ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କ ୧୦ଟଙ୍କିଆ କାହାଣୀ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କ ୧୦ଟଙ୍କିଆ କାହାଣୀ

ଫୋକସ ପ୍ଲସ (ଭୁବନେଶ୍ୱର)୨୨/୦୬/୨୦୨୨: ପ୍ରଥମେ ଶିକ୍ଷୟିତ୍ରୀରୁ ରାଜନୀତି । ବିଧାୟିକାରୁ ମନ୍ତ୍ରୀ । ମନ୍ତ୍ରୀରୁ ରାଜ୍ୟପାଳ । ଆଉ ଏବେ ରାଜ୍ୟପାଳରୁ ରାଷ୍ଟ୍ରପତି ପ୍ରାର୍ଥୀ। ଓଡିଶାର ଜଣେ ସାଧାରଣ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛି ଏନଡିଏ। ବିଜେପି ନେତୃତ୍ୱାଧିନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ଚେହେରା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି ଏନଡିଏ । ବିଜେପି ସଂସଦସୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି l ନିର୍ବାଚିତ ହେଲେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ଓଡ଼ିଶାର ଦ୍ରୌପଦୀ ମୁର୍ମୁ । ୧୯୫୮ ମସିହା ଜୁନ୍‌ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ୍‌ ଉପରବଡ଼ୋ ଗାଁରେ ଏକ ସାନ୍ତାଳ ପରିବାରରେ ଜନ୍ମ ନେଇଥିଲେ ଦ୍ରୌପଦୀ । ମୟୁରଭଞ୍ଜ ରାଜାଙ୍କ ଦରବାରରେ ଜଣେ କର୍ମଚାରୀ ଥିଲେ ବାପା ବିରଞ୍ଚି ନାରାୟଣ ଟୁଡୁ । ଗାଁ ପ୍ରାଥମିକ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ଦ୍ରୌପଦୀ । ୧୯୭୦ ମସିହାରେ ଭୁବନେଶ୍ୱର ଆସି ୟୁନିଟ୍‌-୨ ବାଳିକା ହାଇସ୍କୁଲରେ ମାଟ୍ରିକ୍‌ ଓ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଶେଷ କରିଥିଲେ । ୧୯୭୯ ମସିହାରେ ସଚିବାଳୟରେ ଚାକିରି ଜୀବନ ଆରମ୍ଭ କରିଥଲେ । କୁସୁମୀ ବ୍ଲକ୍‌ ପାହାଡପୁର ଗାଁର ଶ୍ୟାମଚରଣ ମୁର୍ମୁଙ୍କୁ ବାହା ହେବା ପରେ ଦ୍ରୌପଦୀ ଟୁଡୁରୁ ଦ୍ରୌପଦୀ ମୁର୍ମୁ ପାଲଟି ଯାଇଥିଲେ । ପାରିବାରିକ କାରଣରୁ ସରକାରୀ ଚାକିରି ଛାଡ଼ି ୧୯୯୪ରେ ରାଇରଙ୍ଗପୁର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କରିଥିଲେ । ପରେ ରାଜନୀତିକୁ ଓହ୍ଲାଇ ରାଇରଙ୍ଗପୁର ଏନଏସି କାଉନସିଲର୍‌ ଓ ଉପାଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ ।୨୦୦୦ ମସିହାରେ ରାଇରଙ୍ଗପୁର ବିଧାନସଭା ଆସନରୁ ବିଜେପି ଟିକେଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ଓଡ଼ିଶାରେ ବିଜେଡି- ବିଜେପି ମେଣ୍ଟ ସରକାର ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ୨୦୦୦ ମସିହାରୁ ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଦ୍ରୌପଦୀ । ପରେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରହିଥିଲେ । ୨୦୦୪ରେ ଦ୍ୱିତୀୟ ଥର ରାଇରଙ୍ଗପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୭ରେ ତାଙ୍କୁ ବିଧାନସଭାର ଶ୍ରେଷ୍ଠ ବିଧାୟକ ପୁରସ୍କାର ମଧ୍ୟ ମିଳିଥିଲା । ୨୦୧୫ ମସିହାରେ ଦ୍ରୌପଦୀ ଧୀରେ ଧୀରେ ଜାତୀୟ ସ୍ତରରେ ଚର୍ଚ୍ଚା ପରିସରକୁ ଆସିଥିଲେ । ତାଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ସେ ଥିଲେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ । ୨୦୨୧ ମସିହା ପର୍ଯ୍ୟନ୍ତ ୬ ବର୍ଷ ସେ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ବହନ କରିଥିଲେ । ଦ୍ରୌପଦୀଙ୍କ ସ୍ୱାମୀ ଜଣେ ବ୍ୟାଙ୍କ ମ୍ୟାନେଜର ଥିବା ବେଳେ କିଛି ବର୍ଷ ତଳେ ତାଙ୍କର ଦେହାନ୍ତ ହୋଇଯାଇଛି । ସେହିପରି ଦୁଇ ପୁଅଙ୍କ ପରଲୋକ ହୋଇଥିବାବେଳେ ଏବେ ତାଙ୍କର ଗୋଟିଏ ଝିଅ ଅଛନ୍ତି । ଏବେ ରାଇରଙ୍ଗପୁର ସହରର ମହୁଲଡିହାରେ ନିଜ ଘରେ ସେ ରହୁଛନ୍ତି । ବର୍ତ୍ତମାନ ଦ୍ରୌପଦୀଙ୍କ ବୟସ ହେଉଛି ୬୪ ବର୍ଷ l ବିଗତ କିଛି ବର୍ଷ ହେବ ସେ ରାଜନୀତିରୁ ଦୁରେଇ ରହୁଥିଲେ l କୌଣସି ରାଜନୈତିକ ସଭା ସମ୍ମିଳନୀରେ ବି ସେ ଯୋଗ ଦେଉନଥିଲେ l ହେଲେ ଗତକାଲି ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ଏନଡିଏ l ନିର୍ବାଚନ ଜିତିଲେ ୬୪ ବର୍ଷୀୟ ଶ୍ରୀମତୀ ମୁର୍ମୁ ହେବେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକ ପରେ ନଡ୍ଡା ଶ୍ରୀମତୀ ମୁର୍ମୁଙ୍କ ନାମ ଘୋଷଣା କରିଥିଲେ । ସେ କହିଥିଲେ ଯେ ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବେ ତାକୁ ନେଇ ଏନ୍‌ଡିଏର ସହଯୋଗୀ ଦଳମାନଙ୍କ ସହ ବ୍ୟାପକ ଆଲୋଚନା କରାଯାଇଥିଲା । ସମ୍ଭାବ୍ୟ ୨୦ ଜଣଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା । ଆସନ୍ତା ୨୫ ତାରିଖରେ ସେ ନିଜର ନାମାଙ୍କନପତ୍ର ଦାଖଲ କରିବାର ସମ୍ଭାବନା ରହିଛି ।ବୈଠକ ପୂର୍ବରୁ ଶାହ, ନଡ୍ଡା ଓ ରାଜନାଥ ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ଚର୍ଚ୍ଚା ହେଉଥିଲା କି ନାଇଡୁ ରାଷ୍ଟପ୍ରତି ପ୍ରାର୍ଥୀ ହୋଇପାରନ୍ତି । କିନ୍ତୁ ଶ୍ରୀମତୀ ମୁର୍ମୁଙ୍କ ନାମ ଘୋଷଣା ପରେ ସବୁ ଚର୍ଚ୍ଚା, ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି । ସୂଚନାଯୋଗ୍ୟ ଯେ ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ଏବଂ ୨୧ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ସେପଟେ NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି Z+ ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦ୍ରୌପଦୀଙ୍କୁ ଏହି Z+ ସୁରକ୍ଷା ଯୋଗାଇ ଦିଆଯାଇଛି । ସୁରକ୍ଷା ଦାୟିତ୍ବରେ ରହିବେ ୧୦ରୁ ଅଧିକ NSG ସହ CRPF କମାଣ୍ଡୋ। ନିଜକୁ ରାଷ୍ଟ୍ରପତି ପ୍ରାର୍ଥୀନୀ ଭାବେ ସୂଚନା ପାଇ ସକାଳୁ ସକାଳୁ ମନ୍ଦିର ବେଢା ଓଳାଇବା ସହ ଦ୍ରୌପଦୀ ମୁର୍ମୁ ପୂଜାର୍ଚ୍ଚନା କରିଛନ୍ତି।

*ବାସ୍ତବ ସଂଘର୍ଷ*

କଷ୍ଟ ଓ ଦୁଃଖ ସମୟ ଓ ସଂଘର୍ଷ ସମସ୍ତଙ୍କ ଜୀବନରେ ଆସେ l ଏମିତି କିଛି ସଂଘର୍ଷମୟ ଜୀବନ ଥିଲା ଦ୍ରୌପଦୀ ମୁର୍ମୁଙ୍କର l ଘରୁ ଆସୁଥିଲା ମାସକୁ ମାତ୍ର ୧୦ଟଙ୍କା l ଯିଏ ଦିନେ ୧୦ଟଙ୍କାରେ ନିଜ ଜୀବନ ବିତାଉଥିଲା ଆଜି ଦେଶର ସର୍ବତ୍ତମ ସ୍ଥାନର ଭାଗିଦାର ହେବାକୁ ଯାଉଛନ୍ତି l ଜୀବନର ବାସ୍ତବ ସଂଘର୍ଷ କଣ? ତାହା ଦ୍ରୌପଦୀଙ୍କ ଜୀବନୀରୁ ଜଣା ପଡେ l ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ୍‌ର ଅଖ୍ୟାତ ଆଦିବାସୀ ପଲ୍ଲୀ ଉପରବଡୋ । ଏହି ଉପାନ୍ତ ଗାଁରେ ୧୯୫୮ରେ ଏକ ସାନ୍ତାଳ ପରିବାରରେ ଜନ୍ମ ହୋଇଥିଲେ ଦ୍ରୌପଦୀ । ବାପା ଥିଲେ ମୟୂରଭଞ୍ଜ ରାଜାଙ୍କ ଦରବାରରେ ଜଣେ ସାଧାରଣ କର୍ମଚାରୀ । ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନ ଥିଲା । ସେ ସମୟରେ ଆଦିବାସୀ ଝିଅମାନେ ପାଠ ପଢ଼ିବାକୁ ଏତେ ଆଗ୍ରହୀ ନ ଥିଲେ କି ସୁଯୋଗ ମଧ୍ୟ ନ ଥିଲା । ଗାଁ ପ୍ରାଥମିକ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଶେଷ କରିଥିଲେ ।ସପ୍ତମ ପାସ୍‌ ପରେ ଅଧିକ ପଢ଼ିବାକୁ ଦ୍ରୌପଦୀଙ୍କ ଆଗ୍ରହ ଥିଲା । କିନ୍ତୁ ସୁଯୋଗ ନ ଥିଲା । ସମ୍ପର୍କୀୟ ଦାଦା କାର୍ତ୍ତିକଚନ୍ଦ୍ର ମାଝୀ ଭୁବନେଶ୍ୱରରେ ମନ୍ତ୍ରୀ ଥିଲେ । ସେ ଗାଁକୁ ଯାଇଥିବା ବେଳେ ତାଙ୍କ ଆଗରେ ଅଧିକ ପଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ ଦ୍ରୌପଦୀ । ଆଉ ସ୍ୱର୍ଗତ ମାଝୀଙ୍କ ଉଦ୍ୟମରେ ୧୯୭୦ରେ ଦ୍ରୌପଦୀ ଆସିଲେ ଭୁବନେଶ୍ୱର । ୟୁନିଟ୍‌-୨ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଲେ । ଆଉ ରହିଲେ ଆଦିବାସୀ ଛାତ୍ରୀନିବାସରେ ।୧୯୭୪ରେ ମାଟ୍ରିକ୍‌ ପାସ୍‌ କଲେ । କଲେଜରେ ପାଠ ପଢ଼ିବାକୁ ଆବେଦନ କରାଯାଏ ବୋଲି ଜାଣି ନ ଥିଲେ । ଜାଣିଲା ବେଳକୁ ଆବେଦନ ତାରିଖ ସରିଯାଇଥାଏ । ଗୋଟିଏ ବର୍ଷ ଅପେକ୍ଷା କଲା ପରେ ରମାଦେବୀ କଲେଜରେ ନାମ ଲେଖାଇଲେ ଦ୍ରୌପଦୀ । ପୁଣି ରହିଲେ ଛାତ୍ରୀନିବାସରେ । ଗାଁରୁ ବାପା ପଠାଉଥିଲେ ମାସକୁ ମାତ୍ର ୧୦ ଟଙ୍କା । ପାଖରେ ଟଙ୍କା ନ ଥିବାରୁ କଲେଜ କ୍ୟାଣ୍ଟିନ୍‌ ଯାଉନଥିଲେ । ସାଙ୍ଗସାଥୀ ଡାକିଲେ ମଧ୍ୟ ବାହାନା ଦେଖାଇ କ୍ୟାଣ୍ଟିନକୁ ଯାଆନ୍ତି ନାହିଁ ସେ l ନିଜର ସୌକ ପାଇଁ କିଛି କିଣାକିଣି କରିବା ସାଙ୍ଗସାଥିଙ୍କ ସହ ସିନେମା ଯିବା କିମ୍ବା ଭଲ ଖାଦ୍ୟ ଖାଇବା, ଛାତ୍ର ଜୀବନରେ ତାଙ୍କ ପାଇଁ ସମ୍ଭବପର ନଥିଲା l ଭୁବନେଶ୍ୱରରେ ୮ ବର୍ଷ ଛାତ୍ରୀ ଜୀବନ ଭିତରେ ମାତ୍ର ଗୋଟିଏ ସିନେମା ଦେଖିଥିଲେ ଦ୍ରୌପଦୀ । ତାହା ପୁଣି ରବି ଟକିଜ୍‌ରେ । ସିନେମାର ନାଁ ହେଲା ‘ଗପ ହେଲେ ବି ସତ’ ।ରମାଦେବୀ ମହାବିଦ୍ୟାଳୟରୁ ବିଏ ପାସ୍‌ ପରେ ଅର୍ଥାଭାବରୁ ଅଧିକ ପଢ଼ିବା ତାଙ୍କ ପାଇଁ କାଠିକର ପାଠ ହୋଇଗଲା । ୧୯୭୯ରେ ସଚିବାଳୟରେ ନିଜର ଚାକିରି ଜୀବନ ଆରମ୍ଭ କଲେ । ଏହା ପରେ ବ୍ୟାଙ୍କ ମ୍ୟାନେଜର ଶ୍ୟାମଚରଣ ମୁର୍ମୁଙ୍କ ସହ ତାଙ୍କର ବିବାହ ହେଲା । ସ୍ୱାମୀଙ୍କ ନାମ ଅନୁସାରେ ସେ ଟୁଡୁ ରୁ ମୁର୍ମୁ ପାଲଟିଗଲେ l ଜଣେ ସାଂସାରିକ ମହିଳା ହେବା ପରେ ଦୁଇଟି ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାର ଚାଲିଲା । ସ୍ୱାମୀ ଅନ୍ୟ ସ୍ଥାନରେ ଚାକିରି କରୁଥିଲେ । ପରିବାରର ଯତ୍ନ ନେବାକୁ ସରକାରୀ ଚାକିରି ଛାଡ଼ିଥିଲେ ଦ୍ରୌପଦୀ ।୧୯୯୪ରେ ରାଇରଙ୍ଗପୁର ଫେରି ଆସି ଦ୍ରୌପଦୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କଲେ । ଶିକ୍ଷକତାରୁ ଅବସର ନେଇ ସେ ୧୯୯୭ରେ ରାଜନୀତିରେ ଯୋଗ ଦେଇଥିଲେ । ରାଇରଙ୍ଗପୁର ଏନ୍‌ଏସିର ସ୍ୱାଧୀନ କାଉନ୍‌ସିଲର ଭାବେ ବିଜୟୀ ହୋଇ ଉପନଗରପାଳ ଦାୟିତ୍ୱ ତୁଲାଇଥିଲେ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଇରଙ୍ଗପୁର ବିଧାନସଭା ଆସନରୁ ଦୁଇ ଥର ନିର୍ବାଚିତ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବାଣିଜ୍ୟ ଓ ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଥିଲେ । ୨୦୧୫ରେ ଝାଡ଼ଖଣ୍ଡ ରାଜ୍ୟପାଳ ନିଯୁକ୍ତ ହେବା ପରେ ଜାତୀୟ ସ୍ତରରେ ପରିଚିତି ଲାଭ କରିଥିଲେ । ଦେଶ ପାଇଁ ସମର୍ପିତ ହୋଇ ଆଜି ସେ ଏକ ଉଦାହରଣ ପାଲଟିଛନ୍ତି l କଥାରେ କୁହାଯାଉଥିବା “ସଂଘର୍ଷ” ର ଅର୍ଥ ଓ “ବାସ୍ତବ ସଂଘର୍ଷ” ର ଅର୍ଥ ଆଜି ଦ୍ରୌପଦୀଙ୍କ ଜୀବନରୁ ଆକଳନ କରାଯାଉଛି l ଯେହେତୁ ଦ୍ରୌପଦୀ ମୁର୍ମୁ ଜଣେ ଓଡ଼ିଆ ମହିଳା ଏବଂ ଓଡିଶା ବିଧାନସଭାରୁ ପୂର୍ବରୁ ଜଣେ ମନ୍ତ୍ରୀ ଥିଲେ l ଏହି ଆଧାରରେ ଦ୍ରୌପଦୀଙ୍କୁ ବିଜେଡ଼ି ପୂର୍ଣ୍ଣ ସମର୍ଥନ ଦେବା ସମ୍ଭାବନା ରହୁଛି l ଏମିତିରେ ବି ଦ୍ରୌପଦୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରିବା ପୂର୍ବରୁ ଏହି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଥିବା ଜଣାପଡିଛି l କୁହାଯାଉଛି ଯେ, ନବୀନଙ୍କ ପ୍ରସ୍ତାବ ଅନୁସାରେ ଦ୍ରୌପଦୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି ଏନଡିଏ l

Related post

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଫୋକସ ପ୍ଲସ (ଢେଙ୍କାନାଳ) ୦୭/୦୭/୨୦୨୨: କାମାକ୍ଷାନଗର ଉପଖଣ୍ଡ ଅଧିନସ୍ତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଖୁପାଳ ଠାରେ ଚାଲିଥିବା ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଗୁରୁବାର…
ଅଭାବୀ ପରିବାରରେ ମେଧାବୀ ଛାତ୍ର

ଅଭାବୀ ପରିବାରରେ ମେଧାବୀ ଛାତ୍ର

ଫୋକସ ପ୍ଲସ (ଭୁବନ) ୦୭/୦୭/୨୦୨୨: ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ଏକ ଅଭାବି ପରିବାରର ଛାତ୍ର ଓମ ପ୍ରକାଶ ସାହୁ । ବହୁତ ଅଭାବ ଅନଟନ ରେ…
ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଫୋକସ ପ୍ଲସ (ଭଦ୍ରକ) ୦୭/୦୭/୨୦୨୨: ଭଦ୍ରକ କଲେଜରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଦ୍ଵିତୀୟ ସର୍ବବୃହତମ ମହାବିଦ୍ୟାଳୟ ଭଦ୍ରକ କଲେଜ ଆଜି ପାଳନ…

Leave a Reply

Your email address will not be published.