାଷ୍ଟ, ଇତ୍ୟାଦି ଗାଡ଼ିରେ ସାଧାରଣ ଯାତ୍ରୀଙ୍କ ପାଇଁ କେତୋଟି ଡବା ଥାଏ?  ସବୁ ଆରକ୍ଷିତ ଆଉ ଇଂଜିନ ପାଖରେ ଗୋଟିଏ କି ଦୁଇଟି ଓ ଶେଷ ରେ ଗୋଟିଏ ଡବା ଥାଏ I ଆରକ୍ଷିତ ସ୍ଥାନ ପାଇଁ ଆରକ୍ଷିତ ମହାସୁଲ ନେଇ ଟିକେଟ ଦିଆହେଉଥିବା ବେଳେ ଅଣଆରକ୍ଷିତ ଶ୍ରେଣୀରେ ଡବାର ବସିବା ଓ ଛିଡା ହେବାର କ୍ଷମତା ଠାରୁ ଢେର ଅଧିକ ଟିକେଟ ରେଳବାଇ ବିକ୍ରୀକରିଥାଏ, ସତ କହିବାକୁ ଗଲେ ଯଦି ଡବାରେ ୧୦୪ ଜଣ ବସିବା କ୍ଷମତା ଥାଏ ତେବେ ସେହି ଡବା ରେ ୪୦୦/୫୦୦ ଯାତ୍ରୀ ପୋକ ମାଛି ପରି ଯାତ୍ରା କରିବାର ଦେଖାଯାଏ, ଏଥିପ୍ରତି ରେଳବାଇର କୌଣସି ନିୟମ ବା ଅନୁଶୋଚନା ନାହିଁ I  

         ମାନବିକତା ବିହୀନ ଯାତ୍ରୀ ପରିବହନ କେତେଦୂର ଯଥାର୍ଥ?? ରେଳବାଇର ଯୁକ୍ତି:-” ଆମେ ସବୁଠାରୁ କମ ମୂଲ୍ୟର ଟିକେଟରେ ଦେଶର ଅଗଣିତ ଗରିବଙ୍କୁ ଅଣ ସଂରକ୍ଷିତ ଶ୍ରେଣୀରେ ଯାତ୍ରା କରାଇପାରୁଛୁ ଏହା ଆମପାଇଁ ଗର୍ବ” ଯଦି ଗୋଟିଏ  ଦୂରଗାମୀ ରେଳ ଗାଡ଼ିରେ ସାଧାରଣ ଅଣ ସଂରକ୍ଷିତ ସିଟ ସଂଖ୍ୟା ୩୦୦ ଥାଏ ତେବେ ସେଇ ରେଳଗାଡ଼ି ପାଇଁ ୩ ହଜାର  ଟିକେଟ ବିକ୍ରି କରିବାରେ ରେଳବାଇର କୁଣ୍ଠା ନାହିଁ , ଭାଇ ! ଆପଣମାନେ ତ’ ବହୁତ ବିଜ୍ଞ ଲୋକ ରେଳବାଇର ବହୁ ପଦସ୍ଥ ଜାଗାରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି କେବେ ତୃଣମୁଳକୁ ଯାଇ ଦେଖିଛନ୍ତି କି? ପିଲାଛୁଆ ନେଇ ସାଧାରଣ ଶ୍ରେଣୀର ଯାତ୍ରୀ କେତେ ଅସୁବିଧାରେ ଯାତ୍ରା କରୁଛନ୍ତି? ସେମାନଙ୍କ ନିରାପତ୍ତା ନାହିଁ କହିଲେ ଚଳେ, ପଶୁ ତୁଲ୍ୟ ବ୍ୟବହାର ସେମାନେ ରେଳ କର୍ମଚାରୀଙ୍କ ଠାରୁ ପାଆନ୍ତି, ତେବେବି ଦେହକୁ କାଠ କରି ନିର୍ଲଜ୍ଜ ପରି ସବୁ ସହି ନିଅନ୍ତି କାରଣ ସେମାନେ ସାଧାରଣ ଶ୍ରେଣୀର ଯାତ୍ରୀ ଆଉ ସେମାନଙ୍କ  ଅଧିକାର  କେବଳ ପଶୁ ପରି ଯାତ୍ରା କରିବା ତା’ଠାରୁ ଅଧିକ ଆଶା କେବଳ ରେଳବାଇ ପୋଲିସ ର ଲାଠି ଦେଇପାରେ I ନିର୍ଯାତନାର ଗୋଟିଏ ସୀମା ଅଛି , ବଡ଼ ବଡ଼ ଷ୍ଟେସନ( ହାଓଡ଼ା ) ରେ ଦୂରଗାମୀ ଗାଡିର ସାଧାରଣ ଯାତ୍ରୀ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଛିଡା ହେବାର ଦୃଶ୍ୟ ଦେଖିଛି, ମଝିରେ ମଝିରେ ପୋଲିସର ନାଲି ଆଖି, ଲାଠିର ବ୍ୟବହାର ବି ଦେଖିଛି, ଗାଡି ପ୍ଲାଟଫର୍ମରେ ଲାଗିବI ପରେ ପାଗଳପରି ଦୌଡିବା ଅସାଧୁ ଉପାୟରେ ସିଟ ଟିଏ ଯୋଗାଡ଼ କରିବା ଆଉ ପିଠିରେ ଲାଠିର ସ୍ୱାଦକୁ ନେଇ ବିଚାରI ଯାତ୍ରୀଟି ନିଶ୍ଚିନ୍ତ ହୁଏ ଯେ, ସେ  ଗନ୍ତବ୍ୟ ସ୍ଥାନରେ ପହଂଚିଯିବ I ରେଳ ଗାଡ଼ିଟିରେ କେତେ ଯାତ୍ରୀ ବସିବାର କ୍ଷମତା ଅଛି ଆଉ କେତେ ଟିକଟ ବିକ୍ରି ହୋଇଛି ତା’ ଦେଖିବା କଥା , ତେଣୁ କେତେ ଟିକେଟ ବିକ୍ରି ହେବ ତା’ର କ’ଣ କୌଣସି ହିସାବ ରେଳବାଇ କରିପାରିବନାହିଁ ? ଯେଉଁଥିରେ କି ଯାତ୍ରୀମାନେ ଶୃଙ୍ଖଳିତ ଭାବେ ଯାତ୍ରା କରିପାରିବେ, ତା’ ଛଡା ରେଳ ଗାଡିଟି ଗନ୍ତବ୍ୟ ସ୍ଥଳକୁ ଯିବା ବାଟରେ ଅନେକ ଷ୍ଟେସନରେ ରୁହେ , କେତେ ଯାତ୍ରୀ  ଓଲ୍ହାନ୍ତି ଆଉ କେତେ ଚଢ଼ନ୍ତି  ସେଠି ମଧ୍ୟ  ଭିଡ଼କୁ ଶୃଙ୍ଖଳିତ କରିବା ଉଚିତ I ସବୁଠାରୁ ବଡ଼କଥା ହେଲା ସାଧାରଣ ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ଡବା ସଂଯୋଗର ଆବଶ୍ୟକତା ପରିଲକ୍ଷିତ ହେଉଛି ବା ସ୍ୱତନ୍ତ୍ର ରେଳଗାଡ଼ି ଯାହାକି ପୁରା ଅଣ ସଂରକ୍ଷିତ ହୋଇଥିବ ତାହା ଚଳାଇବାକୁ ଅନୁରୋଧ , ନିମ୍ନ ବର୍ଗର ଲୋକମାନେ ଦେଶର ତୃଣମୂଳର ଖମ୍ବ   ସଦୃଶ , ସେମାଙ୍କୁ ଆମେ ଅଣଦେଖା କରି ପାରିବ ନାହିଁ I

              ଦୟାକରି ଏହି ସବୁ ବିଷୟରେ ପୁଙ୍ଖନୁ ପୁଙ୍ଖ ତର୍ଜମା ହେବାର ସମୟ ଉପନୀତ, ବ୍ରିଟିଶ ସାଶନ ପରି ସ୍ୱାଧୀନ ଭାରତର ସରକାର କ’ଣ ଏହି ସବୁ ବିଷୟ ଧ୍ୟାନ ଦେଇ ପାରୁନାହାନ୍ତି? ଦୂରଗାମୀ ରେଳରେ ଆହୁରି ଅଧିକ ସାଧାରଣ  ଡବା ଲଗାଇ ସଂରକ୍ଷିତ ଡବା ସଂଖ୍ୟା କମାଇ ଦିଆ ଯାଇ ପରେ I କେବଳ ଉଚ୍ଚ ବର୍ଗର ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ଏତେ ଆଗହୀ କାହିଁକି? ସାଧାରଣ ଜନତାର  ସେବା ମାନେ କ’ଣ ଏହିପ୍ରକାର ସେବା ??ଅସାଧୁ ରେଳ କର୍ମଚାରୀଙ୍କ ପ୍ରଧାନ ଆୟର ମାଧ୍ୟମ ଏହି ସାଧାରଣ  ଶ୍ରେଣୀର ଯାତ୍ରୀ ତେଣୁ କିଛି ଜାଗାରେ ଯାତ୍ରୀଙ୍କ ଦେହସୁହା ହୋଇଗଲାଣି ଏହି ପ୍ରକ୍ରିୟାରେ,  ହସି ଉଡାଇଦେବାର ସମୟ ନୁହେଁ ଆମେ ନିଜକୁ ଯେତେ ବଡ଼, ଜ୍ଞାନୀ ଆଉ ଉନ୍ନତ ଭାବିଲେ କଣ ହେବ ? ଯେତେଦିନ ସମସ୍ତଙ୍କୁ ନିଜର ସମାନ ଅଧିକାର ନ’ ମିଳିଛି ସେତେଦିନ ଗଣତନ୍ତ୍ରର ମାନେ କିଛି ନାହିଁ , ଏହା ରାଜତନ୍ତ୍ର ଠାରୁ ବି କଷ୍ଟଦାୟକ I  ରେଳବାଇ ବରିଷ୍ଠ ଅଧିକାରୀ ତଥା ରେଳ ମନ୍ତ୍ରଣାଳୟକୁ ମୋର ବିନମ୍ର ନିବେଦନ ସାଧାରଣ ଯାତ୍ରୀଙ୍କ ପାଇଁ କିଛି କରନ୍ତୁ ସେଇମାନେ ବି ଆମପରି ଜଣେ ଜଣେ ଦେଶର ନାଗରିକ I  କ୍ରୀତଦାସ ପରି ସେମାଙ୍କୁ ବ୍ୟବହାର କରିବା ନିହାତି ଅମାନୁଷିକ ଆଉ କ୍ଷୋଭର ବିଷୟ I   

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.