ମହାରାଷ୍ଟ୍ର ରାଜନୀତିର ଖଳନାୟକ

ମହାରାଷ୍ଟ୍ର ରାଜନୀତିର ଖଳନାୟକ

ଫୋକସ ପ୍ଲସ (ବ୍ୟୁରୋ)୩୦/୦୬/୨୦୨୨: ମହାରାଷ୍ଟ୍ର ସରକାର ଏବେ ବିପଦରେ । କେତେବେଳେ ସରକାର ଭାଙ୍ଗିଯିବ କୁହାଯାଇ ପାରିବ ନାହିଁ । ଏଠାରେ ଏକ ମେଣ୍ଟ ସରକାର ଚାଲିଛି । ଯେଉଁ ମେଣ୍ଟରେ ତିନୋଟି ରାଜନୈତିକ ଦଳ ରହିଛି । ସେଗୁଡିକ ହେଉଛି ଶିବସେନା, ଜାତୀୟ କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି । ଏହି ମେଣ୍ଟର ନାମ ହେଉଛି ମହାରାଷ୍ଟ୍ର ବିକାଶ ଆଗାମି(ଏମଭିଏ) । ଶିବସେନାର ମୁଖ୍ୟ ଶ୍ରୀ ଉଦ୍ଧବ ଥାକରେ ମୁଖ୍ୟମନ୍ତ୍ରୀ ଅଟନ୍ତି । କିନ୍ତୁ ରାଜ୍ୟରେ ଏପରି ଜଟିଳ ପରିସ୍ଥିତି ତିଆରି କରାଯାଇଛି ଯେ ଯେକୌଣସି ମୁହୂର୍ତ୍ତରେ ସରକାର ଭାଙ୍ଗି ଯାଇପାରେ । ଏ ପରିସ୍ଥିତି ପାଇଁ ଦାୟୀ କିଏ ? କିଏ ଏହା ପଛର ମୁଖ୍ୟ ଖଳନାୟକ ? କାହା ଇଙ୍ଗିତରେ ଏସବୁ ହେଉଛି ତାହା ଘଟଣାକ୍ରମର ଅନୁଧ୍ୟାନରୁ ସ୍ପଷ୍ଟ ବାରିହେଉଛି ।
ଏ ପ୍ରକାର ପରିସ୍ଥିତି ତିଆରି ହୋଇଛି ଶିବସେନାରେ ଫାଟ ଯୋଗୁଁ । ଏ ଫାଟ ତିଆରି କରାଯାଇଛି କି ଆପେ ହୋଇଛି ତାହା ଏକ ପ୍ରଶ୍ନ ? ବିଦ୍ରୋହୀ ଗୋଷ୍ଠୀର ନେତା ଶ୍ରୀ ଏକନାଥ ସିନ୍ଧେ ଗୋଟିଏ ନୂତନ ଗୋଷ୍ଠୀ ତିଆରିକରି ନିଜକୁ ଅସଲି ଶିବସେନା ବୋଲି ଦାବି କରୁଛନ୍ତି । ପୁଣି ଏମାନେ ମତପ୍ରକାଶ କରିଛନ୍ତି ଯେ ଗୋଟିଏ ନୂତନ ରାଜନୈତିକ ଦଳ ଗଠନ କରିବେ, ଯାହାର ନାମ ହୋଇପାରେ ଶିବସେନା ବାଲାସାହେବ ଥାକରେ । ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ । ନୂତନ ଗୋଷ୍ଠୀ ଏବେବି ଦାବୀ କରୁଛନ୍ତି ସେମାନେ ମୂଳ ଶିବସୈନିକ । ତାଙ୍କ ନିକଟରେ ସଂଖ୍ୟାଧିକ ବିଧାୟକ ଅଛନ୍ତି । ତେଣୁ ଆଗାମୀ ଦିନରେ ଏମାନେ ଶିବସେନାର ନିର୍ବାଚନୀ ଚିହ୍ନ ଧନୁତୀରକୁ ପାଇବା ପାଇଁ ଦାବୀ କରିବେ । ଆଗକୁ ଦେଖିବାକୁ ହେବ ଯେ କିଏ ଏହି ଚିହ୍ନ ପାଉଛି । ଯେଉଁମାନେ ଏ ଚିହ୍ନ ପାଇବେ ନାହିଁ ସେମାନେ ନୂଆ ଦଳ ଗଢି ପାରନ୍ତି । ବିଦ୍ରୋହୀ ଗୋଷ୍ଠୀଙ୍କ ନିକଟରେ ଏକାଧିକ ପନ୍ଥା ରହିଛି । ସେମାନେ ହୁଏତ ବିଦ୍ରୋହର ମାର୍ଗ ଛାଡିଦେଇ ପାରନ୍ତି, ମୂଳ ଶିବସେନାଭାବେ ଦାବିକରି ସଫଳ ହୋଇପାରନ୍ତି, ବାହାରିଯାଇ ନୂଆ ଦଳ ଗଠନ କରିପାରନ୍ତି କିମ୍ବା ଅନ୍ୟ କୌଣସି ବଡଦଳ ସହିତ ସାମିଲ ହୋଇଯାଇ ପାରନ୍ତି ।
ଯେଉଁପରି ଭାବେ ନାଟକୀୟ ଢଙ୍ଗରେ ଗୋଟିଏ ପରେ ଗୋଟିଏ ଦୃଶ୍ୟପଟ ସମ୍ମୁଖ୍ଯକୁ ଆସିଛି ଏଥିରୁ ସ୍ପଷ୍ଟ ଯେ ଏ ନାଟକରେ ନିର୍ଦ୍ଦେଶକ ନେପଥ୍ୟେ ରହିଛି । ଯାହାର ନିର୍ଦ୍ଦେଶରେ ସବୁକିଛି ହେଉଛି । ପ୍ରଥମରେ ବିଦ୍ରୋହୀ ଗୋଷ୍ଠୀ ଦାବୀ ଉଠାଇଲେ ଯେ କଂଗ୍ରେସ ଓ ଏନସିପି ସହିତ ମେଣ୍ଟ ଯଥାର୍ଥ ନୁହେଁ । ବିଜେପି ସହିତ ମେଣ୍ଟ ବଜାଇ ରଖିବା ଉଚିତ୍ ଥିଲା । ତେଣୁ ଏମାନଙ୍କ ଅନୁରକ୍ତି ବିଜେପି ପ୍ରତି ଥିବାପରି ମନେହୁଏ । ଏ କଥାକୁ ନେଇ ଏବେ ତାଙ୍କୁ ପ୍ରେରିତ କରାଯାଇ ଥାଇପାରେ । ମନରେ ଯଦି ଏହା ଥିଲା ତେବେ ଆରମ୍ଭରୁ ଏ କଥାକୁ ଉଠାଇ ପ୍ରତିବାଦ କରାଯାଇ ନଥିଲା କାହିଁକି ? ଦ୍ଵିତୀୟରେ ବିଦ୍ରୋହୀ ଗୋଷ୍ଠୀ ଗୁଜରାଟର ସୁରଟକୁ ଯିବାପାଇଁ ପସନ୍ଦ କଲେ କାହିଁକି ? ଏହି ରାଜ୍ଯରେ କାହାର ସରକାର ଅଛି । ଏଠାରେ ତାଙ୍କୁ କଡା ସିକ୍ୟୁରିଟି ଓ ଉନ୍ନତ ଆତିଥେୟତା ମିଳିଛି । ଏହା କେଉଁ ସ୍ୱାର୍ଥରେ । ଯେତେବେଳେ ଉଦ୍ଧବ ଥାକରେଙ୍କ ପ୍ରତିନିଧି ସୁରଟ ପହଁଞ୍ଚିଲେ ବିଦ୍ରୋହୀଙ୍କୁ ମନେଇବା ପାଇଁ, ସେତେବେଳେ ନେପଥ୍ୟରେ ଥିବା ନିର୍ଦ୍ଦେଶକ ଅନୁଭବ କଲେ ଏ ଜାଗା ନିରାପଦ ନୁହେଁ । ତେଣୁ ତାଙ୍କୁ ସେଠାରୁ ଆସାମର ଗୌହାଟୀକୁ ସ୍ଥାନାନ୍ତର କରାଗଲା । ସେଠାରେ ମଧ୍ଯ କାହାର ସରକାର ରହିଛି । ତୃତୀୟରେ ପରେ କିଛି ବାଗୀ ବିଧାୟକ ଗୋଟିଏ ଦଳର ରାଜ୍ୟ ସଭାପତିଙ୍କ ସହିତ ଗୌହାଟୀ ଯାଇଛନ୍ତି । ଚତୁର୍ଥରେ ଷ୍ଟାର ହୋଟେଲରେ ରହିବା ଖାଇବା, ଯାତାୟତ ଓ ଅନ୍ୟ ସମସ୍ତ ଖର୍ଚ୍ଚ ବହନ କରୁଛି କିଏ ? ପଞ୍ଚମରେ ବିଦ୍ରୋହୀ ନେତା ଶ୍ରୀ ସିନ୍ଧେ କହି ସାରିଛନ୍ତି ତାଙ୍କ ପଛରେ ଗୋଟିଏ ବଡ ରାଜନୈତିକ ଦଳ ରହିଛି । ନିର୍ଦ୍ଦେଶକଙ୍କ ନିକଟରୁ ଚାପ ପଡିବାରୁ ଏବେ ଏକଥାକୁ ମନା କରୁଛନ୍ତି । ଷଷ୍ଠରେ ଏହି ସମୟରେ ଉଦ୍ଧବ ଥାକରେଙ୍କ ସମର୍ଥକ ବିଧାୟକଙ୍କୁ ଇଡି ନୋଟିସ୍ କାହିଁକି ? କଣ ଭୟଭୀତ କରିବା ପାଇଁ ? ସପ୍ତମରେ ବିଦ୍ରୋହୀମାନେ ସୁଦୂର ଗୌହାଟିରେ ରହି ଲଢେଇ କରୁଛନ୍ତି କାହିଁକି ? ମହାରାଷ୍ଟ୍ର ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଉନାହାଁନ୍ତି କାହିଁକି ? ଅଷ୍ଟମରେ ବିରୋଧି ଦଳକୁ ଭାଙ୍ଗି ନିଜ ସରକାର ଗଢିବାରେ କେଉଁଦଳ ସର୍ବଶ୍ରେଷ୍ଠ ତାହା ସମସ୍ତଙ୍କୁ ଜଣା । କର୍ଣ୍ଣାଟକରେ କୁମାରସ୍ଵାମୀଙ୍କ ଜେଡିଏସ୍ ସରକାରକୁ କିପରି ଭାଙ୍ଗା ଯାଇଥିଲା, ମଧ୍ଯପ୍ରଦେଶରେ କମଲନାଥଙ୍କ କଂଗ୍ରେସ ସରକାରକୁ କିପରି ଭଙ୍ଗା ଯାଇଥିଲା, ଏହା ପୂର୍ବରୁ ମେଘାଳୟ, ଗୋଆ, ମଣିପୁର, ପୁଡୁଚେରୀ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ ପ୍ରଭୃତି ରାଜ୍ଯରେ କିପରି ଘୋଡା ବେପାର କରି ସରକାର ଗଠନ କରାଯାଇଛି ତାହା ସମସ୍ତଙ୍କୁ ଜଣା । ଏ ସମସ୍ତର ପଶ୍ଚାତରେ ଅଜସ୍ର ଟଙ୍କାର ଖେଳ ନିଶ୍ଚୟ ରହିଛି ।
ଆମେ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ବାସ କରୁ । ନିର୍ବାଚିତ ପ୍ରତିନିଧିମାନଙ୍କୁ କିଣା ଓ ବିକା କରି ଲୋଭିତ ଓ ପ୍ରତିଲୋଭିତ କରି ଗୋଟିଏ ଗଣତାନ୍ତ୍ରିକ ସରକାରକୁ ଅସ୍ଥିର କରିବା ଆଦୌ ଗ୍ରହଣୀୟ ନୁହେଁ । ପୂର୍ବରୁ ଦଳ ବଦଳକୁ ରୋକିବା ପାଇଁ ଏହା ବିରୁଦ୍ଧରେ ଆଇନ୍ ତିଆରି ହୋଇଛି । କୌଣସି ଦଳରୁ ବାହାରି ଯିବାପାଇଁ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଲୋଡ଼ା । ଏବେ କିନ୍ତୁ ଏହାବି କାମ ଦେଉନାହିଁ । ଏତିକି ସଂଖ୍ୟକ ସଦସ୍ୟଙ୍କୁ କାଢିନିଆ ଯାଇପାରୁଛି । ଏହା ନହେଲେ ସରକାରୀ ଦଳର କିଛି ସଦସ୍ୟଙ୍କୁ ଇସ୍ତଫା ଦିଆକରାଇ ସରକାରକୁ ସଂଖ୍ୟାନ୍ୟୁନ କରାଯାଉଛି । ସଂସଦୀୟ ଗଣତନ୍ତ୍ରରେ ଏ ମାରାତ୍ମକ ଅବସ୍ଥା ଆସି ପହଞ୍ଚିଛି । ଦେଶର ଗଣତନ୍ତ୍ର ପ୍ରେମୀମାନେ ଏହାର ସମାଧାନର ସୂତ୍ର ବାହାର କରିବା ଉଚିତ୍ । କୌଣସି ନିର୍ବାଚିତ ସରକାରକୁ ଭାଙ୍ଗି ନିଜ ସରକାର ଗଢ଼ିବା ଏକଛତ୍ରବାଦୀ ମାନସିକତା । ଏପରି ମାନସିକତା ଗଣତନ୍ତ୍ର ପ୍ରତି ବିପଦ । ବେଳହୁଁ ସାବଧାନ ନହେଲେ ନେଡିଗୁଡ଼ କହୁଣୀକୁ ବହିଯିବ ।
ମହାରାଷ୍ଟ୍ରରେ ଉଦ୍ଧବ ସରକାର ରହିବ କି ନାହିଁ ତାହା ବଡ଼ପ୍ରଶ୍ନ ନୁହେଁ । ବଡକଥା ହେଉଛି ଗଣତାନ୍ତ୍ରିକ ମୂଲ୍ୟବୋଧ ବଞ୍ଚି ରହିବ କି ନାହିଁ ? ଦଳୀୟ ସଂକଟ ଦଳ ମଧ୍ୟରେ ବିଚାର ବିମର୍ଷ ଜରିଆରେ ସମାଧାନ ହେବା ଉଚିତ । ଏପରିକି ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ବଦଳା ଯାଇପାରେ । କାହାରି ପ୍ରରୋଚନାରେ ଏହା ହେବା ଉଚିତ୍ ନୁହେଁ । ଯେତେବେଳେ ନିୟମର ଗୋଳା ବାଟରେ କିଛି ଭୁଲକାମ କରାଯାଏ, ସେତେବେଳେ ପ୍ରତିପକ୍ଷ ଉପାୟ ନପାଇ ହିଂସାକୁ ଅହ୍ଲାଇବା ସ୍ୱାଭାବିକ । ଏ ପରିସ୍ଥିତି ମହାରାଷ୍ଟ୍ରରେ ଦେଖାଦେଇଛି । ସବୁକରି କରାଉଥିବା ଦଳଟି ସାବଧାନ୍ ହେବା ଉଚିତ୍ । ଲୁଚିଛି ନା ଗୋଡ ଦୁଇଟା ଦିଶୁଛି । କିଏ ଖଳନାୟକ ତାକୁ ଚିହ୍ନିବାରେ ଅସୁବିଧା ନାହିଁ । ଭୋଟଦାତାଙ୍କ ଏଦିଗରେ ଗୁରୁ ଦାୟିତ୍ଵ ରହିଛି । ଯେଉଁ ରାଜନୈତିକ ଦଳମାନେ ଏହି ପ୍ରକାର ଅଗଣତାନ୍ତ୍ରିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ତାଙ୍କୁ ଉପଯୁକ୍ତ ଜାବାବ ଦେବାର ଅଛି । ତାଙ୍କୁ ନିର୍ବାଚନରେ ପ୍ରତ୍ଯାଖ୍ଯାନ କରାଯିବା ଉଚିତ୍ । ଫଳରେ ଏମାନେ ସୁଧୁରିବାକୁ ବାଧ୍ୟ ହେବେ । ମନେ ରଖିବାକୁ ହେବ ଯେ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦେବା ଆମ ସମସ୍ତଙ୍କ ପ୍ରାଥମିକତା ହେବା ଉଚିତ । କୌଣସି ରାଜନୈତିକ ଦଳ ଆମପାଇଁ ବଡ ନୁହେଁ, ଆମ ପାଇଁ ବଡ଼ ଆମ ଗଣତନ୍ତ୍ର ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *